- ଅନେକ ଲାଇନ୍ ଡିପାର୍ଟମେଣ୍ଟଙ୍କ ଉପସ୍ଥିତ ନେଇ ବିଧାୟକ ଗର୍ଜିଲେ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପଞ୍ଚାୟତ ସମିତିର ନବମ ସମିତି ବୈଠକ ଅଧ୍ୟକ୍ଷା କୀରଣ କୁମାରୀ ଦାସଙ୍କ ଅଧ୍ୟକ୍ଷତାରେ ବ୍ଳକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥିଭାବେ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ମିଳିମିଶି କାର୍ଯ୍ୟକରିବା ପାଇଁ ପରାମର୍ଶ ଦେବା ସହ ଅଧିକାଂଶ ଲାଇନ୍ ବିଭାଗ ଅନୁପସ୍ଥିତ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ଏଥିସହ ବିଡ଼ିଓ କାହିଁକି ଆସିନାହାନ୍ତି ତା’ର ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି । ଆଗାମୀ ଦିନରେ ଯଦି ସେହି ବିଭାଗର ଅଧିକାରୀ ପୁନାର୍ବୃତ୍ତି କରନ୍ତି, ତା’ହେଲେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠନ ଗ୍ରହଣ କରାଯିବ ବୋଲି ବିଧାୟକ ନିଜ ବକ୍ତବ୍ୟରେ କହିଥିଲେ । ବିଧାୟକ ପଞ୍ଚାୟତ ସମିତି ବୈଠକ ଆରମ୍ଭରୁ ହିଁ ଲାଇନ୍ ଡିପାର୍ଟମେଣ୍ଟକୁ ପ୍ରଶ୍ନ ବାଣରେ ଘାଇଲା କରିଦେଇଥିଲେ । ଋଷିକୂଲ୍ୟା ଜଳ ପ୍ରକଳ୍ପ ଉପଖଣ୍ଡ ପରିଯୋଜନା (RWSS) ବିଭାଗକୁ ପ୍ରଶ୍ନ ପଚାରିଥିଲେ କେତେ ଟାଙ୍କି ନିର୍ମାଣ ହୋଇଛି, କେବେ ମେଗା ପ୍ରକଳ୍ପ ଆରମ୍ଭ ହେବ ବୋଲି ବୈଠକରେ ନିର୍ବାହୀ ଯନ୍ତ୍ରୀ, ଯନ୍ତ୍ରୀମାନଙ୍କୁ ପ୍ରଶ୍ନ ପଚାରିଥିଲେ । ଜନସାଧାରଣ ଖରାଦିନ ଆରମ୍ଭରୁ ପାଣି ପାଇବେ ତ ବୋଲି କଟାକ୍ଷ ଲୋଚନରେ ପ୍ରଶ୍ନ ପଚାରିଥିଲେ । ହରିପୁର, ଆଇ.ଆର୍.ଇ.ଏଲ୍. କଲୋନୀ, ଗୋବିନ୍ଦପୁର ତିନୋଟି ସ୍କୁଲରେ ଶିକ୍ଷକ ନାହାନ୍ତି ବୋଲି ବୈଠକରେ ମତ ଉଠିଥିବା ବେଳେ ଚିକଲଖଣ୍ଡି ସ୍କୁଲରେ ପ୍ରଧାନଶିକ୍ଷକ କେବେ ଆସୁନାହାନ୍ତି ବୋଲି ବୈଠକରେ ଧୂଆଁ ବାଣ ଫୁଟିଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷା ଏସ.ଶାରଦା ରେଡ୍ଡୀ, ବିଡ଼ିଓ ଅଚ୍ୟୁତାନନ୍ଦ ଜାନି, ଅତିରିକ୍ତ ବିଡ଼ିଓ ମଞ୍ଚାସୀନ ଥିଲେ । ଜି.ପି.ଡି.ଓ. ବିଳାସିନୀ ସେନାପତି ସଭା ପରିଚାଳନା କରିଥିଲେ । ପ୍ରାରମ୍ଭରେ ବିଧାୟକ, ଅଧ୍ୟକ୍ଷା, ଉପାଧ୍ୟକ୍ଷା ,ବିଡିଓଙ୍କୁ ବ୍ଲକ୍ ତରଫରୁ ସମ୍ବର୍ଦ୍ଧନା ଦେଇଥିଲେ । ନିର୍ବାଚିତ ପ୍ରତିନଧିଙ୍କ ପଦମର୍ଯ୍ୟାଦା ଯେତେ ବଢିବ ସେତେ ଗଣତନ୍ତ୍ର ସୁଦୃଢ ହୋଇ ପାରିବ ବୋଲି କୁହାଯାଇଛି । ସମସ୍ତଙ୍କ ସହଯୋଗରେ ଛତ୍ରପୁର ବ୍ଲକ ଏକ ଆଦର୍ଶବ୍ଲକ ହେବ ବୋଲି ବିଧାୟକ କହିଥିଲେ । ଏହି ବୈଠକରେ ସରପଞ୍ଚ, ସମିତି ସଭ୍ୟସଭ୍ୟାଙ୍କ ସମେତ ହାତଗଣତି ଲାଇନ୍ ଡିପାର୍ଟ୍ଟମେଣ୍ଟ ଉପସ୍ଥିତ ଥିଲେ ।