ବିଶ୍ୱାତ୍ମ ବିଦ୍ୟା ମନ୍ଦିରର ୩୦ତମ ପ୍ରତିଷ୍ଠା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱାତ୍ମ ବିଦ୍ୟା ମନ୍ଦିର ବଲାଙ୍ଗିରର ୩୦ତମ ପ୍ରତିଷ୍ଠା ଦିବସ ତଥା ପୂଜ୍ୟପାଦ ସଦ୍‌ଗୁରୁଦେବ ପରମହଂସ ସ୍ୱାମୀ ଶ୍ରୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ଵତୀ ଜୀ ମହାରାଜଙ୍କ ୭୦ତମ ଜନ୍ମ ଦିବସ ଅତ୍ୟନ୍ତ ହର୍ଷୋଲ୍ଲାସ ପୂର୍ବକ ଭବ୍ୟତାର ସହିତ ଆନନ୍ଦ ନିକେତନ ଆଶ୍ରମ, ଖୁଜେନପାଲି ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୂଜ୍ୟ ଗୁରୁଦେବଙ୍କ ଦିବ୍ୟ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ ହୋଇଥିଲା । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଓଡିଶାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ରାୟପୁର ବିଧାୟକ ପୁରନ୍ଦର ମିଶ୍ର, ଛତିଶଗଡ଼ ବିଧାୟିକା ଲୈଲୁଙ୍ଗା, ଛତିଶଗଡ଼ ଶ୍ରୀମତଷ ବିଦ୍ୟାବତି, ପୂଜ୍ୟ ପଣ୍ଡିତ ସଦନ ତିୱାରୀ ଜୀ, କୋମନା, ନୂଆପଡା, ବଲାଙ୍ଗିର ବି.ଇ.ଓ ଦିଲୀପ ଯୋଶୀ, ବିଶିଷ୍ଟ ସମାଜସେବୀ ଗୋପାଳଜୀ ପାଣିଗ୍ରାହୀଙ୍କ ସହିତ ବିଶ୍ୱାତ୍ମ ଚେତନା ପରିଷଦର‌ ସାଧାରଣ ସମ୍ପାଦକ ସ୍ୱାମୀ ସତ୍ୟବେଦାନନ୍ଦ ସରସ୍ଵତୀଜୀ, ସହ ସମ୍ପାଦକ ସ୍ୱାମୀ ସତ୍ୟପ୍ରେମାନନ୍ଦ ସରସ୍ୱତୀଜୀ, ବିଦ୍ୟାମନ୍ଦିର ସମ୍ପାଦକ ନବୀନ କୁମାର ବେଦବାକ୍, ବିଦ୍ୟାଳୟ ପ୍ରାଚାର୍ଯ୍ୟ ଡଃ ସୁଶାନ୍ତ କୁମାର ପ୍ରଧାନ ଏବଂ ପ୍ରଧାନ ଆଚାର୍ଯ୍ୟ ତରୁଣ କୁମାର ତ୍ରିପାଠୀ ଯୋଗଦେଇଥିଲେ । ସଭା ପ୍ରାରମ୍ଭରେ ସ୍ୱାଗତ ସଂଗୀତ ପରେ ସ୍ୱାମୀ ସତ୍ୟବେଦାନନ୍ଦ ସରସ୍ଵତୀଜୀ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବିଶ୍ୱାତ୍ମ ବିଦ୍ୟା ମନ୍ଦିରର ଶୈକ୍ଷିକ ତଥା ଆଧ୍ୟାତ୍ମିକ ଗୁରୁକୂଳ ପରଂପରା ଶିକ୍ଷା ବ୍ୟବସ୍ଥାକୁ ଭୂୟସୀ ପ୍ରଶଂସା କରିଥିଲେ । ପୂଜ୍ୟ ଗୁରୁଦେବ ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ଵତୀଜୀ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ଆଦର୍ଶ ମନୁଷ୍ୟ ହେବା ପାଇଁ ଅନୁପ୍ରାଣିତ କରିବା ସହ ବିଶ୍ୱାତ୍ମ ବିଦ୍ୟାମନ୍ଦିର ନୂତନ ପ୍ରତିଭା ସୃଜନ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଥିବ ବୋଲି ନିଜ ଆଶୀର୍ବଚନରେ କହିଥିଲେ । ପ୍ରତିଷ୍ଠା ଦିବସ ଅବସରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପ୍ରଜ୍ଞା ପୁରସ୍କାର ବିଭିନ୍ନ ବିଭାଗରେ ବିତରଣ କରିଯାଇଥିବା ବେଳେ ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ବିଦ୍ୟା ମନ୍ଦିରର ଶ୍ରେଷ୍ଠ ଛାତ୍ର ସମ୍ମାନ ପ୍ରାଥମିକ ସ୍କୁଲ୍ ସ୍ତରରେ ରାଧିକା ବରାଇ ଓ ହାଇସ୍କୁଲ ସ୍ତରରେ ସୁଶ୍ରୀତା ନାଏକଙ୍କୁ ଓ ଶ୍ରେଷ୍ଠ ଅଲରାଉଣ୍ଡର ପୁରସ୍କାର ସରୋଜ ପଧାନଙ୍କୁ ପ୍ରଦାନ କରାଯାଇଥିଲା । ‘ଉକିଆ ବଗର୍ତି ସମ୍ମାନ’ ଗୁଡ଼ଲି ପାଣିଗ୍ରାହୀଙ୍କୁ, ‘ସୁଷମା ମିଶ୍ର ସ୍ମୃତି ସମ୍ମାନ’ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାର ଶ୍ରେଷ୍ଠ ତିନି ଛାତ୍ରୀ — ସୁଶ୍ରୀତା ନାଏକ, କୁସୁମ ନେଗି ଓ ଖୁସିମୟୀ ସାହୁଙ୍କୁ ଏବଂ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାର ଶ୍ରେଷ୍ଠ ମାର୍କ ବିଭାଗରେ ଏବଂ ମାତୃଭାଷା ଓଡ଼ିଆରେ ଶ୍ରେଷ୍ଠ ମାର୍କ ପାଇଁ “ମାଂଗେରାମ ସ୍ମୃତି ସମ୍ମାନ” — ସରୋଜ ପଧାନ, ସୁଶ୍ରୀତା ନାଏକ, ଶ୍ରୀତମ ମେହେର ଏବଂ ସ୍ୱିଟି ମେହେରଙ୍କୁ ପୂଜ୍ୟପାଦ ଗୁରୁଦେବ ଓ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ମଞ୍ଚରେ ସମ୍ମାନିତ କରାଯାଇଥିଲା । ଆଦର୍ଶ ଅଭିଭାବକ ଭାବରେ ପ୍ରଶାନ୍ତ ଶତପଥୀ, ଅଭିଭାବିକା ଶ୍ରୀମତୀ ରଞ୍ଜିତା ମିଶ୍ର ଏବଂ ଆଦର୍ଶ ଶିକ୍ଷକ ପ୍ରାଇମେରୀ ସ୍ତରରେ ଚରଣ ସା ଏବଂ ହାଇସ୍କୁଲ ସ୍ତରରେ ରାଜାରାମ ପୁରୋହିତଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଭବ୍ୟ ତଥା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା । ପରିଶେଷରେ ବିଦ୍ୟା ମନ୍ଦିର ଆଚାର୍ଯ୍ୟ ଡଃ. ସୁଶାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟା ମନ୍ଦିର ସଂଯୋଜକ ସମ୍ବିତ୍ କୁମାର ସଂଯୋଜନା କରିଥିଲେ ।

Leave A Reply

Your email address will not be published.