- ଓଡିଶାର ତଥ୍ୟ ମାଗିଲେ ବିହାରକୁ ହସ୍ତାନ୍ତର କରାଯାଉଛି
ବଲାଙ୍ଗିର, (କେପିଏନ୍ଏସ୍) : ଭୋଟ ଚୋରି ଅଭିଯୋଗ ପ୍ରସଙ୍ଗ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଏହାକୁ ନେଇ ନିର୍ବାଚନ କମିଶନଙ୍କ କାର୍ଯ୍ୟଧାରା ଅବିଶ୍ୱାସ ଯୋଗ୍ୟ ଅଟେ ବୋଲି ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମି ହେମନ୍ତ କୁମାର ପଣ୍ଡା ଏକ ପ୍ରେସ ବିବୃତ୍ତିରେ ପ୍ରକାଶ କରିଛନ୍ତି । ଶ୍ରୀ ପଣ୍ଡା କହିଛନ୍ତି ଯେ, ବିଗତ ଦିନରେ କେତେକ ବିରୋଧୀ ଦଳ ଭୋଟର ତାଲିକାରେ ନକଲି ଭୋଟର ରହିଥିବା, ଯୋଗ୍ୟ ଭୋଟରମାନଙ୍କ ନାମକୁ ଭୋଟର ତାଲିକାରୁ ବାଦ୍ ଦିଆଯାଇଥିବା ଓ ଡିଜିଟାଲ ଫର୍ମାଟରେ ସମଗ୍ର ତାଲିକାକୁ ପ୍ରକାଶ କରିବା ପାଇଁ ନିର୍ବାଚନ କମିଶନଙ୍କ ଅକ୍ଷମତା ଅଭିଯୋଗ ଆଣି ଦେଶର କେତେକ ବିରୋଧୀ ଦଳଗୁଡିକ ସ୍ୱର ଉତ୍ତୋଳନ କରିଆସୁଛନ୍ତି । ଏସବୁର ସତ୍ୟାସତ୍ୟ ଲୋକଲୋଚନକୁ ଆଣିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କୁ ଶ୍ରୀ ପଣ୍ଡା ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ । ଭୋଟ ଚୋରି ଅଭିଯୋଗ ଉପରେ କମିଶନ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କମିଶନଙ୍କ ଜନ ସୂଚନା ଅଧିକାରୀ ପଓ୍ୟନ ଦିଓ୍ୟାନ ତଥ୍ୟ ପ୍ରଦାନ କରିଛନ୍ତି । ବିରୋଧୀଦଳଗୁଡିକ ଆଣୁଥିବା ଭୋଟ ଚୋରି ଅଭିଯୋଗ ଉପରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଶ୍ରୀ ପଣ୍ଡା ତଥ୍ୟ ମାଗିଥିଲେ ହେଲେ ନିର୍ଦ୍ଦିଷ୍ଟ ଅଭିଯୋଗ ହେଲେ ଏହାର ତଥ୍ୟ ପ୍ରଦାନ କରାଯିବ ବୋଲି ତଥ୍ୟରେ କୁହାଯାଇଛି । ଏପରିକି ଓଡିଶାରେ ଗତ ୫ ବର୍ଷରେ କେତେ ଭୋଟରଙ୍କ ନାମକୁ ତାଲିକାରୁ ବାଦ୍ ଦିଆଯାଇଛି ବୋଲି ଶ୍ରୀ ପଣ୍ଡା ମାଗିଥିବା ତଥ୍ୟକୁ ବିହାର ରାଜ୍ୟର ନିର୍ବାଚନ କାର୍ଯ୍ୟାଳୟକୁ ହସ୍ତାନ୍ତରିତ କରାଯାଇଥିବା ଭଳି ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରଦାନ କରାଯାଇଛି । ଓଡିଶାର ତଥ୍ୟକୁ ବିହାର ନିର୍ବାଚନ ଅଧିକାରୀ ଦେବେ କେମିତି ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି । ଏପରିକି ଗତ ପାଞ୍ଚ ବର୍ଷରେ ଦେଶବ୍ୟାପୀ କେତେ ନକଲି ଭୋଟରଙ୍କ ସମ୍ପର୍କରେ ଅଭିଯୋଗ ହୋଇଛି ଓ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସମ୍ପର୍କରେ ତଥ୍ୟକୁ ସଂକଳିତ କରାଯାଇ ନାହିଁ ବୋଲି ତଥ୍ୟ ପ୍ରଦାନ କରାଯାଇଥିବା ପଣ୍ଡା କହିଛନ୍ତି । ସମ୍ବେଦନଶୀଳ ବିଷୟଗୁଡିକର ତଥ୍ୟକୁ ସଂକଳିତ କରି ରଖାନଯିବା ନିର୍ବାଚନ କମିଶନଙ୍କ କାର୍ଯ୍ୟଦକ୍ଷତା ଓ ନିଷ୍ଠା ଏକ ପ୍ରଶ୍ନ ଚିହ୍ନ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଭୋଟର ତାଲିକା ଗଣତନ୍ତ୍ରର ଆତ୍ମା ସହ ତୁଳନୀୟ । କିନ୍ତୁ ଭୋଟର ତାଲିକା ସମ୍ପର୍କରେ ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟକୁ ପ୍ରଦାନ କରିବାରେ ନିର୍ବାଚନ କମିଶନ ଟାଳଟୁଳ ନୀତି ଅବଲମ୍ବନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ପଣ୍ଡା କହିଛନ୍ତି ।