ମହାକୁମ୍ଭ ୨୦୨୫ : ବସନ୍ତ ପଞ୍ଚମୀରେ ହୋଇଥିବା ତୃତୀୟ ଅମୃତ ସ୍ନାନରେ ତ୍ରିବେଣୀ ସଂଗମରେ ବୁଡ଼ ପକାଇଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

  • ସୁରୁଖୁରୁରେ ଅମୃତ ସ୍ନାନ ସଂପନ୍ନ କରିବା ପାଇଁ ମେଳା ପ୍ରଶାସନ ପକ୍ଷରୁ କରାଯାଇଥିଲା ବ୍ୟାପକ ଆୟୋଜନ

ନୂଆଦିଲ୍ଲୀ, (ପିଆଇବି) : ପ୍ରୟାଗରାଜର ମହାକୁମ୍ଭ ୨୦୨୫ରେ ବସନ୍ତ ପଞ୍ଚମୀ ଅବସରରେ ହୋଇଥିବା ତୃତୀୟ ଅମୃତ ସ୍ନାନ ସୁରୁଖୁରୁରେ ସମ୍ପନ୍ନ ହୋଇଛି । ତ୍ରିବେଣୀ ସଂଗମରେ ବୁଡ଼ ପକାଇଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । କୁମ୍ଭ ମେଳାରେ ଯେ କେବଳ ଆସ୍ଥା, ଭରସା ଓ ଭକ୍ତି ଦେଖିବାକୁ ମିଳିଥାଏ ତାହା ନୁହେଁ, ଏଠାରେ ନିରୁତା ଏକତା, ସମାନତା ଓ ସାଂସ୍କୃତିକ ବିବିଧତା ମଧ୍ୟ ଦେଖିବାକୁ ମିଳିଥାଏ ।
ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ବସନ୍ତ ପଞ୍ଚମୀରେ ସଂଧ୍ୟା ୬ଟା ସୁଦ୍ଧା ତ୍ରିବେଣୀ ସଂଗମରେ ମୋଟ ୨ କୋଟି ୩୩ ଲକ୍ଷ ଶ୍ରଦ୍ଧାଳୁ ପବିତ୍ର ସ୍ନାନ କରିଛନ୍ତି । ‘ବସୁଧୈବ କୁଟୁମ୍ୱକମ୍’ର ମନୋଭାବରେ ବାନ୍ଧି ହୋଇ ଏକଜୁଟ ହୋଇଥିବା ଭାରତ ତଥା ବିଦେଶର ଶ୍ରଦ୍ଧାଳୁମାନେ ଏହି ପବିତ୍ର ସ୍ନାନର ପରମ୍ପରାରେ ସାମିଲ ହୋଇଥିଲେ । ଦେଶର କୋଣ ଅନୁକୋଣରୁ ଆସିଥିବା ସାଧୁ ସନ୍ଥ, ଯୋଗୀ, ବିଜ୍ଞ ଓ ଭକ୍ତ ଏହି ପବିତ୍ର ଆଧ୍ୟାତ୍ମିକ ପରମ୍ପରାରେ ସାମିଲ ହୋଇଥିଲେ ଯାହା ଦ୍ୱାରା କି ମହାକୁମ୍ଭ ବାସ୍ତବରେ ଏକ ବିଶ୍ୱସ୍ତରୀୟ ପର୍ବ ପାଲଟିଛି ।

ଏହି ପବିତ୍ର ତିଥିର ମାହ୍ୟତ୍ମ୍ୟ ହିଁ ଗତ ରାତିରୁ ହିଁ ଶ୍ରଦ୍ଧାଳୁଙ୍କୁ ସଂଗମ ସ୍ଥଳକୁ ଟାଣି ଆଣିଥିଲା । କୁମ୍ଭ ମେଳା ପ୍ରଶାସନ, ସ୍ଥାନୀୟ ପ୍ରଶାସନ, ପୋଲିସ, ସଫେଇ କର୍ମଚାରୀ, ସ୍ୱେଚ୍ଛାସେବୀ, ନାବିକ ଓ ସରକାରଙ୍କ ସବୁ ବିଭାଗ ମିଳିମିଶି କାମ କରିଥିବାରୁ ନିରାପଦରେ ଓ ସୁରୁଖୁରୁରେ ସଫଳତାର ସହିତ ସଂପନ୍ନ ହୋଇଥିଲା ଏହି ଐତିହାସିକ ପରମ୍ପରା ।


ବସନ୍ତ ପଞ୍ଚମୀର ତୃତୀୟ ଅମୃତ ସ୍ନାନକୁ ପରିଷ୍କାର ପରିଚ୍ଛନ୍ନ ରଖି ସୁରକ୍ଷିତ ପରିବେଶ ବଜାୟ ରଖିବା ପାଇଁ ସଫେଇର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଏଥିପାଇଁ ୧୫୦୦୦ ସଫେଇ କର୍ମଚାରୀ ଓ ୨୫୦୦ରୁ ଅଧିକ ଗଙ୍ଗା ସେବା ଦୂତ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ସାଧୁ ସନ୍ୟାସୀ ଓ ଭକ୍ତମାନଙ୍କୁ ଯେମିତି ଭଲ ଲାଗିବ, ସେଥିପାଇଁ ବିଭିନ୍ନ ଆଖଡ଼ାକୁ ସଂଯୋଗ କରୁଥିବା ରାସ୍ତାକୁ ସ୍ୱତନ୍ତ୍ର ଭାବେ ସଫା ସୁତୁରା କରାଯାଇଥିଲା । କୌଣସି ଜାଗା ଅପରିଷ୍କାର ହେଲେ, ତୁରନ୍ତ ସଫା କରିବା ପାଇଁ ଓ ଅଳିଆ ଆବର୍ଜନକୁ ସେଠାରୁ ହଟାଇବା ପାଇଁ ସେହି ଅଞ୍ଚଳରେ କ୍ୱିକ୍ ରେସପନ୍ସ ଟିମ୍ (କ୍ୟୁଆରଟି) ମୁତୟନ ହୋଇଥିଲେ । ପାଣି ଛାଟିବାକୁ ଓ ସଂଗମରେ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ପାଇଁ ନାବିକ ଓ ଷ୍ଟିମର୍ ର ସାହାଯ୍ୟ ନିଆଯାଇଥିଲା ।
ଅନ୍ତର୍ଜାତୀୟ ସ୍ତରରେ ଭାରତ ସାଂସ୍କୃତିକ ଐତିହ୍ୟକୁ ପ୍ରଚାର ପ୍ରସାର କରିବାରେ ମହାକୁମ୍ଭ ୨୦୨୫ ସଂପୂର୍ଣ୍ଣ ଭାବେ ସଫଳ ହୋଇଛି । ଏହାର ଲୋକପ୍ରିୟତା ଓ ସାଂସ୍କୃତିକ ମହତ୍ତ୍ୱକୁ ସାରା ବିଶ୍ୱରେ ସ୍ୱୀକୃତି ମିଳିଛି । ପବିତ୍ର ଗଙ୍ଗା ନଦୀରେ ସ୍ନାନ କରିବା ସହିତ ଭାରତର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପ୍ରଥା ପରମ୍ପରାକୁ ଅନୁଭବ କରିଛନ୍ତି ବିଦେଶୀ ଶ୍ରଦ୍ଧାଳୁ । ସେମାନଙ୍କର ହୃଦୟକୁ ଛୁଇଁ ପାରିଛି ଭାରତର ସଂସ୍କୃତି ଓ ପରମ୍ପରା ।

Leave A Reply

Your email address will not be published.