କନ୍ୟାଦାନ ପୂର୍ବରୁ ଗଲା ଜୀବନ, ୨୧ରେ ଥିଲା ଝିଅ ବାହାଘର ହେଲେ ଚାଲିଗଲା ବାପାଙ୍କ ଜୀବନ :

ଧଉଳି : ଆଉ ୪ ଦିନ ପରେ ଝିଅର ବାହାଘର ହୋଇଥାନ୍ତା । ଖୁବ୍‌ ଧୁମଧାମରେ ବାହାଘର କରିବାକୁ ପ୍ରସ୍ତୁତିରେ ଲାଗି ପଡ଼ିଥିଲେ ବାପା । ହେଲେ ବିଧିର ବିଧାନ ଥିଲା ଅଲଗା । ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ବାପା । ସୋମବାର ପିପିଲି ଥାନା କୌଶଲ୍ୟାଗଙ୍ଗ ଫାଣ୍ଡି ପୂବାଶାସନର ଏହି ଦୁଃଖଦ ଘଟଣା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ସେହି ଗ୍ରାମର ହେମନ୍ତ ସ୍ୱାଇଁ ଓରଫ କାହ୍ନୁଙ୍କ ବଡ଼ ଝିଅର ବାହାଘର ଏଇମାସ ୨୧ ତାରିଖରେ ହେବା ପାଇଁ ଦିନଧାର୍ୟ୍ୟ ହୋଇଥିଲା । ସେଥିପାଇଁ କାହ୍ନୁ ରବିବାର ବାହାଘର କାର୍ଡ ବଣ୍ଟାବଣ୍ଟି କରି ସାଇକଲ ଯୋଗେ ଘରକୁ ଫେରୁଥିଲେ । ରାତି ପ୍ରାୟ ୮ ଟାରେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଆସୁଥିବା ଏକ କାର ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ କାହ୍ନୁ ତଳେ ପଡିଯିବା ସହ ମୁଣ୍ଡରେ ତାଙ୍କର ଗଭୀର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ସଂକଟାପର୍ଣ୍ଣ ହେବାରୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର କାହ୍ନାଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟାଇଥିବା କାରକୁ ପୁଲିସ ଜବତକରିଥିବା ବେଳେ ଚାଳକ ସତ୍ୟବାଦୀ ଥାନା ଅଞ୍ଚଳର ମାନସ ଓରଫ ସୁବାସ ରାଉତଙ୍କୁ ଗିରଫ କରି କୋର୍ଟ ଚାଲାଣକରିଛି ।

Leave A Reply

Your email address will not be published.