
- ନାମଯଜ୍ଞ ସହ ଧର୍ମଯଜ୍ଞ ମୋଟ ୩୦ୟୁନିଟ ରକ୍ତ ସଂଗ୍ରହ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମପ୍ରବାହରେ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ଏଭଳି ଜରୁରୀ ସମୟରେ ରୋଗୀମାନଙ୍କୁ ରକ୍ତର ଅଭାବ ଦେଖାଦେଇଥାଏ । ଏହି ରକ୍ତର ଅଭାବକୁ ପୂରଣ କରିବାକୁ ନିଆରା ଢଙ୍ଗରେ ଆଗେଇ ଆସିଛନ୍ତି ମୁରିବାହାଲ ବ୍ଲକ ବଡତେନ୍ତୁଳିଖୁଣ୍ଟି ଗ୍ରାମବାସୀ । ଗ୍ରାମରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଷୋହଳ ପ୍ରହରୀ ନାମଯଜ୍ଞ ଓ ବିଶ୍ୱଶାନ୍ତି ଘୃତଯଜ୍ଞରେ ଆୟୋଜକ କମିଟି ଆନୁକୂଲ୍ୟରେ ନାମଯଜ୍ଞ ସହ ଧର୍ମଯଜ୍ଞ ଭଲି ମାନବ ସେବା ହିଁ ମାଧବ ସେବାରେ ଏକ ବିଶାଳ ସ୍ୱେଛାକୃତ ରକ୍ତଦାନ ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା । ପୂର୍ବଦିନ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଶୁକ୍ରବାର ନାମାରମ୍ଭ ହୋଇଥିଲା । ଷୋହଳ ପ୍ରହରୀରେ ପୂଜାକର୍ତ୍ତା ରୂପେ ଦୁଃଖୀଶ୍ୟାମ ବେହେରା ଓ ପତ୍ନୀ ଝରଣା ବେହେରା ତଥା ବିଶ୍ଵଶାନ୍ତି ଘୃତଯଜ୍ଞରେ ଯଜ୍ଞକର୍ତ୍ତା ରୂପେ ପ୍ରଦୀପ ନିଆଲ ଓ ତାଙ୍କ ପତ୍ନୀ ମମତା ନିଆଲ, ପୂଜକ ରୂପେ ପ୍ରବୀଣ କୁମାର ଦାସ ଓ ଜପକ ରୂପେ ମନୋରଞ୍ଜନ ପାଣିଗ୍ରାହୀ ଦାୟିତ୍ଵ ନିର୍ବାହ କରୁଛନ୍ତି । ଏହି ଅବସରରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା, ସମ୍ମାନିତ ଅତିଥି ଭାବେ ରାଜ୍ୟ ସରପଞ୍ଚ ସଂଘ ସଭାପତି ବୀରବର ସାହୁ, ସରପଞ୍ଚ ପ୍ରତିନିଧି ସମୟ ବେହେରା, ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ସାଧାରଣ ସମ୍ପାଦକ ଜୟନ୍ତ କୁମାର ସାହୁ, ଆୟୋଜକ କମିଟି ସଭାପତି କୈବଲ୍ୟ ବେହେରା, ଡମ୍ବରୁ ବନଛୋର, ଉପସଭାପତି କିଶୋର ରଣା, ସହ ସମ୍ପାଦକ ଦଶରଥ ନିଆଲ, ସମ୍ପାଦକ ମନୋହର ମହାନ୍ତି ଓ କରୁଣାକର ବେହେରା ଉପସ୍ଥିତ ଥିଲେ । ଏହି ରକ୍ତଦାନ ଶିବିରରେ ମୋଟ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଗ୍ରାମାଞ୍ଚଳରେ ନାମଯଜ୍ଞ ସହ ଏପରି ଏକ ରକ୍ତଦାନ ଶିବିର ଆୟୋଜନ କରିବା ଭଳି ନିଆରା ପ୍ରୟାସକୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ । ଅଞ୍ଚଳରେ ରକ୍ତ ଅଭାବକୁ ଦୂର କରିବା ପାଇଁ କମିଟି ଯେଉଁ ପ୍ରୟାସ କରିଛନ୍ତି ତାହା ନିଶ୍ଚିତ ରୂପେ ଅନ୍ୟ ଅନୁଷ୍ଠାନମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି ଜଣାପଡିଛି । ପ୍ରଥମେ ଅନୁଷ୍ଠାନର ସଭାପତି କୈବଲ୍ୟ ବେହେରା ରକ୍ତଦାନ କରିଥିଲେ ପରେ କମିଟିର ସୁଜିତ କୁମାର ବେହେରା, ବୈକୁଣ୍ଠ ଖରସେଲ, ସରପଞ୍ଚ ମୁନିରାମ ଖରସେଲ, ଗୁଳାପ, ଈଶ୍ୱର, ବିଦ୍ୟାଧର, ନୀଳାମ୍ବର, ଅନିଲ, କ୍ଷେତ୍ରମୋହନ, ଜଗନ୍ନାଥ, ଡୁକେଶ୍ଵର,ବିଜୟ, କୁନା, ଉପନନ୍ଦ, ଜଗମୋହନ, ହୃଦାନନ୍ଦ ମହାକୁର, ଭବାନି, ଜନ୍ମ, ଯାମିନୀ, ସୁମନ, ନରୋତ୍ତମ, ସୌରଭ, ଲୁକେଶ, ଗଦା, ଘନଶ୍ୟାମ, ନିରାକାର ରଣା ପ୍ରମୁଖ ରକ୍ତଦାନ କରିଥିଲେ । ମହିଳା ରକ୍ତଦାତା ମଧ୍ୟରେ ମଳି ବେହେରା, ରମଣୀ, ଯାମିନୀ, ଅଲିତା ବେହେରା ରକ୍ତଦାନ କରି ଅଞ୍ଚଳରେ ଭକ୍ତିମୟ ପରିବେଶ ସହ ସମାଜକୁ ଏକ ସୁଶିକ୍ଷା ଦେଇଥିଲେ । ଟିଟିଲାଗଡ ରକ୍ତ ଭଣ୍ଡାରର ସମସ୍ତ କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ । ଷୋହଳ ପ୍ରହରୀରେ ଜିଲ୍ଲା ତଥା ଜିଲ୍ଲା ବାହାରର ବହୁ ନାମକରା ସଙ୍କୀର୍ତ୍ତନ୍ୟ ମଣ୍ଡଳୀ ଯୋଗଦେଇ ହରେକୃଷ୍ଣ ହରେରାମ ମହାମନ୍ତ୍ର ପରିବେଷଣ କରୁଛନ୍ତି । ଆୟୋଜକ ବଡ ତେନ୍ତୁଳିଖୁଣ୍ଟି ନାମଯଜ୍ଞ କମିଟିର ସମସ୍ତ କର୍ମକର୍ତ୍ତା ତଥା ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ସମ୍ପୁର୍ଣ୍ଣ ସହଯୋଗ କରୁଛନ୍ତି ।