
ବଲାଙ୍ଗିର, (ଦେବାଶିଷ ମିଶ୍ର) : ମ୍ୟାଟ୍ରିକ ପରୀକ୍ଷାରେ ବଲାଙ୍ଗିର ମୋଟ ୫୪୬ ମାର୍କ ରଖି ଏ-୧ ଗ୍ରେଡ଼୍ ହାସଲ କରିଥିବା ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ,ବଲାଙ୍ଗିରର ଛାତ୍ର ବିନାୟକ ପଣ୍ଡାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବଲାଙ୍ଗିର ସହରର ପ୍ରତାପସାଗର ନିବାସୀ ତଥା ଅବସରପ୍ରାପ୍ତ ଶିକ୍ଷକ ହୃଦାନନ୍ଦ ଜେନା ନିଜ ସ୍ୱର୍ଗତ ପତ୍ନୀ ସୁପ୍ରଭା ମଜଂରୀ ଜେନାଙ୍କ ସ୍ମୃତି ଉଦ୍ଦେଶ୍ୟରେ ମେଧାବୀ ଛାତ୍ର ବିନାୟକ ପଣ୍ଡାଙ୍କୁ ଉତରୀୟ, ମାନପତ୍ର ଓ ନଗଦ ଅର୍ଥରାଶି ପ୍ରଦାନ ପୂର୍ବକ ବ୍ୟକ୍ତିଗତ ଭାବେ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଜେନା ନିଜ ଶିକ୍ଷକତା ଚାକିରୀର ପ୍ରାରମ୍ଭ ଓ ଶେଷ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିରରେ ହିଁ କରିଥିବାରୁ ବିଦ୍ୟାଳୟର ମେଧାବୀ ଛାତ୍ରଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ନିଜ ଦିବଙ୍ଗତ ପତ୍ନୀଙ୍କ ଉଦ୍ଦେଶ୍ୟରେ ଏ ସମ୍ବର୍ଦ୍ଧନା ପ୍ରଦାନ କରିବା ପାଇଁ ନିଷ୍ପତି ନେଇଥିବା କହିଛନ୍ତି । ଏ ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଦ୍ମଲୋଚନ ଆଚାର୍ଯ୍ୟଙ୍କ ସହ ପରିବାରର ସମସ୍ତ ସଦସ୍ୟ/ସଦସ୍ୟା ଉପସ୍ଥିତ ରହି ମେଧାବୀ ଛାତ୍ର ବିନାୟକ ପଣ୍ଡାଙ୍କ ଉଜ୍ୱଳମୟ ଭବିଷ୍ୟ କାମନା କରିଥିଲେ ।