ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ଦାଦନ ଗଡ଼ ଭାବେ ବେଶ ପରିଚିତ । ବଙ୍ଗୋମୁଣ୍ଡା ବ୍ଲକର ଏକାଧିକ ପଞ୍ଚାୟତରେ ମନରେଗା ଦୁର୍ନିତି ହୋଇଛି । ଦୁର୍ନୀତିରେ ପଞ୍ଚାୟତ ସରପଞ୍ଚ ଠୁ ଆରମ୍ଭ କରି ବ୍ଲକ ପ୍ରଶାସନ ମଧ୍ୟ ସାମିଲ ଅଛନ୍ତି । ତୁରନ୍ତ ଏହାର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ । ପିସିସି ଉପସଭାପତି ତଥା ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ବଙ୍ଗୋମୁଣ୍ଡା ବ୍ଲକ ଅଫିସ ଘେରାଉ କରିଥିଲେ । କର୍ମୀମାନେ ବଙ୍ଗୋମୁଣ୍ଡା ହନୁମାନ ମନ୍ଦିରରେ ଏକଜୁଟ ହୋଇ ସହରର ମୁଖ୍ୟରାସ୍ତା ଦେଇ ବ୍ଲକ ଅଫିସରେ ପହଞ୍ଚିଥିଲେ । ବଙ୍ଗୋମୁଣ୍ଡା ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଡବଲ ଇଞ୍ଜିନ ସରକାରରେ ଡବଲ ଦୁର୍ନିତି ହେଉଥିବା ନେଇ ଅଭିଯୋଗ କରିଥିଲେ । ବଙ୍ଗୋମୁଣ୍ଡା ବ୍ଲକର କପିଲାଭଟା ଏବଂ ଝରିଆଲ ପଂଚାୟତରେ ମନରେଗା କାମ ନହୋଇ ବ୍ୟାପକ ଦୁର୍ନୀତି ହୋଇଛି । ତୁରନ୍ତ ଏହାର ତଦନ୍ତ କରିବା ସହ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ପୂର୍ବତନ ବିଧାୟକ ଶ୍ରୀ ସାଲୁଜା । ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ବଙ୍ଗୋମୁଣ୍ଡା ଏକାଉଣ୍ଟ ଅଫିସର ଜ୍ୟୋତିପ୍ରକାଶ ମିଶ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳର ଶତାଧିକ କଂଗ୍ରେସ କର୍ମୀମାନେ ସାମିଲ ହୋଇଥିଲେ । ଶାନ୍ତିଶୃଙ୍ଖଳା ପାଇଁ ବଙ୍ଗୋମୁଣ୍ଡା ପୋଲିସ ସହ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।
