ଏଆଇଡିଏସ୍‌ଓ – ଏଆଇଡିୱାଇଓ – ଏଆଇଏମ୍‌ଏସ୍‌ଏସ୍‌ ପକ୍ଷରୁ ନେତାଜୀ ଜୟନ୍ତୀ ସମାରୋହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ବର୍ଷର ସ୍ୱାଧିନତା ଆନ୍ଦୋଳନର ଆପୋଷହୀନ ଧାରାର ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ସମାରୋହ ଏଆଇଡିଏସ୍‌ଓ ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ସ୍ଥାନୀୟ ନେତାଜୀ ଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ନେତାଜୀ ସୁବାଷଙ୍କ ମୂର୍ତ୍ତିରେ ମୁଖ୍ୟବକ୍ତା ଅଶୋକ ମିଶ୍ର ଓ ମୁଖ୍ୟ ଅତିଥି ଲକ୍ଷ୍ମୀନାରାୟଣ ପଟ୍ଟନାୟକ ମାର୍ଲ୍ୟାର୍ପଣ କରିଥିଲେ । ସଂଗଠନର ଜିଲ୍ଲା ସଭାପତି ମଧୁସୁଦନ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବରେ ସଂଗଠନର ପୂର୍ବତନ ସର୍ବ ଭାରତୀୟ ସାଧାରଣ ସମ୍ପାଦକ କମ୍ରେଡ ଅଶୋକ ମିଶ୍ର ଓ ମୁଖ୍ୟ ଅତିଥି ଭାବେ ନେତାଜୀ ସଂଗ୍ରାମୀ ପରିଷଦର ସଭାପତି ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଯୋଗଦେଇଥିଲେ । ମୁଖ୍ୟବକ୍ତା ଅଶୋକ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ନେତାଜୀଙ୍କ ସ୍ୱପ୍ନର ଭାରତ ପ୍ରତିଷ୍ଠିତ ହୋଇପାରିନାହିଁ । ସାମ୍ପ୍ରଦାୟିକ ହିଂସା, ମଣିଷ ଉପରେ ମଣିଷର ଶୋଷଣ ବଢି ଚାଲିଛି, ନାରୀ ଅସୁରକ୍ଷିତ, ଶାସକ ଶ୍ରେଣୀ ଛାତ୍ର ଯୁବ ସମାଜର ନୈତିକ ମେରୁଦଣ୍ଡକୁ ପଙ୍ଗୁ କରିଦେଉଛନ୍ତି । ତେଣୁ ସଂଗଠିତ ହୋଇ ଅନ୍ୟାୟ, ଅନୀତି, ଶୋଷଣ ବିରୁଦ୍ଧରେ ପ୍ରତିବାଦର ସ୍ୱର ଶାଣିତ କରିବା ସହ ସମାଜବାଦୀ ସମାଜ ପ୍ରତିଷ୍ଠା କରିବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ନେତାଜୀ ଜୟନ୍ତୀ ଉପଲକ୍ଷେ ପୂର୍ବରୁ ହୋଇଥିବା ଦେଶାତ୍ମବୋଧକ ସଂଗୀତ, ସାଧାରଣ ଜ୍ଞାନ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ସହ ସମସ୍ତ ଅଂଶଗ୍ରହଣକାରୀ ପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ, ମେମୋଣ୍ଟୋ, ନେତାଜୀ ପୁସ୍ତିକା ଓ ଫଟୋ ପ୍ରଦାନ କରାଯାଇଥିଲା । ଏହି ସମାରୋହରେ ଜିଲ୍ଲା ସମ୍ପାଦିକା ଗୌରୀ ରାଉତ, ରାଜ୍ୟ ଉପସଭାପତି ସୁନିଲ କୁମାର ଭୋଇ, ଜିଲ୍ଲା ଉପସଭାପତି ଅହଲ୍ୟା ସାହୁ, ଯୁବ ସଂଗଠନର ଜିଲ୍ଲା ସଭାପତି ଅମ୍ମାନ ମିଶ୍ର, ପ୍ରଭାସିନୀ ଭୋଇ ସହ ଶତାଧିକ ଛାତ୍ରଛାତ୍ରୀ, ସହରର ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଏହି ଜୟନ୍ତୀ ପାଳନ ସପ୍ତାହ ବ୍ୟାପି ଚାଳିବ ।

Leave A Reply

Your email address will not be published.