- ଡ୍ରାଇଭର ସମେତ ଦୁଇ ଚୋରାଚାଲାଣକାରୀ ଫେରାର
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଚଳକୀ-ଗୁଡିଘାଟ ମୁଖ୍ୟରାସ୍ତାରେ ଚୋରାଚାଲାଣ ହେଉଥିବା ମୂଲ୍ୟବାନ ଖଇର କାଠ ବୋଝେଇ ଏକ ମାକ୍ସ ପିକ୍ଅପ୍ ଭ୍ୟାନକୁ ଜଙ୍ଗଲ ବିଭାଗ ପକ୍ଷରୁ ଜବତ କରାଯାଇଛି । ମଙ୍ଗଳବାର ରାତିରେ ଜଏଁତରା ଫରେଷ୍ଟର ଧୃବଚରଣ ବଗର୍ତ୍ତୀ ଏହି ରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ ଅତି ଦ୍ରୁତଗତିରେ ଏକ ମାକ୍ସ୍ ପିକ୍ଅପ୍ ଭ୍ୟାନ୍ ଫେରାର ହେଉଥିବା ସନ୍ଦେହ କରି ତାର ପିଛା କରିଥିଲେ । ରାସ୍ତାରେ ଗାଡ଼ିଟିକୁ ସନ୍ଦେହରେ ଅଟକାଇବାକୁ ଚେଷ୍ଟା କଲାବେଳେ ଗାଡ଼ିରେ ଥିବା ଡ୍ରାଇଭର ଓ ଆଉ ଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଗାଡ଼ିକୁ ଜବତ କରି ଜଙ୍ଗଲ ବିଭାଗ କାର୍ଯ୍ୟାଳୟକୁ ଅଣାଯାଇଥିଲା । ଏହି ଜବତ ମାକ୍ସ୍ ପିକ୍ଅପ୍ ଭ୍ୟାନ୍(ସିଜି ୧୩ ଏ ୨୫୮୫)ଟି ଏକ ବହୁ ପୁରୁଣା ଗାଡ଼ି ବୋଲି ଜଣାପଡିଛି । ଜବତ ଖଇର କାଠଟି ୧୨କ୍ଵିଣ୍ଟାଲ ଓଜନର ହୋଇଥିବା ବେଳେ ଆନୁମାନିକ ୨୫ହଜାର ଟଙ୍କା ମୂଲ୍ୟର ହେବ ବୋଲି ଜଣାପଡିଛି । ମୁରିବାହାଲ ରେଞ୍ଜ କାର୍ଯ୍ୟାଳୟରେ ରେଞ୍ଜର ଶିବପ୍ରସାଦ ନାଏକ, ଫରେଷ୍ଟର ଧୃବଚରଣ ବଗର୍ତ୍ତୀ, ଫରେଷ୍ଟଗାର୍ଡ ସୁମନ୍ତ ଧରୁଆ,ବରୁଣ ସାହୁ ପ୍ରମୁଖଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏହା ପୂର୍ବରୁ ମଧ୍ୟ ଏହି ରେଞ୍ଜ ଅଞ୍ଚଳରୁ ବହୁ ପରିମାଣରେ ଖଇର ଓ କେନ୍ଦୁକାଠ ଜବତ କରାଯାଇଥିବା ବେଳେ ବେଆଇନ୍ ଚୋରାଚାଲାଣକାରୀମାନେ ଗିରଫ ହେଉନଥିବାରୁ କାଠ ଚୋରାଚାଲାଣ ଲଗାତାର ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି । ବେଆଇନ୍ ଖଇର କାଠ ଚୋରାଚାଲାଣ ହେଉଥିବା ମାକ୍ସ ପିକ୍ଅପ୍ ଭ୍ୟାନକୁ ଜବତ କରି ୟୁଡ଼ି କେସ ନଂ ୦୯/୨୪-୨୫ ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ବୋଲି ରେଞ୍ଜର ଶିବପ୍ରସାଦ ନାଏକ ପ୍ରକାଶ କରିଛନ୍ତି ।