jayashree

ଧିମେଇ ଯାଇଛି ଘଣ୍ଟାପଡା‐ବସାଶଙ୍କର ଘାଟ ତେଲନଦୀ ସେତୁ : ସରିଛି ନିର୍ମାଣ ଅବଧି, ଅଧିକାଂଶ କାର୍ଯ୍ୟ ରହିଛି ବାକି

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡା‐ବସାଶଙ୍କର ଘାଟ ତେଲନଦୀ ଉପରେ ବିଜୁ ସେତୁ ଶିଳାନ୍ୟାସ ହେବାର ୩ ବର୍ଷ ପରେବି ସଂପୂର୍ଣ୍ଣ ହୋଇ ପାରୁନି ପ୍ରକଳ୍ପ । କେବେ ସରିବ ଘଣ୍ଟାପଡା‐ବସାଶଙ୍କର ଘାଟର ତେଲ ନଦୀ ସେତୁ କାମ । ଗତବର୍ଷ ଅଗଷ୍ଟ ମାସରେ କାମ ସରିବା କଥା । କିନ୍ତୁ ମୋଟ ୧୫ଟି ସ୍ଲାପ ମଧ୍ୟରୁ ବର୍ତ୍ତମାନ ସୁଧ୍ୟା ୪ଟି ସ୍ଲାପ କାମ ସରିଥିବା ବେଳେ ଆହୁରୀ ୧୧ଟି ପିଲର କାମ ବାକି ରହିଛି । ସ୍ଥାନୀୟ ଲୋକଙ୍କ ମଙ୍ଗଳ ପାଇଁ ନାବାର୍ଡ ଠାରୁ ଲୋନ ଆଣି ସେତୁ ନିର୍ମାଣ କରାଯାଉଛି । କିନ୍ତୁ କିଛି ଅସାଧୁ କର୍ମଚାରୀ ଓ ଠିକାଦାରଙ୍କ ପ୍ରିୟାପ୍ରିତି ଯୋଗୁଁ କାମ ଧିମେଇ ଯାଇଥିବା ଜଣାଇଛନ୍ତି ସ୍ଥାନୀୟ ବାସୀନ୍ଦା । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨୧ କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୧୮ ମସିହାରୁ ନିର୍ମାଣ ଚାଲିଛି ଏହି ସେତୁ କାମ । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ବାଣିଜ୍ୟ କ୍ଷେତ୍ରରେ ବଲାଙ୍ଗୀର ସହ ଯୋଡି ହେବାପାଇଁ ଏହି ରାସ୍ତା ଅଞ୍ଚଳବାସୀଙ୍କ ଏକ ପ୍ରମୁଖ ରାସ୍ତା ପାଲଟିଛି । ଏହି ରାସ୍ତେଦେଇ ବଲାଙ୍ଗୀର ସହରକୁ ୩୦କିମି ହେଉଥିବା ବେଳେ ସୋନପୁର ଦେଇ ଯାତାୟତ କଲେ ୧୦୦ କିମି ହେଉଛି । ସେତୁ ସଂପୂର୍ଣ୍ଣ ହୋଇ ନଥିବାରୁ ଲୋକେ ବାଧ୍ୟ ହୋଇ ବର୍ଷ ତମାମ୍ ଦେଶୀ ଡଙ୍ଗା ସାହାରାରେ ବିପଦ ପୂର୍ଣ୍ଣ ଯାତ୍ରା କରିଥାନ୍ତି । ବର୍ଷା ଦିନରେ ଛାତ୍ରଛାତ୍ରୀ ଏବଂ ଗର୍ଭବତୀ ରୋଗୀଙ୍କୁ ବିପଦପୂର୍ଣ୍ଣ ଯାତ୍ରା କରିବାକୁ ପଡିଥାଏ ।

ଏହି ସେତୁ ନିର୍ମାଣ ହେଲେ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ୯ଟି ପଞ୍ଚାୟତର ପ୍ରାୟ ୫୦ ହଜାର ଜନସାଧାରଣ ଉପକୃତ ହେବେ । କିନ୍ତୁ ବିଭାଗୀୟ ଅଧିକାରୀ ଏବଂ କାମ ତଦାରଖ କରୁଥିବା ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତରା ଯୋଗୁଁ ନିର୍ମାଣ କାମ ବିଳମ୍ବ ହେଉଥିବାରୁ ଏଥିପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଲୋକେ । ଠିକାସଂସ୍ଥା ପକ୍ଷରୁ କମ ସଂଖ୍ୟକ ଶ୍ରମିକ ନିୟୋଜନ କରାଯାଉ ଥିବାରୁ କାମର ବିଳମ୍ବ ହେଉଥିବା ଜଣାଇଛନ୍ତି ଅଞ୍ଚଳବାସୀ । ବର୍ତ୍ତମାନ ସମୟରେ ଲୋକେ ଦେଶୀ ଡଙ୍ଗା ଉପରେ ଯିବା ଆସିବା କରୁଛନ୍ତି । କେବେ ସରିବ ସେତୁ ନିର୍ମାଣ ଏବଂ ପୂରଣ ହେବ ଜନସାଧାରଣଙ୍କ ଅସୁମାରୀ ସ୍ବପ୍ନ ତାହାକୁ ଅପେକ୍ଷା କରିଛନ୍ତି ଅଞ୍ଚଳବାସୀ । ଏନେଇ କଣ୍ଟାମାଳ ଆରଡି ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ନିରଞ୍ଜନ ସାହୁଙ୍କୁ ପଚାରିବାରୁ ନଦୀରେ ପାଣି ଆସୁଥିବାରୁ କାମ ବିଳମ୍ବ ହେଉଛି । ମାର୍ଚ୍ଚ ମାସ ସୁଦ୍ଧା କଟିଙ୍ଗ କାମ ସରିଯିବ ଏବଂ ଡିସେମ୍ବର ଶେଷ ସୁଧ୍ୟା ସମସ୍ତ କାମ ଶେଷ ହେବ ବୋଲି ଜଣାଇଛନ୍ତି ।

Leave A Reply

Your email address will not be published.