1234

ଜାମ୍ମୁ-କାଶ୍ମୀରର ପୁଞ୍ଚରେ ସୀମାପାର ଆକ୍ରମଣରେ ପ୍ରଭାବିତ ପରିବାରଗୁଡ଼ିକୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

  • ପୁଞ୍ଚର ଆବାସିକ ଅଞ୍ଚଳ, ମନ୍ଦିର, ଗୁରୁଦ୍ୱାର ଏବଂ ମଦ୍ରାସା ଉପରେ ପାକିସ୍ତାନ ଦ୍ୱାରା ହୋଇଥିବା କାପୁରୁଷୋଚିତ ଆକ୍ରମଣରେ ପ୍ରଭାବିତ ପରିବାର ପ୍ରତି ମୁଁ ସମବେଦନା ଜଣାଉଛି
  • ମୋଦୀ ସରକାର ଏହି ଆହ୍ୱାନପୂର୍ଣ୍ଣ ସମୟରେ ଜାମ୍ମୁ-କାଶ୍ମୀରର ଲୋକମାନଙ୍କ ସହିତ ପଥର ଭଳି ଛିଡ଼ା ହୋଇଛନ୍ତି
  • ଆମର ଆବାସିକ ଅଞ୍ଚଳ ଏବଂ ନିରସ୍ତ୍ର ସାଧାରଣ ନାଗରିକଙ୍କ ଉପରେ ପାକିସ୍ତାନର ଆକ୍ରମଣର ଜବାବରେ, ଆମେ ସେମାନଙ୍କ ଅନେକ ଏୟାରବେସ୍ ଏବଂ ତଦାରଖ ପ୍ରଣାଳୀକୁ ନଷ୍ଟ କରି ଏକ ଶକ୍ତିଶାଳୀ ଜବାବ ଦେଇଛୁ
  • ସୀମାବର୍ତ୍ତୀ ଅଞ୍ଚଳରେ ମୋଦୀ ସରକାରଙ୍କ ଦ୍ୱାରା ନିର୍ମିତ ୯୫୦୦ରୁ ଅଧିକ ବଙ୍କରଗୁଡିକ ନିକଟରେ ହୋଇଥିବା ଆକ୍ରମଣ ସମୟରେ ସାଧାରଣ ନାଗରିକଙ୍କ ଜୀବନ ବଞ୍ଚାଇବାରେ ବହୁତ ସାହାଯ୍ୟ କରିଛି
  • ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଜାମ୍ମୁ-କାଶ୍ମୀରର ନାଗରିକମାନଙ୍କ ଦ୍ୱାରା ପ୍ରଦର୍ଶିତ ଦେଶପ୍ରେମର ଭାବନା ସମଗ୍ର ଦେଶର ସଂକଳ୍ପକୁ ସୁଦୃଢ଼ କରିଛି
  • ମୋଦୀ ଜୀଙ୍କ ନେତୃତ୍ୱରେ ଭାରତର ସୁରକ୍ଷା ନୀତି ସ୍ପଷ୍ଟ : ଆମ ସେନା ଆମ ନାଗରିକ ଏବଂ ସୀମାରେ କୌଣସି ପ୍ରକାରର ହସ୍ତକ୍ଷେପକୁ ବରଦାସ୍ତ କରିବ ନାହିଁ
  • ମୋଦୀ ଜୀଙ୍କ ଦୃଢ଼ ସଂକଳ୍ପ, ଆମ ଏଜେନ୍ସିଗୁଡ଼ିକର ସଠିକ୍ ଗୁଇନ୍ଦା ତଥ୍ୟ ଏବଂ ଆମ ସେନାର ଉଲ୍ଲେଖନୀୟ ସାହସ ଏବଂ ତ୍ରୁଟିଶୂନ୍ୟ ଆକ୍ରମଣ କ୍ଷମତା କାରଣରୁ ଶହ ଶହ ଆତଙ୍କବାଦୀଙ୍କୁ ମାରି ଦିଆଯାଇଛି
  • କ୍ଷତିପୂରଣ ଏବଂ ସରକାରୀ ଚାକିରି କ୍ଷତିର ସମ୍ପୂର୍ଣ୍ଣ ଭରଣା କରିପାରିବ ନାହିଁ, କିନ୍ତୁ ଏହା ସରକାର ଏବଂ ଦେଶର ଜନସାଧାରଣଙ୍କ ଭାବନାର ପ୍ରତୀକ
  • ପୁଞ୍ଚରେ ଲୋକଙ୍କ ଘର ଏବଂ ବାଣିଜ୍ୟିକ ପ୍ରତିଷ୍ଠାନରେ ହୋଇଥିବା କ୍ଷୟକ୍ଷତି ପାଇଁ ଭାରତ ସରକାର ଆଗାମୀ ଦିନରେ ଏକ ରିଲିଫ ପ୍ୟାକେଜ ଆଣିବେ

ନୂଆଦିଲ୍‌ଲ୍ଲୀ, (ପିଆଇବି) : କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଜାମ୍ମୁ-କାଶ୍ମୀରର ପୁଞ୍ଚରେ ସୀମାପାର ଆକ୍ରମଣ ଦ୍ୱାରା ପ୍ରଭାବିତ ଲୋକଙ୍କ ପରିବାରକୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ । ଏହି ଅବସରରେ ଜାମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ତାଙ୍କ ଅଭିଭାଷଣରେ ପୁଞ୍ଚର ଆବାସିକ ଅଞ୍ଚଳ, ମନ୍ଦିର, ଗୁରୁଦ୍ୱାର ଏବଂ ମଦ୍ରାସା ଉପରେ ପାକିସ୍ତାନ ଦ୍ୱାରା ହୋଇଥିବା କାପୁରୁଷୋଚିତ ଆକ୍ରମଣରେ ପ୍ରଭାବିତ ପରିବାର ପ୍ରତି ସମବେଦନା ଜଣାଇଥିଲେ । ସେ କହିଛନ୍ତି ଯେ ପାକିସ୍ତାନ ଦ୍ୱାରା ନିନ୍ଦନୀୟ ଆକ୍ରମଣରେ ପ୍ରାଣ ହରାଇଥିବା ପରିବାର ଲୋକଙ୍କୁ ସରକାରୀ ଚାକିରି ଯୋଗାଇବା ପାଇଁ ଆଜି ଏଠାରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଶ୍ରୀ ଶାହ କହିଥିଲେ ଯେ କ୍ଷତିପୂରଣ ଏବଂ ସରକାରୀ ଚାକିରି ଜୀବନହାନିର ସମ୍ପୂର୍ଣ୍ଣ ଭରଣା କରିପାରିବ ନାହିଁ, କିନ୍ତୁ ଏହା ଜାମ୍ମୁ-କାଶ୍ମୀର ସରକାର, ଭାରତ ସରକାର ଏବଂ ସମଗ୍ର ଦେଶର ଜନସାଧାରଣଙ୍କ ଭାବନାର ପ୍ରତୀକ । ଏହି ସମୟରେ ସମଗ୍ର ଦେଶ ପଥର ଭଳି ସେମାନଙ୍କ ସହିତ ଛିଡା ହୋଇଛି ସେ ତାହାର ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ଶାହ ଆହୁରି ମଧ୍ୟ କହିଥିଲେ ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଉପତ୍ୟକା ଠାରୁ ଆରମ୍ଭ କରି ପୁଞ୍ଚ୍ ଏବଂ କଠୁଆ ପର୍ଯ୍ୟନ୍ତ ଜାମ୍ମୁ-କାଶ୍ମୀରର ନାଗରିକମାନଙ୍କ ମଧ୍ୟରେ ଯେଉଁ ଦେଶାତ୍ମବୋଧ ଜାଗ୍ରତ ହୋଇଥିଲା, ତାହା ସମଗ୍ର ଦେଶର ଜନସାଧାରଣଙ୍କ ସଂକଳ୍ପକୁ ସୁଦୃଢ଼ କରିଛି । ଅମିତ ଶାହ କହିଥିଲେ ଯେ ପହଲଗାମରେ ନିର୍ଦ୍ଦୋଷ ତୀର୍ଥଯାତ୍ରୀଙ୍କ ଉପରେ ଏକ କାପୁରୁଷୋଚିତ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ଏବଂ ତା “ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଅନୁଯାୟୀ ଆମେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଏବଂ ପାକିସ୍ତାନରେ ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରିଛୁ । ସେ କହିଥିଲେ ଯେ ପ୍ରଥମ ଥର ପାଇଁ ଭାରତୀୟ ସେନା ପାକିସ୍ତାନ ସୀମା ମଧ୍ୟରେ ଥିବା ଆତଙ୍କବାଦୀ ସଙ୍ଗଠନଗୁଡ଼ିକର ମୁଖ୍ୟାଳୟକୁ ଧ୍ୱଂସ କରିଦେଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଢ଼ ସଂକଳ୍ପ, ଆମର ଏଜେନ୍ସିଗୁଡ଼ିକ ଦ୍ୱାରା ପ୍ରଦାନ କରାଯାଇଥିବା ସଠିକ୍ ଗୁଇନ୍ଦା ସୂଚନା ଏବଂ ସେନାର ଉଲ୍ଲେଖନୀୟ ସାହସ ଏବଂ ସଠିକତା କାରଣରୁ ଶହ ଶହ ଆତଙ୍କବାଦୀ ନିହତ ହୋଇଥିଲେ । ଶ୍ରୀ ଶାହ କହିଥିଲେ ଯେ ଭାରତ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିଥିଲା, କିନ୍ତୁ ପାକିସ୍ତାନ ଏହାକୁ ନିଜ ଉପରେ ଆକ୍ରମଣ ବୋଲି ବିବେଚନା କରିଥିଲା ଏବଂ ପାକିସ୍ତାନ ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେଉଥିବା ସତ୍ୟକୁ ସମଗ୍ର ବିଶ୍ୱ ସମ୍ମୁଖରେ ପ୍ରକାଶ କରିଥିଲା । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ଭାରତ ପାକିସ୍ତାନରେ କୌଣସି ସାମରିକ କିମ୍ବା ବେସାମରିକ ଅନୁଷ୍ଠାନ ଉପରେ ଆକ୍ରମଣ କରିନାହିଁ ଏବଂ ଅତ୍ୟନ୍ତ ନିର୍ଭୁଲତା ଏବଂ ସଂଯମର ସହ ଭାରତୀୟ ସେନା ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ଶିବିରଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିଦେଇଛି । ସେ କହିଥିଲେ ଯେ ପାକିସ୍ତାନରେ ଆତଙ୍କବାଦୀ ଶିବିର ଉପରେ ଭାରତର ଆକ୍ରମଣ ପରେ ପାକିସ୍ତାନ ଜାମ୍ମୁ-କାଶ୍ମୀରର ଆବାସିକ ଅଞ୍ଚଳରେ ଗୁଳି ଚାଳନା କରିଥିଲା, ଯେଉଁଥିରେ ପୁଞ୍ଚ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ସେ କହିଛନ୍ତି ଯେ ପାକିସ୍ତାନ ପୁଞ୍ଚର ସମସ୍ତ ଆବାସିକ ଅଞ୍ଚଳ, ମନ୍ଦିର, ଗୁରୁଦ୍ୱାର ଏବଂ ମାଦ୍ରାସା ଉପରେ ମଧ୍ୟ ଗୁଳି ଚଳାଇଥିଲା । ଶ୍ରୀ ଶାହ କହିଥିଲେ ଯେ ସାଧାରଣ ନାଗରିକଙ୍କ ଉପରେ ପାକିସ୍ତାନର ଆକ୍ରମଣକୁ ସମଗ୍ର ବିଶ୍ୱ ଦୃଢ଼ ଭାବେ ନିନ୍ଦା କରୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ପାକିସ୍ତାନ ଆମର ଆବାସିକ ଅଞ୍ଚଳ ଏବଂ ନିରସ୍ତ୍ର ନାଗରିକଙ୍କ ଉପରେ ଆକ୍ରମଣ କଲା, ଭାରତୀୟ ସେନା ସେମାନଙ୍କ ନଅଟି ଏୟାରବେସ୍ ଏବଂ ସାମରିକ ସାମର୍ଥ୍ୟକୁ ନଷ୍ଟ କରି ଜୋରଦାର ଜବାବ ଦେଇଥିଲା, ଯାହା ପାକିସ୍ତାନକୁ ଅସ୍ତ୍ରବିରତି ଚୁକ୍ତି ପାଇଁ ଆଗକୁ ଆସିବାକୁ ବାଧ୍ୟ କରିଥିଲା । ଅମିତ ଶାହ କହିଥିଲେ ଯେ ମୋଦୀ ଜୀଙ୍କ ନେତୃତ୍ୱରେ ଭାରତର ସୁରକ୍ଷା ନୀତି ସ୍ପଷ୍ଟ : ଆମ ସେନା ଆମ ନାଗରିକ ଏବଂ ସୀମାରେ କୌଣସି ପ୍ରକାରର ହସ୍ତକ୍ଷେପକୁ ବରଦାସ୍ତ କରିବ ନାହିଁ । ସେ କହିଥିଲେ ଯେ ପୁଞ୍ଚରେ ଅନେକ ଘର ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି ଏବଂ ଭାରତ ସରକାର ଆଗାମୀ ଦିନରେ ଏଥିପାଇଁ ଏକ ରିଲିଫ ପ୍ୟାକେଜ ଆଣିବେ । କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ କହିଥିଲେ ଯେ ଜାମ୍ମୁ-କାଶ୍ମୀରର ବିକାଶ ବନ୍ଦ ହେବ ନାହିଁ କିମ୍ବା ମନ୍ଥର ହେବ ନାହିଁ ଏବଂ ୨୦୧୪ରେ ଆରମ୍ଭ ହୋଇଥିବା ବିକାଶର ଗତି ଜାରି ରହିବ । ସେ କହିଥିଲେ ଯେ ଆମର ସଶସ୍ତ୍ର ବାହିନୀ ଏବଂ ସୁରକ୍ଷା କର୍ମୀ ପ୍ରତ୍ୟେକ ଆକ୍ରମଣର ଜବାବ ଦେବାକୁ ସମ୍ପୂର୍ଣ୍ଣ ସକ୍ଷମ । ସେ ଉଲ୍ଲେଖ କରିଥିଲେ ଯେ ଏହି ସମୟ ମଧ୍ୟରେ ସମଗ୍ର ଜାମ୍ମୁ-କାଶ୍ମୀର ପ୍ରଶାସନ ପ୍ରତ୍ୟେକ ମୁହୂର୍ତ୍ତରେ ଲୋକଙ୍କ ସହିତ ଛିଡା ହୋଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଶାସନ ତୁରନ୍ତ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ କାର୍ଯ୍ୟ କରିଥିଲା, ଯାହା ଆମର କ୍ଷତିକୁ ଯଥେଷ୍ଟ ହ୍ରାସ କରିଥିଲା । ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦୀ ତୁରନ୍ତ ବଙ୍କର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଆମ ସୀମାବର୍ତ୍ତୀ ଅଞ୍ଚଳରେ ୯୫୦୦ରୁ ଅଧିକ ବଙ୍କର ନିର୍ମାଣ କରାଯାଇଥିଲା, ଯାହା ସାମ୍ପ୍ରତିକ ଆକ୍ରମଣ ସମୟରେ ଆମ ନାଗରିକଙ୍କ ଜୀବନ ରକ୍ଷା କରିବାରେ ବହୁତ ସାହାଯ୍ୟ କରିଥିଲା । ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ବିପର୍ଯ୍ୟୟ ସମୟରେ ଆମ ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ଭାରତ ସରକାର ଅଧିକ ବଙ୍କର ନିର୍ମାଣ କରିବେ । ସେ ଗୁରୁତ୍ୱାରୋପ କରିଥିଲେ ଯେ ଭାରତ ସରକାର ଜାମ୍ମୁ-କାଶ୍ମୀରର ଲୋକମାନଙ୍କ ସହିତ ଏକ ପଥର ଭଳି ଠିଆ ହୋଇଛନ୍ତି । ଶ୍ରୀ ଶାହ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ଏହା ସ୍ପଷ୍ଟ କରିଛନ୍ତି ଯେ ଆତଙ୍କବାଦ ଏବଂ ଆଲୋଚନା, କିମ୍ବା ଆତଙ୍କବାଦ ଏବଂ ବାଣିଜ୍ୟ ସହାବସ୍ଥାନ କରିପାରିବ ନାହିଁ ଏବଂ ରକ୍ତ ଏବଂ ଜଳ ଏକାଠି ପ୍ରବାହିତ ହୋଇପାରିବ ନାହିଁ । ୨୦୧୪ରେ ଆରମ୍ଭ ହୋଇଥିବା ଜାମ୍ମୁ କାଶ୍ମୀରରେ ବିକାଶର ଯାତ୍ରା ଆଗାମୀ ଦିନରେ ଜାରି ରହିବ ବୋଲି ସେ ଆତ୍ମବିଶ୍ୱାସ ବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.