ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ରାଉରକେଲା ଜିଲ୍ଲା କଂଗ୍ରେସ କମିଟିର ସଭାପତି ଜ୍ଞାନେନ୍ଦ୍ର ଦାସ ସେକ୍ଟର ୨୧ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରାଉରକେଲା ବିମାନ ବନ୍ଦରରୁ ଗତ ଏକମାସରୁ ଅଧିକ କାଳ ହେଲା ବନ୍ଦ ଥିବା ବିମାନ ଚଳାଚଳକୁ ଯଥାଶୀଘ୍ର ଆରମ୍ଭ କରିବାକୁ ଦାବି କରିଥିଲେ । ସେ କହିଥିଲେ ସମସ୍ତ ଭିତ୍ତିଭୂମି ଥାଇ ରାଉରକେଲା ବିମାନ ବନ୍ଦରକୁ ଅଣଦେଖା କରାଯାଉଛି । ରାଉରକେଲା ବିମାନ ବନ୍ଦରର ସମ୍ପ୍ରସାରଣ ଏବଂ ଉନ୍ନତ ମାନର ବିମାନ ସେବା ରାଉରକେଲା ବାସୀଙ୍କର ଅନେକ ଦିନରୁ ଦାବି ରହିଆସିଛି ଏବଂ ବିଭିନ୍ନ ସମୟରେ ସ୍ଥାନୀୟ ଜନପ୍ରତିନିଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଏ ଦାବି ଯଥାର୍ଥ ବୋଲି ସ୍ୱୀକାର କରି ଦାବି ପୁରଣର ପ୍ରତିଶୃତି ମଧ୍ୟ୍ୟ ମିଳିଛି । କିନ୍ତୁ ବିଡମ୍ବନାର ବିଷୟ ରାଉରକେଲାବାସୀଙ୍କୁ ଏହି ପ୍ରତିଶୃତି ବଦଳରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତାରଣା ହିଁ ମିଳିଛି ଏବଂ ଦୁଃଖ ଓ ପରିତାପର ବିଷୟ ସ୍ଥାନୀୟ ଜନପ୍ରତିନିଧି ମାନେ ମଧ୍ୟ୍ୟ ମୁହଁ ବନ୍ଦ ରଖିଛନ୍ତି । ସବୁଠାରୁ ଦୁର୍ଭାଗ୍ୟର କଥା ଗତ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ରାଉରକେଲାରୁ ବିମାନ ସେବା ବନ୍ଦ ରହିଥିବା ସମୟ ରେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ରେ ଷ୍ଟାର ଏଆରଲାଇନ ନାମକ ସଂସ୍ଥା ଝାରସୁଗୁଡାରୁ ଦେଶର ବିଭିନ୍ନ ସ୍ଥାନକୁ ନୂଆ କରି ବିମାନସେବା ଯୋଗାଇବ ବୋଲି ଘୋଷଣା କରାଯାଇ ତାର ପ୍ରଚାର ପ୍ରସାର ପାଇଁ ରାଉରକେଲାର ବିଭିନ୍ନ ସ୍ଥାନମାନଙ୍କରେ ବିଜ୍ଞାପନ ହୋର୍ଡିଙ୍ଗ ମାନ ଲଗାଯାଇଛି । ସରକାରଙ୍କ ଦ୍ୱାରା ରାଉରକେଲାରେ ଏହି ଵିଜ୍ଞାପନ ଦ୍ୱାରା ପ୍ରଚାର ରାଉରକେଲା ବାସୀଙ୍କ କଟା ଘା’ ରେ ଲୁଣ ସଦୃଶ ବୋଲି ଶ୍ରୀ ଦାସ ଉଦବେଗର ସହିତ କହିଛନ୍ତି । ପ୍ରଶାସନ ଦ୍ୱାରା ଏହି ହୋର୍ଡିଙ୍ଗ ସବୁ ଖୋଲା ନ କାରାଗଲେ ଆଗାମୀ ଦିନରେ କଂଗ୍ରେସ କର୍ମୀ ମାନେ ଏହି ହୋର୍ଡିଙ୍ଗ ସବୁକୁ ଚିରି ଦେବେ ବୋଲି ଶ୍ରୀ ଦାସ ଚେତାବନୀ ଦେଇଥିଲେ । ଝାରସୁଗୁଡାରୁ ବାଙ୍ଗାଲୋର ଏବଂ ଭୁବନେଶ୍ୱର ଆଦି ସ୍ଥାନକୁ ଚାଲୁଥିବା ବିମାନ ଯାତ୍ରୀଙ୍କ ମଧ୍ୟରୁ ୬୦% ରୁ ଅଧିକ ଯାତ୍ରୀ ରାଉରକେଲାର ହୋଇଥିବା ବେଳେ ରାଉରକେଲାରୁ କାହିଁକି ସେମାନେ ବିମାନ ସେବା ପାଇବେନି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଥିଲେ । ରାଉରକେଲାକୁ କେବଳ ସ୍ମାର୍ଟ ସହର ଘୋଷଣା କରାଯାଇଛି କିନ୍ତୁ କୌଣସି କ୍ଷେତ୍ରରେ ଆମ ସହର ସ୍ମାର୍ଟ ହୋଇନାହିଁ , ଆମ ସହରବାସୀ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବାରେ ବାଧକ ସାଜୁଛି ବିମାନ ସେବା । ଉଭୟ କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନ ସରକାରଙ୍କର ଆମ ରାଉରକେଲା ପ୍ରତି କାହିଁକି ଏପରି ବୈମାତୃକ ମନୋଭାବ ? ସ୍ଥାନୀୟ ଜନପ୍ରତିନିଧି ମାନେ କାହିଁକି ନୀରବ ? ସରକାରୀ ଦଳରେ ଥିବା ଆମ ସହରର ନେତୃବୃନ୍ଦ କଣ ପାଇଁ ଏତେ ଅସହାୟ ? ଆମ ରାଉରକେଲାର ବିମାନ ବନ୍ଦରକୁ ସମ୍ପ୍ରସାରଣକୁ ରୋକିବାକୁ ଷଡଯନ୍ତ୍ର ହେଇନି ତ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଥିଲେ । ଆସନ୍ତା ୨୬ ତାରିଖ ମଙ୍ଗଳବାର ଦିନ ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଦିଆଯାଇ ମୁଖ୍ୟମନ୍ତ୍ରୀ ଗତ ରାଉରକେଲା ଗ୍ରସ୍ତ ସମୟରେ ରାଉରକେଲାବାସୀଙ୍କୁ ଦେଇଥିବା ପ୍ରତିଶୃତିକୁ ମନେପକେଇବାକୁ ପ୍ରୟାସ କରାଯିବ । ଆଗକୁ ଏହି ଦାବିକୁ ନେଇ ରାଉରକେଲାରେ ଜିଲ୍ଲା କଂଗ୍ରେସ ତାର ଆନ୍ଦୋଳନ ତୀବ୍ର କରିବ ବୋଲି ଶ୍ରୀ ଦାସ ତାଙ୍କ ବାର୍ତ୍ତାରେ କହିଥିଲେ । ଏହି ଅବସରରେ କଂଗ୍ରେସ ଦଳ ରାଉରକେଲା ସହରବାସୀଙ୍କ ନ୍ୟାର୍ଯ୍ୟ ଦାବିକୁ ନେଇ ଲଢେଇରେ ରାଉରକେଲା ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନ, ସମାଜସେବୀ ସଂଗଠନ ଏବଂ ସଚେତନ ନାଗରିକ ଓ ବୁଦ୍ଧିଜୀବୀମାନଙ୍କ ସହଯୋଗ ପାଇଁ ନିବେଦନ କରିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାସ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେରେ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ସନ୍ତୋଷ କୁମାର ବିଶ୍ୱାଳ , ବରିଷ୍ଠ ନେତା ସବୀର ହୁସେନ, ନିହାର ଦାସ, ବ୍ଲକ ସଭାପତି ରଘୁନାଥ ଦାସ , ନାୱାବ ଅଖତାର ଏବଂ ଯୁବ ନେତା ଇସ୍ତେହାର ମୋହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ ।
