
ପୁରୀ : ବାସେଳି ସାହି ଥାନା ଅଧୀନ ମଶାଣି ଚଣ୍ଡୀ ଛକ ରାସ୍ତାରେ ଘଟିଛି ବିଭତ୍ସ ହତ୍ୟା । ମଶାଣି ଚଣ୍ଡୀ କମିଟି ସମ୍ପାଦକ କୁନା ବେହେରା (୪୫)ଙ୍କୁ ଲଙ୍କାଗୁଣ୍ଡ ମାଡ଼କରି ଅତି ବିଭତ୍ସ ଭାବେ ହାଣି ହତ୍ୟା କରାଯାଇଛି । ଗୁରୁବାର ରାତିରେ ଏହି ନାରକୀୟ କାଣ୍ଡ ଘଟିଛି । ହତ୍ୟା ପରେ ଅଭିଯୁକ୍ତ ଥାନାକୁ ଯାଇ ଆତ୍ମସମର୍ପଣ କରିଛି । ଶୁକ୍ରବାର ସକାଳେ ଶବ ଜବତ କରିଛି ପୁଲିସ । ଅଟକ ଅଭିଯୁକ୍ତ ସେହି ଅଞ୍ଚଳର ଲିପୁନ ଭୋଇ ବୋଲି ପୁଲିସ କହିଛି । ସୂଚନା ମୁତାବକ, ମା’ ମଶାଣି ଚଣ୍ଡୀ ପୀଠ କମିଟି ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇଥିଲେ କୁନା । ପୀଠ ନିକଟ ବେହେରା ସାହିରେ ତାଙ୍କ ଘର ଥିବାବେଳେ ସେ ଏକାକୀ ରହୁଥିଲେ ପତ୍ନୀ ତାଙ୍କ ପିଲାମାନଙ୍କୁ ନେଇ ବାପଘରେ ରହୁଥିଲେ । ଦୁଇ ଦିନ ତଳେ ମଶାଣି ଚଣ୍ଡୀ ପୀଠରୁ ଲିପୁନର ବାପା ବିଷ୍ଣୁ ଭୋଇ ପଇଡ଼ ଚୋରି କରୁଥିଲା । ତାକୁ ଧରିଥିଲେ କୁନା । ବିଷ୍ଣୁକୁ ୨ ଚାପୁଡ଼ା ମାରି ଆଉ ଏମିତି ନକରିବାକୁ ଚେତାବନୀ ଦେଇଥିଲେ । ବିଷ୍ଣୁ ଘରକୁ ଫେରି ପୁଅମାନଙ୍କୁ କହିଥିଲା । ବାପାକୁ ଚାପୁଡ଼ା ମାଡ଼ ଘଟଣାକୁ ଦୁଇ ପୁଅ ବରଦାସ୍ତ କରିପାରି ନଥିଲେ । ଲିପୁନ ଓ ତା’ ଭାଇ ସିପୁନ ରାତିରେ କୁନାଙ୍କ ଘରକୁ ଯାଇଥିଲେ । ମାଡ଼ର କାରଣ ପଚାରିବାବେଳେ ଯୁକ୍ତି ତର୍କ ହୋଇଥିଲା । ଲିପୁନକୁ ବି ୨ ଚାପୁଡ଼ା ମାରିଥିଲେ କୁନା । ଏଥିରେ ଉତକ୍ଷିପ୍ତ ହୋଇ ତାଙ୍କୁ ଲଙ୍କାଗୁଣ୍ଡ ମାଡ଼କରି ହାଣି ପକାଇଥିଲେ । ଏକାଧିକ ଚୋଟ ବାଜି କ୍ଷତାକ୍ତ ଅବସ୍ଥାରେ ଘର ଭିତରେ ପଡ଼ିଥିଲେ କୁନା । ପ୍ରବଳ ରକ୍ତସ୍ରାବ ଯୋଗୁଁ ତାଙ୍କର ସେହିଠାରେ ମୃତ୍ୟୁ ଘଟିଥିଲା । ଏହାପରେ ଲିପୁନ ଥାନାରେ ଯାଇ ହତ୍ୟାକାଣ୍ଡ ସମ୍ପର୍କରେ କହିଥିଲା । ପ୍ରାଚୀର ଡେଇଁ ଯିବା ଆସିବା କରିବାବେଳେ ସେ ମଧ୍ୟ କ୍ଷତାକ୍ତ ହୋଇଥିଲା । ପୁଲିସ ତାକୁ ଚିକିତ୍ସା କରି ଅଟକ ରଖିଛି । ତା’ ବାପା ବି ଥାନାରେ ଅଟକ ଅଛି । ହତ୍ୟାରେ ଆଉ କିଏ ସମୃକ୍ତ ଅଛି ତାହାର ଛାନଭିନ କରୁଛି ପୁଲିସ । ସାଇଣ୍ଟିଫିକ ଟିମ ସହ ପୁଲିସ କ୍ରାଇମ ସ୍ପଟରେ ତଦନ୍ତ ଆରମ୍ଭ କରିଛି । ସେଠାରୁ ୩ଟି ଚାପଡ଼ ଜବତ କରାଯାଇଛି । ବ୍ୟବଚ୍ଛେଦ ନିମନ୍ତେ ଶବକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଛି ।