କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ପାଇଁ ସରକାର ସ୍ୱତନ୍ତ୍ର ବିଜ୍ଞାପନ ନୀତି ପ୍ରଣୟନ କରନ୍ତୁ : ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଗଠନର ଦାବି

  • କୋରାପୁଟରେ ସାଧାରଣ ପରିଷଦ ବୈଠକ

କୋରାପୁଟ : କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ପାଇଁ ସରକାର ସ୍ୱତନ୍ତ୍ର ବିଜ୍ଞାପନ ନୀତି ପ୍ରଣୟନ କରିବାକୁ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଗଠନ ପକ୍ଷରୁ ଦାବି ହୋଇଛି । କୋରାପୁଟସ୍ଥିତ ଶାବର ଶ୍ରୀକ୍ଷେତ୍ର ପ୍ରାଙ୍ଗଣରେ ସଂଗଠନର ସାଧାରଣ ପରିଷଦ ବୈଠକରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସମ୍ପାଦକମାନଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ କରାଯାଉ, ସରକାରୀ ସ୍ୱୀକୃତି ପାଇଁ ଆବେଦନ କରିଥିବା ସମ୍ବାଦପତ୍ରଗୁଡ଼ିକୁ କୋହଳ ମନୋଭାବ ପ୍ରକାଶ କରି ସରକାରୀ ସ୍ୱୀକୃତି ପ୍ରଦାନ କରାଯାଉ, ସ୍ୱୀକୃତି ପ୍ରଦାନ କ୍ଷେତ୍ରରେ ସ୍ୱଚ୍ଛତା ଅବଲମ୍ବନ କରାଯାଉ, ଓଡ଼ିଶାରେ ସାମ୍ବାଦିକ ଓ ସମ୍ପାଦକମାନଙ୍କ ପାଇଁ ପେନସନ ଓ ସୁରକ୍ଷା ଆଇନ ପ୍ରଣୟନ କରାଯାଉ, ସମ୍ପାଦକମାନଙ୍କୁ ଟୋଲ ଗେଟମାନଙ୍କରେ ନିଃଶୁଳ୍କ ଯାତାୟାତର ବ୍ୟବସ୍ଥା କରାଯାଉ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଓଡ଼ିଆ ସମ୍ବାଦପତ୍ରଗୁଡ଼ିକ ପ୍ରତି ବିଜ୍ଞାପନ ପ୍ରଦାନ କ୍ଷେତ୍ରରେ ସ୍ୱତନ୍ତ୍ର ନୀତି ନିର୍ଦ୍ଧାରଣ କରାଯାଉ, ସାମ୍ବାଦିକ ଅଧିସ୍ୱୀକୃତି କମିଟିକୁ କାର୍ଯ୍ୟକ୍ଷମ କରିବା ଇତ୍ୟାଦି ସମ୍ପର୍କରେ ଆଲୋଚନା ହୋଇ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଆସନ୍ତା ଦୁର୍ଗାପୂଜା ପରେ ଉପରୋକ୍ତ ଦାବିଗୁଡ଼ିକର ସମାଧାନ ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଥିଲା । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଯୋଗ ଦେଇଥିବା ସମ୍ପାଦକ ଓ ପ୍ରକାଶକମାନେ ଏହି ସଂଗଠନକୁ ଏକ ରାଷ୍ଟ୍ରୀୟ ସଂଗଠନରେ ପରିଣତ କରାଯିବ ବୋଲି ମତବ୍ୟକ୍ତ କରିଥିଲେ । ଏ ସମ୍ପର୍କରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ପ୍ରସ୍ତାବ ଗୃହିତ ହୋଇଥିଲା । ସଂଗଠନର ଅଧ୍ୟକ୍ଷ ତଥା ନବୀନର ସମ୍ପାଦକ ରବି ରଥ ଓ ସଂଗଠନର ମୁଖ୍ୟ ଉପଦେଷ୍ଟା ବିନୋଦ ମହାପାତ୍ରଙ୍କୁ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଠଗନର ରାଜ୍ୟ ସଭାପତି ବଂଶୀଧର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ ଯୋଗଦେଇ ଏହି ସଂଗଠନର ଇତିହାସ ଓ କାର୍ଯ୍ୟକଳାପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ସମ୍ପାଦକମାନଙ୍କ ଦାବି ଯୁକ୍ତିଯୁକ୍ତ ହୋଇଥିବାରୁ ଏ ସମ୍ପର୍କରେ ରାଜ୍ୟ ସରକାର ହସ୍ତକ୍ଷେପ କରିବା ଉଚିତ ବୋଲି କହିଥିଲେ । ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ପାତ୍ର ତାଙ୍କ ବକ୍ତବ୍ୟରେ ସମ୍ବାଦପତ୍ରଗୁଡ଼ିକର ଅନୁମୋଦନ ପାଇଁ ଏକ ସ୍ପଷ୍ଟ ନୀତି ପ୍ରଣୟନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସାଧାରଣ ସମ୍ପାଦକ ଜ୍ୟୋତି ରଂଜନ ମହାପାତ୍ର ଗତ ବୈଠକର ବିବରଣୀ ପାଠ କରିଥିଲେ । ସଂଗଠନର ମୁଖ୍ୟ ଉପଦେଷ୍ଟା ବିନୋଦ ମହାପାତ୍ର, ସଂଗଠନ ସମ୍ପାଦକ ଜଗଦୀଶ ମିଶ୍ର, ଅକ୍ଷୟ କୁମାର ନାୟକ, ଉପସଭାପତି ଅକ୍ଷୟ କୁମାର ନାୟକ, ସହ ସମ୍ପାଦକ ସ୍ୱଦେଶ ଦାଶ ଓ ରମାକାନ୍ତ ପରିଜା ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଣେଶ ଚନ୍ଦ୍ର ବିଷୋୟୀ, ପ୍ରକାଶ ଚନ୍ଦ୍ର ଖଟୋଇ, ତପନ କୁମାର ପତି, ଚିତ୍ତରଂଜନ ସ୍ୱାଇଁ, ଅନିଲ କୁମାର ସାହୁ, ସରୋଜ ରଂଜନ ପଟ୍ଟନାୟକ, ସୁଶାନ୍ତ କୁମାର ସାହୁ, ସଂଜୟ କୁମାର ଓଝା, ବିଷ୍ଣୁପ୍ରିୟା ସାହୁ, ସତ୍ୟ ନାରାୟଣ ନାୟକ, ବାବୁଲି ବେହେରା ପ୍ରମୁଖ ଆଲୋଚନାରେ ଭାଗ ନେଇ ସମ୍ପାଦକମାନଙ୍କ ବିଭିନ୍ନ ସମସ୍ୟା ଉପସ୍ଥାପିତ କରିଥିଲେ । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୪୦ରୁ ଅଧିକ ସମ୍ପାଦକ, ପ୍ରକାଶକ ଯୋଗ ଦେଇଥିଲେ ।

Leave A Reply

Your email address will not be published.