ଗୁଣପୁର : ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ ରାଜ୍ୟରେ ତମ୍ବି ତୋଫାନ ଚାଲିଥିବା ବେଳେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ । ରାୟଗଡ଼ା ଜିଲ୍ଲା ଗୁଣପୁରର ଏକ ଘରୋଇ ବିଶ୍ଵବିଦ୍ୟାଳୟର ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି । ହଷ୍ଟେଲ ରୁମ୍ରୁ ଛାତ୍ରଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସୂଚନାନୁଯାୟୀ, ଗୁଣପୁରର ଏକ ଘରୋଇ ବିଶ୍ଵବିଦ୍ୟାଳୟର ବାୟୋଟେକ୍ନୋଲୋଜି ବିଭାଗର ଜଣେ ଦ୍ୱିତୀୟ ବର୍ଷର ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଆଜି ହଷ୍ଟେଲ ରୁମ୍ରେ ଛାତ୍ରଙ୍କ ମୃତଦେହ ଝୁଲୁଥିବା ଦେଖି ସାଥୀମାନେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଖବର ପାଇ ଗୁଣପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ପ୍ରେମଜନିତ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି । ପୁଲିସ ସାଇଣ୍ଟିଫିକ୍ ଟିମ୍ର ସହାୟତା ଲୋଡ଼ିଛି । ଛାତ୍ର ଜଣଙ୍କ ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳର ବୋଲି ଜଣାପଡ଼ିଛି ।
