mahavir

ଆନ୍ଧ୍ରରେ ଦାଦନ ଶ୍ରମିକଙ୍କ ମୃତ୍ୟୁ : ତିନିଦିନ ପରେ ଗାଁରେ ପହଞ୍ଚିଲା ମୃତଦେହ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଘାଟମାଲ ପଞ୍ଚାୟତର ତାଲାକୋଟ ଗ୍ରାମର ଦାଦନ ଶ୍ରମିକ ନୃପତ ଚିନ୍ଦା(୩୭)ଙ୍କ ଗତ ୨୫ ତାରିଖ ଦିନ ଆନ୍ଧ୍ରପ୍ରଦେଶ ଠାରେ ମୃତ୍ୟୁ ଘଟିଥିବା ବେଳେ ତିନିଦିନ ପରେ ଆଜି ଗାଁରେ ତାର ମୃତଦେହ ପହଞ୍ଚି ଥିବା ଜଣାପଡିଛି । ପ୍ରାପ୍ତ ଖବର ଅନୁସାରେ ଗତ ଦୁଇମାସ ତଳେ ନୃପତ ଚିନ୍ଦା ଦାଦନ ଖଟିବା ପାଇଁ ଆନ୍ଧ୍ରପ୍ରଦେଶକୁ ଯାଇଥିଲେ । ସେଠାରେ ଚିନ୍ତାପଲ୍ଲୀ ଥାନା ଅନ୍ତର୍ଗତ କୁରମେଲ ଗ୍ରାମ ସ୍ଥିତ ସିଏମ୍‌ଆର୍‌ ନାମକ ଏକ ଇଟା କରଖାନାରରେ ଶ୍ରମିକ ଭାବେ କାମ କରୁଥିଲେ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିବାସୀ ଟାରଜନ ନାମକ ଦାଦନ ସର୍ଦ୍ଦାରଙ୍କ ଜରିଆରେ ଯାଇ ସେ କାମ କରୁଥିବା ଜଣାପଡ଼ିଛି । ଗତ ରବିବାର ପୂର୍ବାହ୍ନରେ ଇଟାଭାଟିରେ କାମ କରୁଥିବା ବେଳେ ହଠାତ ଭାଟି ଭୁଶୁଡି ପଡିବାରୁ ନୃପତି ଗୁରୁତର ଆହତ ହୋଇଥିଲେ । ତୁରନ୍ତ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାରରେ ସ୍ତ୍ରୀ ଗୌରୀ ଚିନ୍ଦା ଓ ଏକ ମାତ୍ର ୩ ବର୍ଷର ପୁଅ ଟେକରାମ ଚିନ୍ଦା(୩) ଅସହାୟ ହୋଇପଡିଛନ୍ତି । ଆଜି ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଗାଁ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

Leave A Reply

Your email address will not be published.