ଅଙ୍କଲ୍‌ ସାଲାହ ଜହିନ୍‌ ଅନ୍ତର୍ଜାତୀୟ ପ୍ରଦର୍ଶନୀରେ ଅଶ୍ୱିନୀ-ଅବନୀଙ୍କ କୃତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକାଧାରରେ କବି, ଗୀତିକାର ଏବଂ ରାଜନୈତିକ ବ୍ୟଙ୍ଗଚିତ୍ର ଶିଳ୍ପୀ ଭାବରେ ପ୍ରସିଦ୍ଧି ହାସଲ କରିଥିବା ଇଜିପ୍ଟର ବହୁମୁଖୀ ପ୍ରତିଭାଧାରୀ ବ୍ୟକ୍ତିତ୍ୱ ସାଲାହ ଜହିନ୍‌ଙ୍କ ସମ୍ମାନାର୍ଥେ ହାନାଜେର ଆର୍ଟ ସେଂଟର, କାଇରୋ ସ୍ଥିତ ଆଦାମ୍‌ ହେନିନ୍‌ ହଲ୍‌ ଠାରେ ସଂପ୍ରତି ଆୟୋଜିତ ‘ଆୱାର୍‌ ଅଙ୍କଲ ସାଲାହ ଜହିନ୍‌’ ଅର୍ନ୍ତଜାତୀୟ କେରିକେଚର୍‌ ଏକ୍‌ଜିବିସନ୍‌ରେ ଓଡିଶାର ଲବ୍ଧପ୍ରତିଷ୍ଠ କାର୍ଟୁନିଷ୍ଟ ଭ୍ରାତୃଦ୍ୱୟ ଅଶ୍ୱିନୀ-ଅବନୀଙ୍କ ଏକ କୃତି ସ୍ଥାନ ପାଇଛି । ୧୯୬୦ ମସିହାରୁ ଆରମ୍ଭ କରି ୧୯୮୬ ମସିହାରେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ‘ଅଲ୍‌ ଅହରାମ୍‌’ ଦୈନିକ ପ୍ରକାଶନରେ କାର୍ଟୁନ ପ୍ରକାଶିତ କରି ପରିଚିତି ହାସଲ କରିଥିବା ଏହି ବିରଳ ବ୍ୟକ୍ତିତ୍ୱଙ୍କ ସ୍ମୃତିରେ ଇଜିପ୍ଟର ସଂସ୍କୃତି ବିଭାଗ ସହାୟତାରେ ଆୟୋଜିତ ହୋଇଥିବା ଏହି ପ୍ରଦର୍ଶନୀଟିର ଉଦ୍‌ଘାଟନ ସମାରୋହରେ କାଇରୋ ଠାରେ ଅବସ୍ଥାପିତ ନେଦରଲାଣ୍ଡର ରାଷ୍ଟ୍ରଦୂତ ପିଟର ମୁଲିମା, ଇଜିପ୍ଟ ମିନିଷ୍ଟର ଅଫ୍‌ କଲଚର ଫର ଡାଏଲଗ ଏଣ୍ଡ କମ୍ୟୁନିଟି ଡେଭେଲପମେଂଟର ପରାମର୍ଶଦାତା ଅମୀର ଟାଡ୍ରସ୍‌, ଚିତ୍ରଶିଳ୍ପୀ ସାମିଆ ଜହିନ ଏବଂ ଆୟୋଜକ ତଥା ଇଜିପ୍ଟ କେରିକେଚର୍‌ ଏସୋସିଏସନ୍‌ର ସେକ୍ରେଟେରି ଜେନେରାଲ୍‌ ଫୌଜି ମର୍ସୀ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ସାଲାହ ଜହିନ୍‌ଙ୍କ ନିଜସ୍ୱ ୩୨ଟି ଚିତ୍ର ସହ ଭାରତ ସମେତ ସ୍ୱିଡେନ, ଋଷ, ସ୍ପେନ, କ୍ୟୁବା, ଚୀନ, ପେରୁ, ବ୍ରାଜିଲ, ଉରୁଗୁଏ, ଇଜିପ୍ଟ ଆଦି ବିଶ୍ୱର ବିଭିନ୍ନ ପ୍ରାନ୍ତର ୫୨ ଜଣ କାର୍ଟୁନିଷ୍ଟଙ୍କ ୬୦ଟି କୃତି ପ୍ରଦର୍ଶନୀ ପାଇଁ ନିର୍ବାଚିତ ହୋଇଥିବା ଜଣାଯାଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଫେବୃୟାରୀ ୧୯ ଏବଂ ୨୦ ତାରିଖର ଏହି ପ୍ରଦର୍ଶନୀଟି କାଇରୋ ଠାରେ ଅନୁଷ୍ଠିତ ହେବା ପରେ ଫେବୃୟାରୀ ୨୧ ତାରିଖରେ ରୋମ ସ୍ଥିତ ଇଜିପ୍‌ସିଏନ୍‌ ଏକାଡେମୀ ଅଫ୍‌ ଆର୍ଟରେ ମଧ୍ୟ ଅନୁଷ୍ଠିତ ହୋଇଥିବାର ସୂଚନା ହସ୍ତଗତ ହୋଇଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ନିକଟ ଅତୀତରେ ‘ସଡକ ସୁରକ୍ଷା’ ଉପରେ ଅନୁଷ୍ଠିତ ହୋଇଥିବା ଏକ ଜାତୀୟ ବ୍ୟଙ୍ଗଚିତ୍ର ପ୍ରତିଯୋଗିତାରେ ଅଶ୍ୱିନୀ-ଅବନୀଙ୍କ କାର୍ଟୁନ୍‌ ପ୍ରଥମ ସ୍ଥାନ ହାସଲ କରିବାର ସୌଭାଗ୍ୟ ଲାଭ କରିଥିଲା । ‘ସ୍ପିରିଟ୍‌ ଅଫ୍‌ ଗାନ୍ଧୀ ଏକ୍‌ଜିବିସନ୍‌-କାଇରୋ’, ‘ଏଜ୍‌ ୟୁନିଭରସିଟି ଏକ୍‌ଜିବିସନ୍‌-ତୁର୍କିଏ’, ‘ମାଇକେଲ୍‌ ଜେକ୍‌ସନ୍‌ ଏକ୍‌ଜିବିସନ-ରୋମାନିଆ ପରି ବିଭିନ୍ନ ଅନ୍ତର୍ଜାତୀୟ ପ୍ରଦର୍ଶନୀ ମାନଙ୍କରେ ଏମାନଙ୍କ କୃତି କ୍ରମାଗତ ଭାବରେ ସ୍ଥାନ ପାଇଆସୁଛି । ସୂଚନା ଯୋଗ୍ୟ ଯେ ଦୀର୍ଘ ୩୫ ବର୍ଷରୁ ଅଧିକ ସମୟ ଧରି କାର୍ଟୁନ୍‌ କରିଆସୁଥିବା ଓଡିଶାର ଏହି ଭ୍ରାତୃଦ୍ୱୟ ବିଶ୍ୱ ବ୍ୟଙ୍ଗଚିତ୍ର ଜଗତରେ ବେଶ୍‌ ପରିଚିତ । ୨୦୧୪ ମସିହାରେ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇସାରିଥିବା ଅଶ୍ୱିନୀ-ଅବନୀ ଅନ୍ତର୍ଜାତୀୟ ତଥା ଜାତୀୟ ସ୍ତରରେ ବହୁବାର ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଥିବା ବେଳେ ଏମାନଙ୍କ ଦ୍ୱାରା ଆୟୋଜିତ ହେଉଥିବା ‘ପି. ସି. ରଥ ମେମୋରିଏଲ୍‌ ଇଂଟରନେସେନାଲ୍‌ ୱେବ୍‌ କାର୍ଟୁନ୍‌ କଂଟେଷ୍ଟ୍‌’ ବିଶ୍ୱସ୍ତରରେ ବେଶ ଆଦୃତି ଲାଭ କରିଛି ।

Leave A Reply

Your email address will not be published.