ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଦେଇ ଯାଇଥିବା୧୫୭ ନମ୍ବର ଜାତୀୟ ରାଜପଥ କଳିଙ୍ଗା ଘାଟିରେ ୧୬ ତାରିଖ ମଙ୍ଗଳବାର ଅପରାହ୍ନ ସମୟରେ ଲଗାଣ ବର୍ଷାରେ ଭୂସ୍ଖଳନ ଯୋଗୁ ରାସ୍ତା ସମ୍ପୂର୍ଣ୍ଣ ଧୋଇ ହୋଇ ୪୦/୫୦ ଫୁଟର ବିରାଟ ଖାଲ ହୋଇଛି । ବୁଧବାର ଠାରୁ ଜାତୀୟ ରାଜପଥ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲା ପରେ କାମ ଆରମ୍ଭ ହୋଇଛି । କନ୍ଧମାଳ ଜିଲ୍ଲାବାସୀଙ୍କ ପାଇଁ ଏହି ଘାଟି ରାସ୍ତାଟି ଜୀବନ ଜୀବିକା ହୋଇଥିବା ବେଳେ ବର୍ତ୍ତମାନ ପ୍ରାକୃତିକ ବିପର୍ଯ୍ୟୟରେ ଗଞ୍ଜାମ ଜିଲ୍ଲା ସହ କନ୍ଧମାଳ ଜିଲା ବିଚ୍ଛିନ୍ନ ହୋଇଛି । ଘଟଣା ଘଟିବାର ୪୨ ଘଣ୍ଟା ପରେ ଗୁରୁବାର ମଧ୍ୟାହ୍ନରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ କଳିଙ୍ଗାଘାଟିର ଭୂସ୍ଖଳନ ହୋଇଥିବା ସ୍ଥାନରେ ପହଞ୍ଚି ଜାତୀୟ ରାଜପଥ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଚଳିତବର୍ଷ ଅଧିକ ବର୍ଷା ହୋଇଥିବାବେଳେ ଲଗାଣ ବର୍ଷା ଯୋଗୁ ଏପରି ଭୂସ୍ଖଳନ ହୋଇଥିବା ବେଳେ ସୌଭାଗ୍ୟ ବଶତଃ ଧନ ଜୀବନ କ୍ଷତି ହୋଇନାହିଁ । ବର୍ତ୍ତମାନ ବ୍ରହ୍ମପୁର ଯିବା ପାଇଁ ବିକଳ୍ପ ରାସ୍ତା ଭାବେ ଟିକାବାଲି, ଚକାପାଦ ରାସ୍ତାକୁ ବ୍ୟବହାର କରାଯିବ । ଯଥା ସମ୍ଭବ ଚେଷ୍ଟା କରି ପାଣିପାଗ ଓ ବର୍ଷା ପରିସ୍ଥିତିକୁ ଅନୁଧ୍ୟାନ କରି ୭ରୁ ୧୦ ଦିନ ମଧ୍ୟରେ ଗାଡ଼ିମୋଟର ଯାତାୟାତ ପାଇଁ ପ୍ରଥମେ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯିବ । ପରେ ସ୍ଥାୟୀ ରାସ୍ତା କାମ ପରିସ୍ଥିତି ଅନୁକୂଳ ଦେଖି କରାଯିବ । ଏହି ଘାଟି ରାସ୍ତା ନିର୍ମାଣ ନିମନ୍ତେ ଏନ୍ଏଚ୍ ବିଭାଗ ଅଧିକାରୀଙ୍କୁ ଯେଉଁ ସବୁ ଅନୁମତିର ଆବଶ୍ୟକ ସେ ସବୁକୁ ପ୍ରଶାସନ ତରଫରୁ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
Prev Post