ଖୋର୍ଦ୍ଧା : ୧୦୮ ଆମ୍ବୁଲାନ୍ସରେ ଜୋରଦାର୍ ବିସ୍ଫୋରଣ । ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଦେଉଗାଁ ରାସ୍ତାରେ ଏଭଳି ବିସ୍ଫୋରଣ ଘଟିଛି । ଆମ୍ଵୁଲାନ୍ସ ଡ୍ରାଇଭର୍ଙ୍କ ସମେତ ଆଟେଣ୍ଡାଣ୍ଟ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସୂଚନାନୁଯାୟୀ, ଗମ୍ଭାରୀମୁଣ୍ଡା ସିଏଚସିରୁ ଏକ ୧୦୮ ଆମ୍ବୁଲାନ୍ସ ରୋଗୀ ଆଣିବା ପାଇଁ ବାଣପୁର ସ୍ଥିତ ପଲଟଣ ଆସୁଥିଲା । ଯେଉଁ ରୋଗୀଙ୍କୁ ଏହି ଆମ୍ବୁଲାନ୍ସ ଆଣିବା ପାଇଁ ଯାଉଥିଲା ସେହି ରୋଗୀଙ୍କର ମୃତ୍ୟୁ ହୋଇ ସାରିଥିବା ଅଧା ବାଟରେ ଖବର ମିଳିଥିଲା । ତେଣୁ ୧୦୮ ଆମ୍ବୁଲାନ୍ସଟି ଫେରି ଆସୁଥିଲା । କିଛି ବାଟ ଆସିବା ପରେ ନାଚୁଣୀ ଥାନା ଦେଉଗାଁ ରାସ୍ତାରେ ହଠାତ୍ ଆମ୍ବୁଲାନ୍ସରେ ନିଆଁ ଲାଗି ଯାଇଥିଲା । ଡ୍ରାଇଭର ସମେତ ଆଟେଣ୍ଡାଣ୍ଟ ଆମ୍ବୁଲାନ୍ସରୁ ବାହାରି ଆସିଥିଲେ । କିଛି ସମୟ ମଧ୍ୟରେ ଆମ୍ବୁଲାନ୍ସଟି ହୁତୁହୁତୁ ହୋଇ ଜଳିଗଲା । ପରେ ପରେ ଆମ୍ବୁଲାନ୍ସଟି ବ୍ଲାଷ୍ଟିଂ ହୋଇ ଖଣ୍ଡ ବିଖଣ୍ଡିତ ହୋଇଗଲା । ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
