ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମତ୍ସ୍ୟ-ବିଜ୍ଞାନୀ ପ୍ରଫେସର ସ୍ୱର୍ଗତ ରବିନାରାୟଣ ମିଶ୍ର ଜଣେ ଭିନ୍ନ ଏକ ଆଦର୍ଶ ମଣିଷ, ଜଣେ ସ୍ଵାଭିମାନୀ, ଜଣେ ଛାତ୍ର ବତ୍ସଳ ଏବଂ ଅନନ୍ୟା ପ୍ରତିଭାଧାରୀ ଅଟନ୍ତି । ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେବାକୁ ରାଜ୍ୟ କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ, (“ଓ.ୟୁ.ଏ.ଟି.”) ଭୁବନେଶ୍ଵରର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଛନ୍ତି । ପ୍ରଫେସର ସ୍ୱର୍ଗତ ରବିନାରାୟଣ ମିଶ୍ରଙ୍କ ଅମ୍ଳାନ ସ୍ମୃତି ପ୍ରତି କୁଳପତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ପ୍ରକାଶ ଥାଉକି ପ୍ରଫେସର ସ୍ୱର୍ଗତ ରବିନାରାୟଣ ମିଶ୍ର ୧୯୮୧ ମସିହାରେ ଛାତ୍ର ଜୀବନ ଆରମ୍ଭ କରିଥିବା ବେଳେ ୧୯୮୭ ମସିହାରେ ସେ ଶିକ୍ଷକତା ଆରମ୍ଭ କରିଥିଲେ । ପରେ ସହକାରୀ ପ୍ରଫେସର ପଦବୀରେ ନିୟୋଜିତ ହୋଇ ପରେ ୨୦୧୦ ମସିହାରେ ପ୍ରଫେସର ପଦବୀରେ ନିୟୋଜିତ ହୋଇ ତାଙ୍କରି ଉଦ୍ୟମରେ ଫିସେରୀ ଇଞ୍ଜିନିୟରିଂ ବିଭାଗରେ କାର୍ଯ୍ୟରତ ଥାଇ ସେ ୫ଖଣ୍ଡ ବହି ସଙ୍କଳନ କରିଥିଲେ । ସେହି ପାଠ୍ୟ ପୁସ୍ତକ ପ୍ରଣୟନ ଯୋଗୁଁ ସେଗୁଡିକ ଆଜି ସରକାରୀ ପାଠ୍ୟପୁସ୍ତକ ଭାବେ ପ୍ରଚଳିତ ହୋଇଆସୁଛି ବୋଲି କୁହାଯାଇଛି । ସୂଚନା ଯୋଗ୍ୟ ଯେ’ ବ୍ରହ୍ମପୁର ନିକଟସ୍ଥ ରଙ୍ଗେଇଲୁଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ କୁଳପତିଙ୍କ ପ୍ରଫେସର ପ୍ରଭାତ କୁମାର ରାଉଳ ମୁଖ୍ୟଅତିଥି ଭାବେ ଯୋଗଦେଇ ନବନିର୍ମିତ ମତ୍ସ୍ୟଗନ୍ଧା ଅତିଥି ଗୃହର ଶୁଭ ଉଦ୍ଘାଟନ କରିଛନ୍ତି । ଏହି ଆନୁଷ୍ଠାନିକ ଉଦ୍ଘାଟନୀ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ଆଡିଟରିମ୍ ହଲ୍ ପରିସରରେ ଆୟୋଜିତ ପ୍ରଫେସର ସ୍ୱର୍ଗୀୟ ରବିନାରାୟଣ ମିଶ୍ରଙ୍କ ସ୍ମୃତିରେ ଏକ ସେମିନାର ଅନୁଷ୍ଠିତ ହୋଇଥିଲା । ରଙ୍ଗେଇଲୁଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଭିତ୍ତିଭୂମିର ବିକାଶ ଦିଗରେ ଆଲୋକପାତ କରିବା ସାଂଗକୁ ଛାତ୍ରଛାତ୍ରୀ ମାନଙ୍କର ଅଗ୍ରଗତି ଓ କୃତ୍ତିତ୍ଵ ସଂପର୍କରେ ଅନୁଧ୍ୟାନ କରି କୁଳପତି ପ୍ରଫେସର ଶ୍ରୀ ରାଉଳ ଖୁସିବ୍ୟକ୍ତ କରିଛନ୍ତି । ଆଗମୀ ଭବିଷ୍ୟତରେ ଏହି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଶ୍ଵ ଦରବାରରେ ସଫଳତାର ସହ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବେ ଏଥିରେ ସନ୍ଦେହ ନାହିଁ ବୋଲି କୁଳପତି ସ୍ପଷ୍ଟ କରିଛନ୍ତି । ପୂର୍ବରୁ ସଂଗଠିତ ହୋଇଥିବା ବକ୍ତୃତାମାଳାର କୃତି ପ୍ରତିଯୋଗୀଙ୍କୁ କୁଳପତି ପ୍ରଫେସର ଶ୍ରୀ ରାଉଳ ପୁରସ୍କୃତ କରିଥିଲେ । ଆମନ୍ତ୍ରିତ ଅତିଥି ତଥା ସ୍ୱର୍ଗତ ରବିନାରାୟଣ ମିଶ୍ରଙ୍କ ସହଧର୍ମିଣୀ ଶ୍ରୀମତୀ ବିଷ୍ଣୁ ପ୍ରିୟା ମିଶ୍ର, ରଙ୍ଗେଇଲୁଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର୍ ସନ୍ତୋଷ କୁମାର ଉଦଗାତା, ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ପଶ୍ଚିମବଙ୍ଗ ବିଶ୍ଵବିଦ୍ୟାଳୟ କୋଲକାତାର ପ୍ରାଣୀ ଓ ମତ୍ସ୍ୟ ବିଜ୍ଞାନ ବିଭାଗର ଅଧ୍ୟାପକ ପ୍ରଫେସର୍ ଗଦାଧର ଦାଶ ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ ଦେଇ ଉପଢୌକନ ସହ ପଦକରେ କୁଳପତି ସମ୍ମାନିତ କରିଥିଲେ । ପଶ୍ଚିମବଙ୍ଗ ବିଶ୍ଵବିଦ୍ୟାଳୟ କୋଲକାତାର ପ୍ରାଣୀ ଓ ମତ୍ସ୍ୟ ବିଜ୍ଞାନ ବିଭାଗର ଅଧ୍ୟାପକ ପ୍ରଫେସର୍ ଗଦାଧର ଦାଶ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ମତ୍ସ୍ୟ ଚାଷର ଲାଭ ଏବଂ ମତ୍ସ୍ୟମାନଙ୍କୁ ହେଉଥିବା ଅଦିନିଆ ରୋଗ ଓ ତାହାର ନିରାକରଣ ସମ୍ପର୍କରେ ଆଲୋକପାତ କରିଥିଲେ । ଉଦ୍ୟକ୍ତା ତଥା ରଙ୍ଗେଇଲୁଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର୍ ସନ୍ତୋଷ କୁମାର ଉଦଗାତା ଅତିଥିମାନଙ୍କର ପରିଚୟ ପ୍ରଦାନ କରି ଅତିଥିବୃନ୍ଦଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପ୍ରଫେସର୍ ସ୍ୱର୍ଗତ ରବିନାରାୟଣ ମିଶ୍ରଙ୍କ ଭଉଣୀ ଡ଼ଃ. ଲୀଳା ମିଶ୍ର, ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର୍ ସୌମେନ୍ଦ୍ର ନନ୍ଦ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଅନେକ ଦିଗଦର୍ଶନ ଦେଇଥିଲେ । ଅତିଥି ଅଧ୍ୟାପକ ସୁଶ୍ରୀ ଅଭିନନ୍ଦା ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ସହକାରୀ ପ୍ରଫେସର ଡ଼ଃ. ମନୋଜ କୁମାର ତ୍ରିପାଠୀ ଧନ୍ୟବାଦ୍ ଜଣାଇଥିଲେ ।
Prev Post
Next Post