ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ପଞ୍ଚତତ୍ୱ ଗତ ଫେବୃଆରୀ ମାସ ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ବିହାରର ବରିଆରପୁର ଠାରେ ଆୟୋଜିତ ହୋଇଥିବା ଅନ୍ତଃର୍ଜାତୀୟ ସାଂସ୍କୃତିକ ମହୋତ୍ସବ ଅଙ୍ଗନାଟ୍ୟ ଯଜ୍ଞର ୨୫ ତମ ବାର୍ଷିକୋତ୍ସବରେ ସଫଳତା ହାସଲ କରି ସହରକୁ ଗୈାରବାନ୍ୱିତ କରିଛନ୍ତି । ଏନେଇ ସେକ୍ଟର ୧ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମୀଳନୀରେ ପଞ୍ଚତତ୍ୱର ନିର୍ଦ୍ଦେଶକ ନିହାରରଞ୍ଜନ ମିଶ୍ର ଓ ସମ୍ପାଦକ ଜନ୍ମଞ୍ଜୟ ମହାନ୍ତି ତଥା ଅନ୍ୟମାନେ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ, ଏହି ସାଂସ୍କୃତିକ ମହୋତ୍ସବରେ ଅଷ୍ଟ୍ରିଆ, ଶ୍ରୀଲଙ୍କା, ନେପାଳ ସମେତ ଦେଶର ବିଭିନ୍ନ ସ୍ଥାନରୁ ୧୮ଟି ଦଳ ଅଂଶଗ୍ରହଣ କରି ନାଟକ ପ୍ରଦର୍ଶନ କରିଥିଲେ । ଏଥିରେ ରାଉରକେଲାର ପଞ୍ଚତତ୍ୱ ତରଫରୁ ନିହାର ରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶିତ ହାସ୍ୟରସ ନାଟକ ନାରୀର ମୁହଁ ସବୁ ଓ ପଥପ୍ରାନ୍ତ ନୁକ୍କଡ ନାଟକ ମାଙ୍କଡ ତାମସା ପ୍ରଦର୍ଶିତ ହୋଇଥିଲା । ସାମାଜିକ ବ୍ୟବସ୍ଥାକୁ ନେଇ ନାଟକ ନାରୀର ବିଷୟ ବସ୍ତୁ ହେଲା ଯେବେଠାରୁ, ସୃଷ୍ଟି ଆରମ୍ଭ ହୋଇଛି ସେବେଠାରୁ ପୁରୁଷକୁ ପ୍ରଥମ ଓ ନାରୀକୁ ଦ୍ୱିତୀୟ ସ୍ଥାନରେ ରଖିଛି । ନାରୀ ମଧ୍ୟ ଉତ୍ସର୍ଗୀକୃତ ମନୋଭାବ ଦ୍ୱାରା ଏହାକୁ ସ୍ୱୀକାର କରିନେଇଛି । ହେଲେ ନାରୀକୁ ଉପଯୁକ୍ତ ସମ୍ମାନ ମିଳିପାରିଲେ ସମାଜର ଉନ୍ନତି ସମ୍ଭବ, ଏଭଳି ବିଷୟବସ୍ତୁ ନେଇ ନାଟକ ପ୍ରଦର୍ଶିତ ହୋଇଥିଲା । ନାଟକଟି ଚତୁର୍ଥ ସ୍ଥାନ ଅଧିକାର କରିଥିବାବେଳେ ଦୁଇଟି ବିଭାଗରେ ପୁରସ୍କୃତ ହୋଇଥିଲା । ମାଙ୍କଡ ତାମସାରେ ଅନୁଷ୍ଠାନ ଶ୍ରେଷ୍ଠ ନାୟକ, ଶ୍ରେଷ୍ଠ ନାୟିକା, ଶ୍ରେଷ୍ଠ ଖଳନାୟକ, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ପ୍ରଯୋଜନା ଓ ଶ୍ରେଷ୍ଠ ଲେଖକ ପୁରସ୍କାର ହାତେଇବାରେ ସକ୍ଷମ ହୋଇଥିଲା । ଏହି ନାଟକରେ ସଂଗୀତକୁ ରତିକାନ୍ତ ଗୈାଡ ଓ ରୋନିତ ଶିଖା, ସହଯୋଗରେ ସୁଜାତା ସାମଲ, ସୁଦେଷ୍ଣାରାଣୀ ରାଉତ, ଶ୍ରଦ୍ଧାଞ୍ଜଳି ଦାସ ଓ ଅଭିନୟରେ ଜନ୍ମଞ୍ଜୟ ମହାନ୍ତି, ସ୍ମାରକ ଅନୁରାଗ ବାରିକ, ଆନନ୍ଦ ବାଗ ଐଶ୍ୱର୍ୟ୍ୟା ମହାନ୍ତି, ଶୁଭସ୍ମିତା ମହାନ୍ତି, କେ ପି ଶୁଭମ୍, ସାନିଆ ସାହୁ, ସାଇଚନ୍ଦନ ପ୍ରଧାନ, ତ୍ରିବିକ୍ରମ ତ୍ରିପାଠୀ, ସ୍ୱାଭିମାନ ଭୋଇନା, ପ୍ରେମ ନାଗ ଶ୍ରୀକାନ୍ତ ନନ୍ଦ, ଫୁଲ ମୁର୍ମୁ, ବନ୍ଦନା ନାୟକ, ଦିବ୍ୟାଂଶୁ ସାହୁ, ଅମିଶା ମିଶ୍ର, ରୁଦ୍ରଦେବ ମିଶ୍ର, ଓମ୍ ପାତ୍ର, ସ୍ୱରୁପ ବେହୁରା ପ୍ରମୁଖ ଅଭିନୟ କରିଥିଲେ । ସାମ୍ବାଦିକ ସମ୍ମିଳନୀରେ ନିର୍ଦ୍ଦେଶକ ଓ ସମ୍ପାଦକଙ୍କ ସହ ସମସ୍ତ ଅଭିନେତା ଅଭିନେତ୍ରୀମାନେ ଉପସ୍ଥିତ ଥିଲେ । ଶେଷରେ ସମ୍ପାଦକ ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post