ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଖପ୍ରାଖୋଲରୁ ଲାଠୋର ରାସ୍ତାରେ ଥିବା ଘୁନଶର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଲହଣ୍ଡୋପାଲି ଗ୍ରାମର ଯୁବକ ରାଜକୁମାର ଜଗତ(୩୨) ଅନ୍ନପୂର୍ଣ୍ଣା ଫାଇନାନ୍ସ କମ୍ପାନୀରେ କାମ କରନ୍ତି । କୌଣସି କାମରେ ବାଇକ ଯୋଗେ ସେ ବଲାଙ୍ଗିରରୁ ନିଜ ଘରକୁ ଫେରୁଥିବା ସମୟରେ ଘୁନଶର ଛକ ବୁଲାଣି ନିକଟରେ ଭାରସାମ୍ୟ ହରାଇ ବାଇକଟି ମହିଳାଙ୍କୁ ଧକ୍କା ଦେଇଥିଲା ଫଳରେ ମହିଳା ଜଣକ ତଳେ ପଡିଯାଇଥିଲେ । ମହିଳାଙ୍କୁ ଖପ୍ରାଖୋଲ ଡାକ୍ତରଖାନାକୁ ଅଣାଯାଇଥିଲା, ଡାକ୍ତର ବିଜିତ୍ ପାଣ୍ଡେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ମହିଳା ହେଲେ ଖପ୍ରାଖୋଲ ପଞ୍ଚାୟତ କୁର୍ଲୁମାଲ ଗ୍ରାମର କୁମାରୀ ବରିହା (୫୦) । ତାଙ୍କର ସ୍ୱାମୀଙ୍କ ଆଗରୁ ମୃତ୍ୟୁ ହୋଇଥିବା ବେଳେ ସେ ତାଙ୍କର ଦୁଇ ଝିଅ ଏବଂ ଗୋଟିଏ ପୁଅ ସହିତ କୁର୍ଲୁମାଲ ଗ୍ରାମରେ ରହୁଥିବା ଜଣାପଡିଛି । ଘଟଣାସ୍ଥଳରୁ ଅଭିଯୁକ୍ତ ରାଜକୁମାର ପଳାଇବା ପାଇଁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକ ତାକୁ ଧରି ପୋଲିସକୁ ଜିମା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଗୋଟିଏ ବାଇକ ମଧ୍ୟ ଜବତ କରିଛି । ଏନେଇ ଖପ୍ରାଖୋଲ ଥାନା କେସ ନଂ ୩୧/୨୦୨୫ରେ ଏକ ମାମଲା ଋଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ବେଳେ ଘଟଣାର ଅଧିକ ତଦନ୍ତ କରୁଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି ।
Prev Post