centurian jitm

ମାଆ କାଳୀ ବାଉଡ଼ି ଦେବୀଙ୍କ କୃଷିଭିତ୍ତିକ ମଣ୍ଡେଇ ପର୍ବ

ଜୟପାଟଣା, (ଶେଷଦେବ ବେହେରା) : ଧର୍ମୀୟ ବିଶ୍ୱାସ ମଧ୍ୟରେ ଜଗତକୁ ଦେଖି ଆସୁଥିବା ମଣିଷମାନେ ଆଜିବି ଦେବଦେବୀ, ଧରଣୀ ମାତା ଉପରେ ସମର୍ପିତ ରହି ବିଶ୍ୱାସକୁ ଦ୍ଵିଗୁଣିତ କରୁଥିବାର ଦେଖିବାକୁ ମିଳୁଛି । ସେହି ଧାର୍ମୀୟ ବିଶ୍ୱାସକୁ ବଳବତ୍ତର ରଖିବା ପାଇଁ ଆଜି କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼ କରଲାକୋଟ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମାଆ କାଳୀ ବାଉଡିଙ୍କ ବାର୍ଷିକ କୃଷିଭିତ୍ତିକ ମଣ୍ଡେଇ ପର୍ବ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି । ଏହି ଇଲାକା କୃଷି ପ୍ରଧାନ ଅଞ୍ଚଳ ହୋଇଥିବାରୁ ଅକ୍ଷୟ ତୃତୀୟ ପରେ ନିଜ ନିଜର ଇଷ୍ଟଦେବଦେବୀ ମାନଙ୍କ ପାଖରେ ପୂଜା ଅର୍ଚ୍ଚନା ପୂର୍ବକ ପୀଠମାନଙ୍କରୁ ଆଜ୍ଞାମାଳ ନେଇ ବର୍ଷକର ଚାଷ ପାଇଁ ଚାଷୀମାନେ ଓହ୍ଲାଇ ଥାଆନ୍ତି । ଏହି ଅବସରରେ ଆୟୋଜିତ ମଣ୍ଡେଇ ପର୍ବରେ ଅଞ୍ଚଳର ବିଭିନ୍ନ ଦେବଦେବୀ ସୁସଜ୍ଜିତ ପଟୁଆରରେ ଲାଠି, ସିଂହାସନ ଓ ପାରମ୍ପାରିକ ବାଦ୍ୟ ସହିତ ମନ୍ଦିର ପରିସରରେ ଆୟୋଜିତ ପୂଜାସ୍ଥଳରେ ପହଞ୍ଚି ଥାଆନ୍ତି । ଏଠାରେ ପୂଜା ଅର୍ଚ୍ଚନା ପରେ ବିଭିନ୍ନ ଗ୍ରାମର କାଲିଶି ମାନଙ୍କର ପ୍ରଦର୍ଶନ ହୋଇଥାଏ । ପରିଶେଷରେ ଦେବଦେବୀମାନେ କଣ୍ଟାଦୋଳିରେ ଝୁଲି ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ଅତୁଟ ବିଶ୍ୱାସ ଜନ୍ମାଇ ଥାଆନ୍ତି । ଏହି ଯାତ୍ରାରେ ସ୍ଥାନୀୟ ପ୍ରତାପପୁର, ଛତାପଦର, ଜୟପାଟଣା, ଶାଗଜୋର୍, ପାବଲି, ଲାଖବାହିଲି ଆଦି ଅଞ୍ଚଳର ବିଭିନ୍ନ ଦେବଦେବୀ ରାସ୍ତା କଡ଼ର ସମବେତ ଶ୍ରଦ୍ଧାଳୁମାନଙ୍କୁ ଆଶିର୍ବାଦ କରି ଯାତ୍ରାସ୍ଥଳୀରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥାଏ ।

Leave A Reply

Your email address will not be published.