ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ରମେଶ ଚନ୍ଦ୍ର ମହାନନ୍ଦଙ୍କୁ ବୁଧବାର କଲେଜ ପରିସରରେ ସ୍ଵତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା । ସେ ଆମେରିକାର କେମ୍ବ୍ରିଜ୍ ଡିଜିଟାଲ ବିଶ୍ଵବିଦ୍ୟାଳୟରୁ ଡକ୍ଟରେଟ ଉପାଧି ଲାଭ କରି ଫେରିଥିବାରୁ ତାଙ୍କୁ ମୁରିବାହାଲର ବିଭିନ୍ନ ସଙ୍ଗଠନ ପକ୍ଷରୁ ଏହି ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସେ ଅଞ୍ଚଳର ଜଣେ ଶିକ୍ଷାବିତ, ସଂଯୋଜକ, ସୁବକ୍ତା, ସଙ୍ଗୀତଜ୍ଞ, କଣ୍ଠଶିଳ୍ପୀ ଓ ଜଣେ ସମାଜସେବୀ ଭାବରେ ଦୀର୍ଘଦିନରୁ ସୁପରିଚିତ । ସେ ରାଜନୀତି ବିଜ୍ଞାନ ବିଭାଗର ଜଣେ ବରିଷ୍ଠ ଅଧ୍ୟାପକ ଅଟନ୍ତି । ତାଙ୍କ ଅଧ୍ୟାପନା କାର୍ଯ୍ୟର ଦୀର୍ଘ ୩୪ ବର୍ଷର ଚାକିରୀ କାଳରେ ଅନେକ ଛାତ୍ରଛାତ୍ରୀ ଉତ୍କୃଷ୍ଟ ରୂପେ କୃତକାର୍ଯ୍ୟ ହୋଇ ବିଭିନ୍ନ ସରକାରୀ ତଥା ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି । ଗତ ୩୦ ତାରିଖ ଦିନ ଯୁକ୍ତରାଷ୍ଟ୍ର ଆମେରିକା ସ୍ଥିତ ପୃଥିବୀ ପ୍ରସିଦ୍ଧ କେମ୍ବ୍ରିଜ ଡିଜିଟାଲ ୟୁନିଭର୍ସିଟି ତାଙ୍କୁ ସମ୍ମାନଜନକ ଡ଼କ୍ଟରେଟ ଉପାଧିରେ ଭୂଷିତ କରିଛନ୍ତି । ଏହି ଖବର ପ୍ରଚାର ହେବା ମାତ୍ରେ ନିଜ ଅନୁଷ୍ଠାନରେ ତଥା ସାରା ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଥିଲା । ଏହି ଅବସରରେ ବୁଧବାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ କରାଯାଇ ତାଙ୍କୁ ସ୍ଵତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ ବିଡିଓ ବାସନ୍ତୀ ସେଠୀ, କଲେଜ ପ୍ରତିଷ୍ଠାତା ସମ୍ପାଦକ ଧନଞ୍ଜୟ ପଧାନ, ଅଧ୍ୟାପକ ଦିଲ୍ଲୀପ ପଶାୟତ, ମୁରିବାହାଲ ସରପଞ୍ଚ ବିଶ୍ୱବିହାରୀ ଯୋଶୀ, ବରିଷ୍ଠ ସାମ୍ବାଦିକ ଭଗବାନ ମହାନ୍ତି, ଅର୍ଥ ଅଧିକାରୀ ଘେନୁରାମ ତାଣ୍ଡି, ଏସ୍ବିଆଇ ବିଏମ୍ ଚକ୍ରଧର ସାହୁ, ୟୁଜିବି ବିଏମ୍ ରତିକାନ୍ତ ସାହୁ, ଗୋପବନ୍ଧୁ ଯୁବକ ସଂଘରୁ ଜିତେନ୍ଦ୍ରିୟ ଭୋଇ, ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ଯୁଧିଷ୍ଠିର ବଘାର, ଧନୁଯାତ୍ରା ମହୋତ୍ସବ କମିଟି ପକ୍ଷରୁ ନାରାୟଣ ସାହୁ, ଶ୍ରୀରାମ ଲୀଳା ପ୍ରଚାର ଓ ପ୍ରସାର କମିଟି ପକ୍ଷରୁ ଶାନ୍ତାରାମ୍ ପଧାନ, ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ସଭାପତି ଦୁର୍ଗାନନ୍ଦ ମହାକୁର, ସାମ୍ବାଦିକ ସଂଘ ପକ୍ଷରୁ କେଦାର ବଡଜେନା, ସମାଜସେବୀ ସିଦ୍ଧେଶ୍ଵର ଦାସ, ବନବିହାରୀ ଯୋଶୀ, ଅମଲେନ୍ଦୁ ଦାସ, ଡିଏଭି କଲେଜ ଗ୍ରନ୍ଥରକ୍ଷକ ରତ୍ନାକର ନାଏକ, ଅଧ୍ୟାପକ ଗୁଣସାଗର ମେହେର ଓ ସୋମେଶ ଦତ୍ତ ହୋତା ପ୍ରମୁଖ ଉପସ୍ଥିତ ରହି ଶ୍ରୀ ମହାନନ୍ଦଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବରିଷ୍ଠ ଇଂରାଜୀ ଅଧ୍ୟାପକ ହୃଦାନନ୍ଦ ପୁହାଣଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ପୂଜାରାଣୀ ରଥ ଓ ଗ୍ରନ୍ଥରକ୍ଷକ ଶାନ୍ତାରାମ ପଧାନ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ବିକ୍ରମ ତାଣ୍ଡି ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।
Next Post