କାର୍ଯ୍ୟାଳୟ ନଥିବାରୁ ଟେଣ୍ଟ ଲଗାଇ କାମଚାଲିଛି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଶହ ଶହ ଲୋକଙ୍କୁ ଘର ବାଣ୍ଟୁଥିବା ପଞ୍ଚାୟତର ନିଜସ୍ୱ ଘର ନାହିଁ । ରାଜ୍ୟ ସରକାର ଗ୍ରାମ ପଞ୍ଚାୟତର ଭିତ୍ତିଭୂମିର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମୁଣ୍ଡ ଉପରେ ଛାତ ପାଇଁ ଗରିବ ଲୋକେ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ ଆବେଦନ କରୁଛନ୍ତି । ଶହ ଶହ ଲୋକଙ୍କୁ ଘର ବାଣ୍ଟୁଥିବା ପଞ୍ଚାୟତର ନିଜସ୍ୱ ଘର ନାହିଁ । ପ୍ରଶାସନିକ ସ୍ତରରେ ଦାୟିତ୍ୱହୀନତା ଯୋଗୁଁ ଏମିତି ନାହିଁ ନାହିଁରେ ଚାଲିଛି ପଞ୍ଚାୟତ କାର୍ଯ୍ୟାଳୟ । ଏଭଳି ଉଦାହରଣ ପ୍ରଶାସନର ପାରିବାପଣିଆକୁ ପଦାରେ ପକାଇଛି । ଏହିପରି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତରେ, ଏଠାରେ ନାଁ ଅଛି ପଞ୍ଚାୟତ କାର୍ଯ୍ୟାଳୟ ନାଁ ଅଛି ଜମି । ବଲାଙ୍ଗିର ଜିଲ୍ଲାର ସବୁଠାରୁ ପ୍ରଭାବଶାଳୀ ବ୍ଲକ ଭାବେ ପରିଚିତ ଖପ୍ରାଖୋଲ ବ୍ଲକ । ଏହି ବ୍ଲକର ମାଲପଡା ପଞ୍ଚାୟତ ଗଠନ ହେବା ପରଠାରୁ ୯ ବର୍ଷ ହେଲା ପଞ୍ଚାୟତର କାର୍ଯ୍ୟାଳୟ ନାହିଁ । ପଞ୍ଚାୟତବାସୀଙ୍କ ପାଇଁ ଆସୁଥିବା ପିଡ଼ିଏସ୍‌ ଚାଉଳ, ମାଣ୍ଡିଆ ଲାଠୋର ଠାରେ ରଖାଯାଇ ବଣ୍ଟା ଯାଉଛି ଯାହାକି ଭଗବାନ ଭରଷା । ଠିକ ସେହିପରି ପଞ୍ଚାୟତ କାର୍ଯ୍ୟାଳୟର ଆବଶ୍ୟକ କାଗଜ ପତ୍ର କାହା ପାଖରେ ରହୁଛି କେଜାଣି । ପଞ୍ଚାୟତ କାର୍ଯ୍ୟାଳୟ ବିଷୟ କୋର୍ଟରେ ବିଚାରଧୀନ ଥିଲା ସେଥିପାଇଁ ଏତେ ବିଳମ୍ବ ହୋଇଥିବା ଖପ୍ରାଖୋଲ ଜିପିଡିଓ ପରମେଶ୍ୱର ନାଏକ ପ୍ରକାଶ କରିଛନ୍ତି । କିନ୍ତୁ କୋର୍ଟ ରାୟ ଦେଇ ୪ ବର୍ଷ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟ ତିଆରି ନହେବା ଏହା ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

Leave A Reply

Your email address will not be published.