
ରାଉରକେଲା, (ସସ୍ମିତା ପ୍ରଧାନ) : ତୈମାସିକ ଓଡିଆ ସାହିତ୍ୟ ପତ୍ରିକା “ ସ୍ମୃତି ସାନ୍ତ୍ୱନା”ର ଚତୁର୍ଦ୍ଦଶତମ ବିଷୁବ ସାହିତ୍ୟ ସମାରୋହ ଓ ବନ୍ଧୁମିଳନ ପର୍ବ ଭୁବନେଶ୍ୱର ସ୍ଥିତ ବୁଦ୍ଧମନ୍ଦିର ଠାରେ ସମ୍ପାଦିକା ସବିତାରାଣୀ ବେହେରାଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଡ. ଦେବାଶିଷ ମହାପାତ୍ରଙ୍କ ମଂଚ ପରିଚାଳନାରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ମୁଖ୍ୟବକ୍ତା ଡ. ସଂଘମିତ୍ରା ମିଶ୍ର ପ୍ରଦୀପ ପ୍ରଜ୍ୱଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ପତ୍ରିକାର ସହସମ୍ପାଦିକା ଡ. ସୁମିତ୍ରା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ମିନତି ମିଶ୍ର ବେଦ ପାଠ କରିଥିଲେ । ଅତିଥି ମାନଙ୍କ କରକମଳରେ ସ୍ମୃତି ସାନ୍ତ୍ୱନା ପତ୍ରିକାର ବିଷୁବ ସଂଖ୍ୟା ୨୦୨୫ ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ସବିତାରାଣୀ ବେହେରାଙ୍କ ରଚିତ ଉପନ୍ୟସ ଏନ୍ତୁଡିରୁ ସ୍ୱର୍ଗଦ୍ୱରେ ଓ ଡ. ସଂଯୁକ୍ତା ଚୌଧୁରୀଙ୍କ ଗଳ୍ପ ସଂକଳନ ଉଜୁଡାମନ ଲୋକାର୍ପିତ ହୋଇଥିଲା । ସମ୍ପାଦିକା ସବିତାରାଣୀ ବେହେରା ତାଙ୍କ ସମ୍ପାଦକୀୟ ଅଭିଭାଷଣରେ “ସ୍ମୃତି ସାନ୍ତ୍ୱନା ସାହିତ୍ୟ ସଂସଦ “ ଗଠନର ଆଭିମୁଖ୍ୟ ପ୍ରକାଶ କରିବା ସହିତ ସଂସଦର କର୍ମକର୍ତ୍ତାମାନଂକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସଂସଦର ସଭାପତି ପ୍ରଫେସର ଡ଼ ଗଙ୍ଗାଧର ମିଶ୍ର ଓ ସାଧାରଣ ସମ୍ପାଦକ ଡ଼ ଭାସ୍କର ଚନ୍ଦ୍ର ସାହୁ ସଂଗଠନର ଆଭିମୁଖ୍ୟ ବିଷୟରେ ଆଲୋକ ପାତ କରିଥିଲେ ଏବଂ ରାଉରକେଲାର ଜଗଦାରେ ରହୁଥିବା ବିଶିଷ୍ଟ ସଂଗଠକ ବିରୁପାକ୍ଷ ନାରାୟଣ ସାମନ୍ତରାୟ କୋଷାଧକ୍ଷ ଭାବେ ଓ ରାଉରକେଲାର ବିଶିଷ୍ଟ କବି ସ୍ନେହଲତା ପଟ୍ଟନାୟକ ସଭ୍ୟା ଭାବେ ଏହି ନବଗଠିତ ସ୍ମୃତି ସାନ୍ତ୍ୱନା ସାହିତ୍ୟ ସଂସଦରେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକ, ଡ. ଜୟଶ୍ରୀ ନନ୍ଦ ଓ କମଳକୁମାରୀ ଦାଶଙ୍କୁ ସ୍ମୃତି ସାନ୍ତ୍ୱନା ବିଷୁବ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଡ. ସୁଚେତା ରାଉତ, ଅନିମା ପଟ୍ଟନାୟକ, ଶରତକୁମାରୀ ମିଶ୍ର ଓ ମନିକା ମହାପାତ୍ରଙ୍କ ସଂଯୋଜନାରେ ଶତାଧିକ କବି କବିତା ପାଠ କରିଥିଲେ । ଶେଷରେ ବିଜୟଲକ୍ଷ୍ମୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।