● ୟୁକ୍ରେନର ସାମ୍ପ୍ରତିକ ଘଟଣାକ୍ରମ ଉପରେ ନିଜର ମତବ୍ୟକ୍ତ କଲେ ରାଷ୍ଟ୍ରପତି ଜେଲେଁସ୍କି
● ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଭାରତର ଦୃଢ଼ ଆଭିମୁଖ୍ୟ ଏବଂ ତୁରନ୍ତ ଶାନ୍ତି ପ୍ରତିଷ୍ଠା ପ୍ରୟାସର ସମର୍ଥନ ଦୋହରାଇଲେ ପ୍ରଧାନମନ୍ତ୍ରୀ
● ଉଭୟ ନେତା ଭାରତ-ୟୁକ୍ରେନ ଦ୍ୱିପାକ୍ଷିକ ଭାଗିଦାରୀରେ ହୋଇଥିବା ଅଗ୍ରଗତିର କଲେ ସମୀକ୍ଷା
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁକ୍ରେନ ରାଷ୍ଟ୍ରପତି ମହାମହିମ ଭୋଲଦିମିର ଜେଲେଁସ୍କିଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି । ରାଷ୍ଟ୍ରପତି ଜେଲେଁସ୍କି ୟୁକ୍ରେନର ସାମ୍ପ୍ରତିକ ଘଟଣାକ୍ରମ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗରେ ନିଜ ମତ ରଖିଛନ୍ତି । ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଜେଲେଁସ୍କିଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ଓ ତୁରନ୍ତ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ ପ୍ରତି ଭାରତର ଦୃଢ଼ ତଥା ସ୍ଥିର ଆଭିମୁଖ୍ୟକୁ ପୁନଃଦୋହରାଇଥିଲେ । ପ୍ରଧାନମନ୍ତ୍ରୀ ଏହି କ୍ଷେତ୍ରରେ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଦୁଇ ନେତା ଭାରତ-ୟୁକ୍ରେନ ଦ୍ୱିପାକ୍ଷିକ ସହଭାଗୀତାରେ ହୋଇଥିବା ଅଗ୍ରଗତି ସମୀକ୍ଷା କରିଥିଲେ ଏବଂ ପାରସ୍ପରିକ ହିତ କ୍ଷେତ୍ରରେ ସହଯୋଗକୁ ଆହୁରି ବୃଦ୍ଧି କରିବା ପାଇଁ ଆଲୋଚନା କରିଥିଲେ । ଦୁଇ ନେତା ଆଗକୁ ମଧ୍ୟ ସମ୍ପର୍କ ବଜାୟ ରଖିବାକୁ ସହମତ ହୋଇଥିଲେ ।