ଭାଇବୋହୂକୁ କୋଦାଳରେ ହାଣିଦେଲା ଦେଢଶୁର

  • ଆସାମୀ କୋଦାଳ ଧରି ଥାନାରେ ହେଲା ସରେଣ୍ଡର

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ଦେଢ଼ଶୁରର କୋଡି ଚୋଟରେ ଭାଇବହୂ ମୃତ । ଆସାମୀ କୋଦାଳ ଧରି ଥାନାରେ ହେଲା ସରେଣ୍ଡର । ଅଭିଯୁକ୍ତ ନିଜେ ମାରିଥିବା ନିଜେ ସ୍ୱୀକାର କରିଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନା ଧମୁଣିପଙ୍ଗା ପଞ୍ଚାୟତର ଢେପାଗୁଡା ଗାଁରେ । ଘଟଣାରୁ ପ୍ରକାଶ ଯେ, ଜମି ବିବାଦକୁ ନେଇ ଦୁଇଭାଇ ପ୍ରେପକା ବୈଇମାଝୀ ଓ ହତ୍ୟାକାରୀ ପ୍ରେପକା ଲତରା ମଧ୍ୟରେ କିଛିଦିନ ହେଲା ଝଗଡା ଲାଗି ରହିଥିଲା । ଆଜି ମଧ୍ୟ ସେହିଭଳି ଉଭୟ ଭାଇ ମଧ୍ୟରେ ଝଗଡା ହେବାରୁ ସାନ ଭାଇ ବଇମାଝୀ ଅମିନ ଆଣି ମାପ କରିବା ବୋଲି କହିଥିଲା । କିନ୍ତୁ ହତ୍ୟାକାରୀ ବଡଭାଇ ଲତରା ଠିକ ଅଛି କହି ରାଗରେ ସେହି ସ୍ଥାନରୁ ଚାଲିଆସିଥିଲା । ଅନ୍ୟପଟେ ସାନ ଭାଇ ବୈଇମାଝୀର ସ୍ତ୍ରୀ ଶୌଳେନ୍ଦ୍ରୀ ନିଜ ଘରେ ରଷେଇ କରୁଥିବା ସମୟରେ ଦେଢ଼ଶୁର ଲତରା ରାଗରେ ଘରଭିତରେ ପଶି ଧରିଥିବା କୋଦାଳରେ ଶୌଳେନ୍ଦ୍ରୀର ମୁଣ୍ଡରେ ଦୁଇରୁ ତିନି ଚୋଟ ମାରି ଦେବା ପରେ ସେହି ସ୍ଥାନରୁ ଚାଲିଯାଇ ଗାଁ ଲୋକକୁ ଭାଇବୋହୁକୁ ମାରିଦେଇଥିବା କହିଥିଲା । ଏପଟେ ଶୌଳେନ୍ଦ୍ରୀର ଚିତ୍କାର ଶୁଣି ଗାଁ ଲୋକେ ସ୍ୱାମୀ ବୈଇମାଝୀକୁ ଖବର ଦେବାରୁ ଘଟଣାସ୍ଥଳରେ ପହଞ୍ଚି ସଙ୍ଗେ ସଙ୍ଗେ ରୋଗୀବୁହା ଗାଡିକୁ ଯୋଗାଗୋଗ କରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏଠାରେ ଡାକ୍ତର ଚିନ୍ମୟ ନାୟକ ପ୍ରାଥମିକ ଚିକିତ୍ସା କରି ଅବସ୍ଥା ସଙ୍କଟାପନ୍ନ ହୋଇଥିବାରୁ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ବେଳେକୁ ସେଠାରେ ଡାକ୍ତର ଦେଖି ଶୌଳେନ୍ଦ୍ରୀଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଗାଁରେ କକୁଆ ଭୟ ସୃଷ୍ଟି ହୋଇଛି । ବୈଇମାଝୀ ପ୍ରେପକା ଶିକ୍ଷକତା କରୁଥିବା ବେଳେ ସ୍ତ୍ରୀ ଶୈଳେନ୍ଦ୍ରୀ ସାରକା କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ସଦରମହକୁମାରେ ମହିଳା ସ୍ୱାସ୍ଥ୍ୟ କର୍ମୀ ଭାବେ କାର୍ଯ୍ୟରତ ରହି ଆସିଥିଲେ । ଖବର ସଂଗ୍ରହ ପର୍ଯ୍ୟନ୍ତ ଏହି ଖବରକୁ ନେଇ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ଗାଁ ଲୋକେ କୌଣସି ପ୍ରତିକ୍ରିୟା ଦେବାକୁ ଭୟ କରୁଛନ୍ତି । ଘଟଣାର ଖବର ପାଇ କଲ୍ୟାଣସିଂହପୁର ପୁଲିସ ଦଳ ସହ ଥାନାଅଧିକାରୀ ନୀଳକଣ୍ଠ ବେହାରା ଢେପାଗୁଡା ଗାଁରେ ପହଞ୍ଚି ମୃତକ ଘରେ ଟିକିନିଖି ତଦନ୍ତ ଚଲାଇଛନ୍ତି ।

jittmm
Leave A Reply

Your email address will not be published.