ପାଟଣାଗଡ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ରେଞ୍ଜ ଅଧିନସ୍ଥ ଗୁଦୁରାମୁଣ୍ଡା ଗାଁ ନିକଟରେ ଥିବା କିରିବାଞ୍ଜି ଜଙ୍ଗଲ ଭିତରେ ଜଣେ ମହିଳାଙ୍କୁ ହାତୀ ଆକ୍ରମଣ କରିଛି । ଏଥିରେ ମହିଳା ଜଣକ ଗୁରୁତର ହୋଇଛନ୍ତି । ମହିଳା ଜଣକ ହେଲେ କତରଲଗା ଗାଁର ଶାନ୍ତି ନାଏକ । କରମତଳା ଗାଁର କିଛି ପରିବାର ଗୁଦୁରାମୁଣ୍ଡା ଗାଁ ମୁଣ୍ଡରେ ଥିବା କେନ୍ଦୁପତ୍ର ଫଡିକୁ ପତ୍ର ବାନ୍ଧିବାକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ମହିଳାଙ୍କ ସହ ଶାନ୍ତି ଜଙ୍ଗଲ ଭିତରେ ଥିବା ଏକ ଝରଣାକୁ ଗାଧୋଇବାକୁ ଯାଇଥିଲେ । ଗାଧୋଉଥିବା ସମୟରେ ପଛପଟୁ ଏକ ହାତୀ ଆସି ଶାନ୍ତିକୁ ଟାଣି ଆଣିଥିଲା । ଗାଧେଇବାକୁ ଯାଇଥିବା ସାଥି ମହିଳାମାନେ ଚିତ୍କାର କରିବାରୁ ହାତୀଟି ମହିଳାଙ୍କୁ ଛାଡି ଦେଇ ଏକ ବୁଦା ମୁଳେ ଯାଇ ଠିଆ ହୋଇ ଯାଇଥିଲା । ମହିଳାମାନେ ଶାନ୍ତିକୁ ଉଦ୍ଧାର କରି ସେଠାରୁ ଦୌଡି ପଲାଇ ଆସିଥିଲେ । କିଛି ବାଟ ଆସିବା ପରେ ସେହି ରାସ୍ତାଦେଇ ଜଙ୍ଗଲ ଭିତରୁ ଏକ ୧୩ ଟିକିଆ ହାତୀ ପଲ ଆସୁଥିବା ସେମାନେ ଦେଖିବାକୁ ପାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ମହିଳା ତାଙ୍କ ପିଠିରେ ଶାନ୍ତିକୁ ବୋହି କେନ୍ଦୁପତ୍ର ଫଡି ପର୍ଯ୍ୟନ୍ତ ଆଣିଥିଲେ । ପରେ ପରିବାର ବର୍ଗ ଶାନ୍ତିକୁ ଆମ୍ବୁଲାନ୍ସ ଯୋଗେ ପାଟଣାଗଡ଼ ଡ଼ାକ୍ତରଖାନାକୁ ଆଣିଥିଲେ ।
