- ସାମିଲ ହେଲେ ଡେପୁଟି କମିଶନର
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଟିମ୍ କ୍ଲିନ୍ ସିଟି ପକ୍ଷରୁ ବ୍ରହ୍ମପୁର ସହରର ସୌନ୍ଦଯ୍ୟ ବୃଦ୍ଧି କରିବା ଦିଗରେ ନିଜ ଉଦ୍ୟମ ଜାରି ରଖିଛି । ପ୍ରତି ରବିବାର ଭଳି ଗତକାଲି ମଧ୍ୟ ଟିମ୍ ପକ୍ଷରୁ ପୋଷ୍ଟର ଚିରା ଅଭିଯାନ କରାଯାଇଥିଲା । ପ୍ରଥମେ ସମସ୍ତ ସଦସ୍ୟ ସ୍ଥାନୀୟ ବଡ଼ ମେଡ଼ିକାଲ୍ (ଏମକେସିଜି) ମୁଖ୍ୟ ଫାଟକ ସମ୍ମୁଖରେ ଏକାଠି ହୋଇଥିଲେ । ପରେ ଉକ୍ତ ସ୍ଥାନ ଠାରୁ ଖୋଡାସିଙ୍ଗି ପର୍ଯ୍ୟନ୍ତ କାନ୍ଥ ଓ ଗଛ ଗୁଡିକରେ ଲାଗିଥିବା ପୋଷ୍ଟର, ବ୍ୟାନର ଆଦିକୁ ବାହାର କରିଥିଲେ ସଦସ୍ୟ ଗଣ । ଏହି ଅଭିଯାନରେ ବ୍ରହ୍ମପୁର ମହାନଗର ନିଗମର ଡେପୁଟୀ କମିଶନର କଲ୍ୟାଣି ସଂଘମିତ୍ରା ଦେବୀ ସାମିଲ ହୋଇ ଇଞ୍ଜିନିୟର ସ୍କୁଲ ଛକ ସ୍ଥିତ ବସ୍ ଷ୍ଟପରେ ଲାଗିଥିବା ପୋଷ୍ଟର ଗୁଡିକୁ ଚିରିବା ସହ ଅଳିଆ ଆବର୍ଜନାକୁ ସଦସ୍ୟଙ୍କ ସହ ମିଶି ଝାଡୁ ଜରିଆରେ ସଫେଇ କରିଥିଲେ । ରେଶମ ସହର ବ୍ରହ୍ମପୁରକୁ ସ୍ଵଛ, ସବୁଜ ଓ ସୁନ୍ଦର ଭାବେ ଗଢି ତୋଳିବାକୁ ଟିମର ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହି ଆଗାମୀ ଦିନରେ ଏହାକୁ ଜାରି ରଖିବାକୁ ପରାମର୍ଶ ଦେଇ ଉତ୍ସାହିତ କରିଥିଲେ । ପୋଷ୍ଟର ବାହାର କରାଯିବା ପରେ ପଡୁଥିବା ଅଳିଆ ଆବର୍ଜନାକୁ ମହାନଗର ନିଗମ ପକ୍ଷରୁ କିଭଳି ସଫେଇ କରାଯିବ ସେନେଇ ଗୁରୁତ୍ୱ ଦେବାକୁ ସାମିଲ ସଦସ୍ୟ ମାନେ ଡେପୁଟୀ କମିଶନରଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ଟି.ସି.ସିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ପୂର୍ବରୁ ଟିମ୍ କ୍ଲିନ୍ ସିଟିର ଏହି କାର୍ଯ୍ୟକୁ ମହାନଗର ନିଗମର କମିଶନର ପ୍ରଥମେଶ ଅରବିନ୍ଦ ରାଜସିର୍କେ ଖୁବ୍ ପ୍ରଶଂସା କରିଥିଲେ ।