centurian jitm

ପୁରୀ ବିମାନବନ୍ଦର ପାଇଁ ନୀତିଗତ ଅନୁମୋଦନ : ପ୍ରଧାନମନ୍ତ୍ରୀ ଓ ବେସାମରିକ ଚଳାଚଳ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ କେନ୍ଦ୍ର ସରକାର ଦେଶବ୍ୟାପୀ ବିମାନ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ସଂକଳ୍ପବଦ୍ଧ ଅଛନ୍ତି । ଏହି କ୍ରମରେ ଆଉ ଏକ ପଦକ୍ଷେପ ନେଇଛନ୍ତି ସରକାର । ଓଡ଼ିଶାର ପୁରୀ ଏବଂ ରାଜସ୍ଥାନର କୋଟାରେ ନୂଆ ବିମାନ ବନ୍ଦର ନିର୍ମାଣକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡ଼ୁ କିଞ୍ଜରପୁ ଗତକାଲି ଏହି ଦୁଇଟି ଗ୍ରୀନଫିଲ୍ଡ ବିମାନ ବନ୍ଦର ନିର୍ମାଣକୁ ନୀତିଗତ ଅନୁମୋଦନ ପ୍ରଦାନ କରିଛନ୍ତି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁରୀରେ ବିମାନ ବନ୍ଦରକୁ କେନ୍ଦ୍ରର ମଞ୍ଜୁରୀ ପରେ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବେସାମରିକ ଚଳାଚଳ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ନିଷ୍ପତ୍ତି ଫଳରେ ଧାର୍ମିକ ପର୍ୟ୍ୟଟନ କ୍ଷେତ୍ରକୁ ବଳ ମିଳିବ ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସହିତ ଆଞ୍ଚଳିକ ବିକାଶ ଏବଂ ଅଞ୍ଚଳକୁ ସାମଗ୍ରିକ ଯୋଗାଯୋଗ କ୍ଷେତ୍ରରେ ଅନେକ ସୁଧାର ଆସିଯିବ ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଆଗାମୀ ୩ ବର୍ଷ ଭିତରେ ଏହାର ନିର୍ମାଣ କାର୍ୟ୍ୟ ସାରିବା ପାଇଁ ଟାର୍ଗେଟ ରଖାଯାଇଛି । ପିପିପି ମୋଡରେ ନିର୍ମାଣ ହେବାକୁ ଥିବା ଏହି ବିମାନ ବନ୍ଦର ପାଇଁ ୨୨୦୩ କୋଟି ଟଙ୍କା ଖର୍ଚ୍ଚ ହେବ । ବର୍ଷକୁ ୪୬ଲକ୍ଷ ଯାତ୍ରୀଙ୍କର ଯାତାୟତର ବ୍ୟବସ୍ଥା ରହିବ । ଏହି ବିମାନ ବନ୍ଦର ନିର୍ମାଣ ହେଲେ ପୁରୀକୁ ଅଧିକରୁ ଅଧିକ ପର୍ୟ୍ୟଟକ ଏବଂ ଭକ୍ତ ଆସିବା ସହ ପର୍ୟ୍ୟଟନ ଓ ଅର୍ଥନୀତି କ୍ଷେତ୍ରରେ ପୁରୀ ବେଶ ସମୃଦ୍ଧ ହେବ । ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ସମୃଦ୍ଧ ଓଡିଶା ଗଠନ ଲକ୍ଷ୍ୟରେ ରାଜ୍ୟରେ ବ୍ୟାପକ ଭିତ୍ତିଭୂମିର ବିକାଶ ସହିତ ଶିଳ୍ପ ବିକାଶ ଉପରେ ଗୁରୁତ୍ୱ ଆରୋପ କରୁଛନ୍ତି । ରାଜ୍ୟରେ ବିଭିନ୍ନ ବିମାନ ଚଳାଚଳ ଭିତ୍ତିଭୂମିର ସୁଦୃଢୀକରଣ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି । ପୁରୀ ସହିତ ପାରାଦୀପରେ ମଧ୍ୟ ଏକ ନୂଆ ବିମାନ ବନ୍ଦର କରିବାର ଯୋଜନା ରହିଛି । ପୁରୀ ବିମାନ ବନ୍ଦରକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିବା ପରେ ଆହୁରି ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ପର୍ୟ୍ୟଟକ ଓଡିଶା ଆସିବାର ସୁଯୋଗ ପାଇବେ । ଏଥିସହ ରାଜ୍ୟ ପର୍ୟ୍ୟଟନ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.