ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

କେସିଙ୍ଗା, (ପ୍ରୀତେଶ ପଟେଲ ) : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେସିଙ୍ଗାର ୟୁଥ୍ ଓ ୟୁକୋ କ୍ଲବର ଶିକ୍ଷକ-ସଂଯୋଜକ ଆର୍ତ୍ତତ୍ରାଣ ଷଡ଼ଙ୍ଗୀଙ୍କ ବଳିଷ୍ଠ ନେତୃତ୍ୱରେ ‘ଏକ ପେଡ୍ ମାଁ କେ ନାମ’ ଆଧାରରେ ସ୍ୱତନ୍ତ୍ର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟର ଛାତ୍ରୀମାନେ ଏବଂ ଶିକ୍ଷକ, ଶିକ୍ଷୟିତ୍ରୀମାନେ ସର୍ବସାଧାରଣଙ୍କ ମନରେ ସଚେତନତା ସୃଷ୍ଟି ନିମନ୍ତେ ହାତରେ ପ୍ଲାକାର୍ଡ ଧରି ଓ ବୃକ୍ଷରୋପଣର ଆବଶ୍ୟକତା ସମ୍ବଳିତ ସ୍ଲୋଗାନ୍ ଦେଇ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଏବଂ ସ୍ଥାନୀୟ କସ୍ତୁରବା ଗାନ୍ଧୀ ବିଦ୍ୟାଳୟ ଛାତ୍ରୀ ନିବାସରେ ବୃକ୍ଷରୋପଣ କରିଥିଲେ । ପରିଶେଷରେ ପୁରସ୍କାର ପ୍ରଦାନ ସମାରୋହରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମୀର କୁମାର ବେହେରା ସଭାପତି ଭାବେ ଯୋଗଦାନ କରି ବୃକ୍ଷ ଜୀବଜଗତର ମୂଳ ଆଧାର ଶୀର୍ଷକରେ ଅଭିଭାଷଣ ପ୍ରଦାନ କରିଥିଲେ । ୟୁଥ୍ ଓ ୟୁକୋ କ୍ଲବର ଶିକ୍ଷକ-ସଂଯୋଜକ ଆର୍ତ୍ତତ୍ରାଣ ଷଡ଼ଙ୍ଗୀ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ହିନ୍ଦୀ ଶିକ୍ଷକ କହ୍ନେଇଲାଲ୍ ସାହୁ ଓ କଳା ଶିକ୍ଷକ ସୁଶାନ୍ତ କୁମାର ମେହେର ଯୋଗ୍ୟତମର ଉଦବର୍ତ୍ତନ ତଥା ଧାରଣୀୟ ବିକାଶ ନିମନ୍ତେ ବୃକ୍ଷର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ବିଭିନ୍ନ ହାଉସ୍ ମାନଙ୍କ ମଧ୍ୟରେ ଆୟୋଜିତ ହୋଇଥିବା ଚିତ୍ରକଳା ଓ ଏକ୍‌ ପେଡ୍ ମାଁ କେ ନାମ ପ୍ରଶ୍ନୋତ୍ତର ପ୍ରତିଯୋଗିତାର ବିଜୟିନୀ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ଜି. କ୍ରିଷ୍ଣା ରେଡ୍ଡୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସାହାଯ୍ୟ ଓ ସହଯୋଗ କରିଥିଲେ ।

Leave A Reply

Your email address will not be published.