centurian jitm

ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କୁ ସଇଁତଲାରେ ମରଣାନ୍ତକ ଆକ୍ରମଣ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଆଜି ସକାଳେ ସଇଁତଲାରେ ମରଣାନ୍ତକ ଆକ୍ରମଣର ଶୀକାର ହୋଇଥିବା ବେଳେ ଆହତ ଜଣକ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । ଆହତ ଜଣକ ହେଲେ ବଲାଙ୍ଗିର ଇନ୍ଦ୍ରାନଗର ବାସିନ୍ଦା ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଅଶୋକ କୁମାର ଯୋଶୀ । ତାଙ୍କ କହିବା ଅନୁସାରେ ଗତକାଲି ସେ ବିଶୁଷ ସଂକ୍ରାନ୍ତି ଅବସରରେ ନିଜ ମୂଳ ଗାଁ ସଇଁତଲା କଅଁସରପଡ଼ାକୁ ଯାଇଥିବା ବେଳେ ଆଜି ସକାଳ ପ୍ରାୟ ସାଢେ଼ ୬ଟା ସମୟରେ ନିଜ ଚାଷ ଜମି ଆଡ଼କୁ ଏକାକୀ ବୁଲିବାକୁ ଯାଇଥିଲେ । ଏତିକି ବେଳେ ସଇଁତଲାର ଜଗଦୀଶ ମାଝୀ, ତାଙ୍କ ବାପା ଅତୁଲ ମାଝୀ ଏବଂ ତାଙ୍କ ମା’ ତିନି ଜଣ ମିଶି ଶ୍ରୀ ଯୋଶୀଙ୍କୁ ବାଉଁଶ ଠେଙ୍ଗା ସାହାଯ୍ୟରେ ଅତର୍କିତ ଆକ୍ରମଣ କରିଥିଲେ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶ୍ରୀ ଯୋଶୀ ଯେତେବେଳେ ପଡ଼ି ଯାଇଥିଲେ ସେତେବେଳେ ସେମାନେ ସେଠାରୁ ଫେରାର୍‌ ହୋଇଯାଇଥିଲେ । କିଛି ସମୟ ପରେ ଶ୍ରୀ ଯୋଶୀଙ୍କ ପରିବାର ଲୋକେ ଖବର ପାଇ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ସଇଁତଲା ଡାକ୍ତରଖାନାକୁ ନେଇଥିଲେ ଏବଂ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସେଠାରୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌କୁ ରେଫର୍‌ କରାଯାଇଥିଲା । ଏବେ ସେ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । ଶ୍ରୀ ଯୋଶୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ୩୦ଟି ଷ୍ଟିଚ୍‌ ହୋଇଥିବା ବେଳେ ବାମ ହାତ ଭାଂଗି ଯାଇଛି । ଏଥିସହିତ ଦେହର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଗଭୀର କ୍ଷତ ଥିବାରୁ ଷ୍ଟିଚ୍‌ ପଡ଼ିଥିବା ଶ୍ରୀ ଯୋଶୀ କହିଛନ୍ତି । ତାଙ୍କ କହିବା ଅନୁସାରେ ପରମାନେଣ୍ଟ ଇନ୍‌ଡ଼କ୍‌ସନ୍‌ ଅର୍ଡର ରହିଛି ଏବଂ ଆକ୍ରମଣକାରୀମାନେ ତାଙ୍କ ଚାଷ ଜମି ଉପରକୁ ଆସିବା ବେଆଇନ । କିନ୍ତୁ ସେମାନେ ତାଙ୍କ ଚାଷ ଜମି ଉପରକୁ ଆସି ତାଙ୍କୁ ଅତର୍କିତ ଆର୍କମଣ କରିଛନ୍ତି । ଏ ଦିଗରେ ପୋଲିସ ପକ୍ଷରୁ ଉଚିତ ତଦନ୍ତ କରାଯାଇ ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶ୍ରୀ ଯୋଶୀ ଦାବୀ କରିଛନ୍ତି ।

Leave A Reply

Your email address will not be published.