ଇଚ୍ଛାପଡ଼ାରେ କଣ୍ଟାବାଞ୍ଜି ବିଧାୟକଙ୍କ ଦ୍ଵାରା ୫ଟି ପଞ୍ଚାୟତର ୭୧ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଇଚ୍ଛାପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋମବାର କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ଦ୍ଵାରା ୫ଟି ପଞ୍ଚାୟତର ୭୧ଜଣ ନୂତନ ହିତାଧିକାରୀଙ୍କୁ ବିଭିନ୍ନ ପ୍ରକାରର ଭତ୍ତା ବଣ୍ଟନ କରାଯାଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତଥା ବ୍ଲକ ପ୍ରଶାସନ ପକ୍ଷରୁ ଏହି ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଇଚ୍ଛାପଡ଼ା ପଞ୍ଚାୟତର ୨୫ଜଣ, ଚଲକି ପଞ୍ଚାୟତର ୧୫ଜଣ, ବଡ଼ସାଇମରା ପଞ୍ଚାୟତର ୧୭ଜଣ, ବାନ୍ଦୁପଲା ପଞ୍ଚାୟତର ୭ଜଣ ଓ ଗୁଡିଘାଟ ପଞ୍ଚାୟତର ମଧ୍ୟ ୭ଜଣ ନୂତନ ହିତାଧୀକାରୀଙ୍କୁ ବିଭିନ୍ନ ପ୍ରକାରର ଭତ୍ତା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ବାଗ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ବିଡ଼ିଓ ବାସନ୍ତୀ ସେଠୀ, ଇଚ୍ଛାପଡ଼ା ସରପଞ୍ଚ ସୁବାସିନୀ ବେହେରା, ସମିତି ସଭ୍ୟ ତୋଫାନ ନାଗ, ବିଧାୟକଙ୍କ ବ୍ଲକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ବିଏସ୍‌ଏସ୍‌ଓ ରିଙ୍କୁ ମେହେର, ପିଇଓ ମିଳନ ରାଜପଲିଆ, ପ୍ରକାଶ ପନିକା, ଚନ୍ଦ୍ରିକା ସେଠ୍ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ବ୍ଲକ କର୍ମଚାରୀ ଓ ୫ଟି ପଞ୍ଚାୟତର କର୍ମଚାରୀ ସହଯୋଗ କରିଥିଲେ । ବ୍ଲକର ୨୨ଟି ପଞ୍ଚାୟତରେ ମୋଟ ୨ଶହ ଜଣ ନୂତନ ହିତାଧିକାରୀଙ୍କ ଭତ୍ତା ମଞ୍ଜୁର ହୋଇଥିବା ବେଳେ ପର୍ଯ୍ୟାୟକ୍ରମେ ଏହା ବଣ୍ଟନ କରାଯିବ ବୋଲି ବିଏସ୍‌ଏସ୍‌ଓ ଶ୍ରୀ ମେହେର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.