
ନୂତନ ବସ୍ ଷ୍ଟାଣ୍ଡର ପୁନଃ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ : ବ୍ୟବସାୟୀଙ୍କ ସହ ଅନୁଷ୍ଠିତ ହେଲା ପ୍ରାରମ୍ଭିକ ପରାମର୍ଶ ମୂଳକ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ବିଶ୍ରା ଛକ ନିକଟରେ ଥିବା ନୂତନ ବସ୍ ଷ୍ଟାଣ୍ଡରୁ ପ୍ରତିଦିନ ଶହ ଶହ ବସ୍ ଓ ହଜାର ହଜାର ଯାତ୍ରୀ ରାଜ୍ୟ ଓ ରାଜ୍ୟ ବାହାରକୁ ଯାତାୟାତ କରନ୍ତି । ଦିନକୁ ଦିନ ବଢ଼ୁଥିବା ଜନସଂଖ୍ୟା ଓ ଯାତ୍ରୀଙ୍କ ଭିଡ଼ ଦୃଷ୍ଟିରୁ ଏହି ବସ୍ ଷ୍ଟାଣ୍ଡ ବିଭିନ୍ନ ସମସ୍ୟା ସମ୍ମୁଖୀନ ହେଉଛି, ଯେପରିକି ଅତ୍ୟଧିକ ଭିଡ଼, ବିପଦପୂର୍ଣ୍ଣ କୋଠା ଓ ଅନୁପଯୁକ୍ତ ଅବସ୍ଥା । ଯାତ୍ରୀ, ବ୍ୟବସାୟୀ, ବସ୍ ମାଲିକ ଓ ଜନସାଧାରଣଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି, ଏହି ବସ୍ ଷ୍ଟାଣ୍ଡର ପୁନଃ ନିର୍ମାଣ କରାଯିବ । ଏହି ପୁନଃ ନିର୍ମାଣ କାର୍ଯ୍ୟ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ (ଆରଏସସିଏଲ) ଓ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆରଡିଏ) ର ମିଳିତ ସହଯୋଗରେ କରାଯିବ । ଉକ୍ତ ବସ୍ ଷ୍ଟାଣ୍ଡକୁ ଏକ ଅତ୍ୟାଧୁନିକ ବସ୍ ଟର୍ମିନାଲର ରୂପ ଦିଆଯିବା ସହିତ ଯାତ୍ରୀ ଓବ୍ୟବସାୟୀମାନେ ଯେପରି ଗୁଣାତ୍ମକ ସେବା ପାଇ ପାରିବେ ତାହା ଉପରେ ଗୁରୁତ୍ୱ ଦିଆଯିବ । ଏହି ପ୍ରସଙ୍ଗରେ, ମଙ୍ଗଳବାର ରାଉରକେଲା ସ୍ମାର୍ଟ ସିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଏକ ପ୍ରାରମ୍ଭିକ ପରାମର୍ଶ ମୂଳକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବସ୍ ଟର୍ମିନାଲ ଓ ଫକିର ମୋହନ ମାର୍କେଟର ବ୍ୟବସାୟୀମାନେ ଉପସ୍ଥିତ ଥିଲେ । ଏହି ବୈଠକରେ କୁଲକର୍ଣ୍ଣି ବସ୍ ଷ୍ଟାଣ୍ଡର ପୁନଃ ନିର୍ମାଣ ବିଷୟରେ ସବିଶେଷ ତଥ୍ୟ ଉପସ୍ଥାପନା କରି ବ୍ୟବସାୟୀମାନଙ୍କ ସହଯୋଗ କାମନା କରିଥିଲେ । ସେ କହିଥିଲେ ଯେ ଏହି ନୂତନ ବସ୍ ଟର୍ମିନାଲରେ ବ୍ୟବସାୟୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନୂତନ ଦୋକାନ ଗୃହ ନିର୍ମାଣ କରାଯିବ । ଯାହା ତାଙ୍କର ଜୀବିକା ନିର୍ବାହ ନିମନ୍ତେ ଉପଯୁକ୍ତ ହେବ । ପ୍ରସ୍ଥାବିତ ନୂତନ ବସ୍ ଷ୍ଟାଣ୍ଡରେ ମୋଟ ୩୬ଟି ‘ବସ୍ ବେ’ ରହିବା ସହ ଆରଏସପି ଠାରୁ ନିଆଯାଇଥିବା ଜାଗାରେ ଦୂରଗାମୀ ବସ୍ଗୁଡିକ ପାଇଁ ଏକ ଅତିରିକ୍ତ ପାର୍କିଂ ସ୍ଥଳ ନିର୍ମାଣ କରାଯିବ ବୋଲି ଶ୍ରୀ କୁଲକର୍ଣ୍ଣି ସୂଚନା ଦେଇଥିଲେ । ଏହି ବୈଠକରେ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷର ସମ୍ପାଦକ, ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକ, ରାଉରକେଲା ସ୍ମାର୍ଟ ସିଟି ଓ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷର ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।