ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ରାଉରକେଲାର କେଶବ ନଗର ସ୍ଥିତ ସେକ୍ଟର ୬ ଭକ୍ତି ଜ୍ଞାନ ବୈରାଗ୍ୟ ଶାଖା ଆନୁକୂଲ୍ୟରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ଓ ଭାଗବତ କଥାମୃତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପୁଷ୍ପଲତା ସାହୁଙ୍କ ଆବାହକତ୍ୱ ଓ ଲଳିତା ବେହେରା ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି ଓ ଶିକ୍ଷାବିତ ବିଜୟିନୀ ଜେନା ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାଗବତ କଥାମୃତ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ କହିଲେ ଯେ ମା’ଙ୍କ ଇଛାକୁ ପୂର୍ଣ୍ଣ କରିବାକୁ ଯାଇ ଜଗନ୍ନାଥ ଦାସ ରଚନା କରିଥିଲେ ଓଡ଼ିଆ ଭାଗବତ । ଯାହା ସଂସ୍କୃତରୁ ରୂପାନ୍ତରିତ ହୋଇଥିଲା । ଏଣୁ ମା ପଦ୍ମାବତୀଙ୍କ ଅନ୍ତର୍ନିହିତ ଭାବନା ପରିପ୍ରକାଶରେ ସମିଶ୍ରିତ ଥିଲା ଉତ୍କଳର ଅଗଣିତ ଜନତାର ଅନ୍ତସ୍ୱର । ମା’ ର ଆଶିଷ ଓ ପ୍ରଭୁ ଜଗନ୍ନାଥଙ୍କ ଅଭୟବାଣୀକୁ ପାଥେୟ କରି ବ୍ୟାସଦେବ କୃତ, ସଂସ୍କୃତ ଭାଷାରେ ରଚିତ ଭାଗବତର କଲେ ଅନୁସୃଜନ । ଏହା ସହ ସେ ଶ୍ରୀଚୈତନ୍ୟଙ୍କ ସହ ସମ୍ପର୍କ ନେଇ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଶ୍ରୀମତୀ ଜେନା ତାଙ୍କ ବକ୍ତବ୍ୟରେ ଭାଗବତକୁ ଓଡ଼ିଆ ଭାଷା ସାହିତ୍ୟର ବିଭବ ବୋଲି ମତ ରଖିବା ସହ ପାରିବାରିକ, ସାମାଜିକ, ଗୋଷ୍ଠିଗତ ଜୀବନକୁ କିପରି ଉନ୍ନତ କରିଥିଲା, ଅବଧୂତଙ୍କ ୨୪ ଶ୍ରେଷ୍ଠ ଗୁରୁଙ୍କ ତଥା ସେମାନଙ୍କ ଦ୍ୱାରା କିପରି ପ୍ରଭାବିତ ଓ ଭାଗବତ ପଢ଼ିଲେ କିପରି ନୈତିକ ମୂଲ୍ୟବୋଧ ବଢେ ସେ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ପ୍ରମିଳା ଖଣ୍ଡେଇ ସ୍ୱାଗତ ସଂଗୀତ ଗାନ କରିଥିଲେ । ସଂଯୋଜିକା ଶ୍ରୀମତୀ ବେହେରା କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବିଜୟଲକ୍ଷ୍ମୀ ମହାରଣା, ଲିଲି ବେହେରା, ଅଞ୍ଜଳି ନାଥ, କୈଳାଶୀ ସାହୁ, ପଦ୍ମାବତୀ ସାହୁ, ନୟନାରାଣୀ ପଣ୍ଡା, ମାମିତା ନାହାକ, ସୁଜାତା ସେଠୀ, ପଙ୍କଜିନୀ ସେଠ୍, ସଂଗୀତା ସେଠ୍, ସାଜି ସୁନିଲ, ଭବାନୀ ସାହୁ, ଅନ୍ନପୂର୍ଣ୍ଣା ସାହୁ, ଅନ୍ନପୂର୍ଣ୍ଣା ବେହେରା, ନିରୁପମା ମଙ୍ଗରାଜ, ମୋନାଲିସା ଗିରି, ଜୟଶ୍ରୀ ବିଶ୍ୱାଳ, ସୀମାଞ୍ଚଳ ମହାରଣା, ରାଜକୁମାର ନାଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ନୟନାରାଣୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post