ବାରିପଦା, (ଦେବସ୍ମିତ ଚୌଧୁରୀ) : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକଙ୍କ ସଭାପତିତ୍ୱରେ ୭୯ତମ ସ୍ୱାଧୀନତା ଦିବସ -୨୦୨୫ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଇଶ୍ୱର ଚନ୍ଦ୍ର ନାଏକ, ବାରିପଦା ଉପଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡା, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ଆଚାର୍ଯ୍ୟ ଓ ରିଜର୍ଭ ଇନିସପେକ୍ଟର ଆଲୋକ କୁମାର କାନୁନଗୋ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ସଭାରେ ଯୋଗ ଦେଇଥିବା ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱାଗତ କରି ପ୍ରସ୍ତୁତି ବୈଠକର ଆଭିମୁଖ୍ୟ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ । ଅତିରିକ୍ତ ଜିଲ୍ଲପାଳ ଶ୍ରୀ ମଲ୍ଲିକ ଚଳିତ ବର୍ଷ ୭୯ତମ ସ୍ୱାଧୀନତା ଦିବସକୁ ଜିଲ୍ଲାସ୍ତରରେ କିପରି ସୁନ୍ଦର ତଥା ଆକର୍ଷଣୀୟ ଭାବେ ବ୍ୟବସ୍ଥିତ ଢଙ୍ଗରେ ପାଳନ କରାଯିବ ସେ ବିଷୟରେ ପ୍ରତ୍ୟେକଟି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ତଦନୁସାରେ ଏହି ଜାତୀୟ ଦିବସ ପାଳନ ଅବସରରେ ଆବଶ୍ୟକୀୟ କାର୍ଯ୍ୟ, ଯଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ପ୍ରତିଯୋଗିତା ଆୟୋଜନ ତଥା ଏଥି ପାଇଁ ଉପଯୁକ୍ତ ବିଚାରକ ମଣ୍ଡଳୀ ପ୍ରସ୍ତୁତି, ପ୍ୟାରେଡ ପଡିଆ ସୁସଜ୍ଜିକରଣ, ଅଭିବାଦନ ମଞ୍ଚ ପ୍ରସ୍ତୁତି, ଅଭିବାଦନ ମଞ୍ଚର ଉଭୟ ପାର୍ଶ୍ଵରେ ନିମନ୍ତ୍ରିତ ଅତିଥି ମାନଙ୍କ ବସିବା ପାଇଁ ଉତ୍ତମ ବ୍ୟବସ୍ଥା, ସହରାଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ କରିବା, ପ୍ୟାରେଡ ପଡିଆ ଠାରେ ପାନୀୟ ଜଳ ଯୋଗାଣ, ଆକସ୍ମିକ ଦୁର୍ଘଟଣାର ମୁକାବିଲା, ପ୍ୟାରେଡ ପରିଚାଳନା, ଅପାତକାଳୀନ ସ୍ୱାସ୍ଥ୍ୟ ସେବା, ରାମ ଧୁନ ପରିବେଷଣ, ଅତିଥିମାନଙ୍କୁ ନିମନ୍ତ୍ରଣ ଓ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହି ଚିକିତ୍ସିତ ହେଉଥିବା ରୋଗୀ, ଗୋପବନ୍ଧୁ ବାଳାଶ୍ରମର ଅନ୍ତେବାସୀ ଓ ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଫଳ ବିସ୍କୁଟ ବଣ୍ଟନ ଇତ୍ୟାଦି କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ ନିମନ୍ତେ ବିଭିନ୍ନ କମିଟି ଗଠନ କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀ ତଥା ବ୍ୟକ୍ତି ବିଶେଷ ଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯିବା ନେଇ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ଓ ଜିଲ୍ଲା ସ୍ତରୀୟ ଏହି ଜାତୀୟ ଦିବସକୁ ସୁନ୍ଦର ଓ ଶୃଙ୍ଖଳିତ ଭାବେ ପାଳନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଅନୁଷ୍ଠିତ ଉକ୍ତ ବୈଠକରେ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ପଦାଧିକାରୀ, ବିଭିନ୍ନ ଲାଇନ ବିଭାଗର ଅଧିକାରୀ, ଶିକ୍ଷାନୁଷ୍ଠାନର ମୁଖ୍ୟ ତଥା ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ବରିଷ୍ଠ ନାଗରିକ, ଆଇନଜୀବୀ, ସହରର ମାନ୍ୟଗଣ୍ୟ ବ୍ୟକ୍ତି, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରି ସୁଚିନ୍ତିତ ମତାମତ ରଖିଥିଲେ । ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ମୟୁରଭଞ୍ଜ ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ ଶ୍ରୀକାନ୍ତ ବେହେରା, ଲଳିତ ରଞ୍ଜନ ନାଏକ, ଲିଜତ କୁମାର ପ୍ରଧାନ, ରବିନାରାୟଣ ନାଏକ ଓ ଛୋଟରାୟ ସିଂ ସହଯୋଗ କରିଥିଲେ ।
