ଭୁବନେଶ୍ୱର : ଆଗାମୀ ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ଭାରତୀୟ ବାୟୁସେନା ପକ୍ଷରୁ ଏକ ଅଗ୍ନିବୀର ବାୟୁ ନିଯୁକ୍ତି ରାଲି ମୟୁରଭଞ୍ଜ ଜିଲ୍ଲାରେ ଆୟୋଜିତ ହେବ । ଏ ସଂପର୍କରେ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏଥିରେ ୧୨ଟି ରାଜ୍ୟ ଆସାମ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ମେଘାଳୟ, ମଣିପୁର, ମିଜୋରାମ, ନାଗାଲାଣ୍ଡ, ସିକ୍କିମ, ପଶ୍ଚିମବଙ୍ଗ, ଛତିଶଗଡ଼, ଝାରଖଣ୍ଡ ଓ ଓଡ଼ିଶାର ଆଶାୟୀ ପ୍ରାର୍ଥୀ/ପ୍ରାର୍ଥିନୀମାନେ ଅଂଶଗ୍ରହଣ କରିପାରିବେ । ଉଲ୍ଲେଖଯୋଗ୍ୟ ଯେ, ଏହି ନିଯୁକ୍ତି ରାଲି ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାରିପଦା ଛଉପଡ଼ିଆ ଠାରେ ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ତେବେ ଓଡ଼ିଶାର ଆଶାୟୀ ପ୍ରାର୍ଥୀ/ପ୍ରାର୍ଥିନୀମାନେ ଅଗଷ୍ଟ ୩୦ ତାରିଖ ଦିନ ନିଯୁକ୍ତି ରାଲିରେ ସାମିଲ ହୋଇପାରିବେ । ସାଢେ଼ ୧୭ ବର୍ଷରୁ ୨୧ ବର୍ଷ ଭିତରେ ହୋଇଥିବା ପ୍ରାର୍ଥୀ/ପ୍ରାର୍ଥିନୀମାନେ ଏଥିରେ ଅଂଶଗ୍ରହଣ କରିପାରିବେ । ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ କିମ୍ବା ଆଇଟିଆଇ/ଡିପ୍ଲୋମାରେ ଏଗ୍ରିଗେଟ୍ ୫୦ ପ୍ରତିଶତ ସହିତ ଇଂରାଜୀରେ ୫୦ ପ୍ରତିଶତ ହୋଇଥିବା ଦରକାର । ଅଧିକ ବିବରଣୀ ପାଇଁ ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘ ସହିତ ଯୋଗାଯୋଗ କରିବା ପାଇଁ ସଂଘର ସାଧାରଣ ସଂପାଦକ ପ୍ରତାପ ଚନ୍ଦ୍ର ରଥ କହିଛନ୍ତି ।
