ବ୍ଲକ ଗ୍ରାଣ୍ଟ କର୍ମଚାରୀଙ୍କୁ ଆଶ୍ଵସ୍ତି : ଚାକିରୀ ସର୍ତ୍ତାବଳୀ ସମ୍ପର୍କିତ ସ୍ପଷ୍ଟୀକରଣ ଚିଠି ପ୍ରତ୍ୟାହାର ନିର୍ଦ୍ଦେଶ ଉପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ରହିତାଦେଶ

ଭୁବନେଶ୍ୱର : ଭୁବନେଶ୍ୱର ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ତା.୦୭.୦୧.୨୦୨୫ ରିଖରେ ଜାରି କରାଯାଇଥିବା ଚାକିରି ସର୍ତ୍ତାବଳୀ ଓ ଛୁଟି ନିୟମ ସମ୍ପର୍କିତ ସ୍ପଷ୍ଟୀକରଣ ଚିଠି ଉପରେ ହୋଇଥିବା ପ୍ରତ୍ୟାହାର ନିର୍ଦ୍ଦେଶକୁ ମାନ୍ୟବର ଉଚ୍ଚ ଅଦାଲତ ରହିତାଦେଶ ଜାରି କରିଛନ୍ତି । ଏହି ଖବର ସମସ୍ତ ବ୍ଲକ ଗ୍ରାଣ୍ଟ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କୁ ଆଶ୍ଵସ୍ତି ପ୍ରଦାନ କରିଛି । ସୂଚନାଯୋଗ୍ୟ ଯେ ତା.୨୩.୧୧.୨୦୧୧ ରିଖରେ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି ନମ୍ବର ୫୨୧୬୪ରେ ବ୍ଲକ ଗ୍ରାଣ୍ଟ ପାଉଥିବା ଶିକ୍ଷକ ଓ କର୍ମଚାରୀମାନଙ୍କ ଚାକିରି ସର୍ତ୍ତାବଳୀ ଏବଂ ଛୁଟି ସମ୍ପର୍କିତ ଏକ ସ୍ପଷ୍ଟୀକରଣ ଦିଆଯାଇଥିଲା । ଏହି ଚିଠିରେ ପୂର୍ଣ୍ଣ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡିକରେ କାର୍ଯ୍ୟରତ ବ୍ଲକ ଗ୍ରାଣ୍ଟ ଅଧ୍ୟାପକ ଓ କର୍ମଚାରୀମାନଙ୍କର ଚାକିରି ସର୍ତ୍ତାବଳୀ ଓଡ଼ିଶା ଶିକ୍ଷା ନିୟମ ୧୯୭୪ ଏବଂ ଛୁଟି ୧୯୭୭ ନିୟମ ଅନୁସାରେ କାର୍ଯ୍ୟକାରୀ କରାଯିବ ବୋଲି ଉଲ୍ଲେଖ କରାଯାଇଥିଲା । ଏହି ଚିଠିକୁ ଆଧାର କରି ପ୍ରତ୍ୟେକ ମହାବିଦ୍ୟାଳୟରେ ଅଧ୍ୟକ୍ଷମାନେ ଛୁଟି ମଞ୍ଜୁର କରି ଆସୁଥିଲେ । ଚାକିରି ସର୍ତ୍ତାବଳୀ ସମ୍ପର୍କିତ ବହୁ ଗୁଡିଏ କେସ୍‌ ଉଚ୍ଚ ନ୍ୟାୟାଳୟରେ ବହୁ ବର୍ଷ ଧରି ବିଚାରାଧିନ ଥିବା ବେଳେ ଗତ ତା.୦୭.୦୧.୨୦୨୫ ରିଖରେ, ଦୀର୍ଘ ୧୩ ବର୍ଷ ପରେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଉପରୋକ୍ତ ୨୦୧୧ ମସିହାର ଚିଠିକୁ ବିଭାଗୀୟ ଚିଠି ନମ୍ବର ୧୨୭୯ ମାଧ୍ୟମରେ କୌଣସି ଯୁକ୍ତିଯୁକ୍ତ କାରଣ ନ ଦର୍ଶାଇ ବେଆଇନ ଭାବେ ପ୍ରତ୍ୟାହାର କରି ନିଆଯାଇଥିଲା । ଏହାକୁ ବିରୋଧ କରି ନିଖିଳ ଓଡିଶା ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ (୪୮୮ ବର୍ଗ) ଶିକ୍ଷକ ଓ କର୍ମଚାରୀ ସଂଘ ତରଫରୁ ସଂଘର ଉପସଭପତି ଡ଼. ସୁବିଜ୍ଞ ଗଡତ୍ୟା କେସ୍‌ ନମ୍ବର ଡବ୍ଲ୍ୟୁ.ପି.(ସି)୧୬୭୩/୨୦୨୫ ଏବଂ ଆଇ.ଏ. ନମ୍ବର ୮୭୮/୨୦୨୫ ମାଧ୍ୟମରେ ଏକ ପିଟିସନ ଉଚ୍ଚ ନ୍ୟାୟାଳୟରେ ଦାୟର କରିଥିଲେ । ସେହି ମାମଲାକୁ ଉଚ୍ଚ ନ୍ୟାୟଳୟ ତା.୨୧.୦୧.୨୦୨୫ ରିଖରେ ଶୁଣାଣି କରି ପ୍ରାଥମିକ ପର୍ଯ୍ୟାୟରେ ଉପରୋକ୍ତ ପ୍ରତ୍ୟାହାର ଚିଠି ଉପରେ ରହିତାଦେଶ ଜାରି କରିଛନ୍ତି । ସଂଘ ପକ୍ଷରୁ ଦାୟର ହୋଇଥିବା ଉକ୍ତ ମାମଲାକୁ ବରିଷ୍ଠ ଆଇନଜୀବୀ କୁନାଲ ସ୍ୱାଇଁ ଓ ଯୁବ ଆଇନଜୀବୀ କୌଶିକ ସ୍ଵାଇଁ ପରିଚାଳନା କରିଥିଲେ । ସଂଘର ଏହି ସଫଳତା ପଛରେ ସଭାପତି ମାନସ ପୁରୋହିତଙ୍କ ଅକ୍ଳାନ୍ତ ଉଦ୍ୟମକୁ ସାରା ଓଡ଼ିଶାର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଭୂୟସୀ ପ୍ରଶଂସା କରିବା ସହିତ ଆନ୍ତରିକ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଶ୍ରୀଯୁକ୍ତ ପୁରୋହିତ ଏକ ବିବୃତି ମାଧ୍ୟମରେ ଚାକିରି ସର୍ତ୍ତାବଳୀ ସମ୍ପର୍କିତ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ନ ହେବା ପର୍ଯ୍ୟନ୍ତ ନିୟମିତ ପର୍ଯ୍ୟାୟରେ ଆନ୍ଦୋଳନ ଏବଂ ଆଦାଲତରେ ନ୍ୟାୟିକ ଲଢେଇ ଅବ୍ୟାହତ ରହିବ ବୋଲି ସୂଚନା ଦେବା ସଙ୍ଗେ ସଙ୍ଗେ ସଂଘର ପ୍ରତ୍ୟେକ ସଦସ୍ୟଙ୍କ ଆନ୍ତରିକ ସହଯୋଗ କାମନା କରିଛନ୍ତି ।

Leave A Reply

Your email address will not be published.