ମାଳିଶିରାର ଜଣେ ଯୁବତୀଙ୍କୁ ପ୍ରେମ ପ୍ରତାରଣା : ପ୍ରେମପ୍ରତାରକ ଯୁବକ ପୋକସୋ କୋର୍ଟ ଚାଲାଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ମାଳିଶିରା (ଜାନିପଡା)ଗ୍ରାମର ଜଣେ ୧୮ବର୍ଷୀୟା ଯୁବତୀଙ୍କୁ ପ୍ରେମ ଓ ପ୍ରତାରଣା ଅଭିଯୋଗରେ ସେହି ଗ୍ରାମର ଉପିନ ବାଗଙ୍କ ପୁଅ ଅରୁଣ ବାଗ(୨୭)ନାମକ ଜଣେ ପ୍ରେମ ପ୍ରତାରକ ଯୁବକଙ୍କୁ ପୁଲିସ ଗିରଫ କରି ପୋକସୋ କୋର୍ଟ ଚାଲାଣ କରିଥିବା ଚର୍ଚ୍ଚାର ବିଷୟ ହୋଇଛି । ସମ୍ପୃକ୍ତ ଯୁବତୀଙ୍କ ଏତଲା ଆଧାରରେ ତାଙ୍କୁ ଅଭିଯୁକ୍ତ ଅରୁଣ ଗତ ୪ବର୍ଷ ହେଲା ଭଲପାଇବା ସହ ବିବାହର ମିଛ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ଅନିଚ୍ଛା ସତ୍ୱେ ନିୟମିତ ଶାରୀରିକ ସମ୍ପର୍କ ରଖୁଥିଲା । ସେ ସବୁବେଳେ ବିବାହ କରିବି, ସ୍ତ୍ରୀ କରି ନେବି କହି ଠକି ଚାଲିଥିଲା । ଗତ ୧ମାସ ତଳେ ସଂପୃକ୍ତ ଯୁବତୀ ନିଜ ପରିବାର ସହ ଆନ୍ଧ୍ରପ୍ରଦେଶର ତିରୁପତି ସହରକୁ ଦାଦନ ଶ୍ରମିକ ଭାବେ ଯାଇଥିଲେ । ପ୍ରେମ ପ୍ରତାରକ ଅରୁଣ ତିରୁପତିକୁ ମଧ୍ୟ ପହଞ୍ଚି ଯୁବତୀଙ୍କୁ ଗାଁକୁ ଫେରିଚାଲ ସେଠାରେ ମୁଁ ତୋତେ ନିଶ୍ଚୟ ବିବାହ କରିବି ବୋଲି ମିଛ ପ୍ରତିଶ୍ରୁତି ଦେଇଥିଲା । ଅଭିଯୁକ୍ତଙ୍କ କଥାରେ ବିଶ୍ୱାସ କରି ଯୁବତୀ ତା ସହିତ ତିରୁପତିରୁ ଚାଲିଆସିଥିଲା । ଯୁବତୀଙ୍କୁ ଅରୁଣ ରାୟପୁର ନେଇ ତାର ଜଣେ ସମ୍ପର୍କୀୟଙ୍କ ଘରେ ରଖିଥିଲା । ସେଠାରେ ଯୁବତୀଙ୍କ ଅନିଚ୍ଛା ସତ୍ୱେ ବାରମ୍ବାର ଶାରୀରିକ ସମ୍ପର୍କ ରଖୁଥିଲା । ସେଠାରେ ଦୁଇ ଦିନ ରଖିବା ପରେ ଯୁବତୀଙ୍କୁ ଧରି ଗାଁକୁ ଫେରିଆସିଲା । ଗାଁକୁ ଫେରିବା ପରେ ଅରୁଣ ଯୁବତୀଙ୍କୁ ତୋତେ ବାହାହେବି ନାହିଁ ବୋଲି ଆଉ ଧରାଛୁଆଁ ଦେଇନଥିଲା । ଏହାକୁ ନେଇ ଗ୍ରାମରେ ଏକ ବୈଠକ ବସି ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲା କିନ୍ତୁ ସେହି ବୈଠକରେ ମଧ୍ୟ ଅରୁଣ ଯୁବତୀଙ୍କୁ ଗ୍ରହଣ କରିବାକୁ ସମ୍ପୁର୍ଣ୍ଣ ମନା କରିଦଇଥିଲା । ଫଳରେ ବାଧ୍ୟ ହୋଇ ଯୁବତୀ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ । ଯୁବତୀଙ୍କ ଏତଲା ଆଧାରରେ ପୁଲିସ କେସ୍‌ ନଂ ୧୮/୨୫ରୁଜ୍ଜୁ କରି ଅଭିଯୁକ୍ତ ଅରୁଣଙ୍କୁ ତଦନ୍ତକାରୀ ଅଧିକାରୀ ଥିବା ଥାନାର ନୂତନ ଏସ୍‌ଆଇ ପଙ୍କଜିନୀ ବାଗ ଗିରଫ କରିଥିଲେ । ଉଭୟ ପ୍ରେମ ପ୍ରତାରକ ଅରୁଣ ବାଗ ଓ ତାଙ୍କ ତଥାକଥିତ ପ୍ରେମିକାଙ୍କୁ ଡାକ୍ତରୀ ମାଇନା ସହ ବୟାନ ରେକର୍ଡ କରାଯାଇଥିଲା । ଅଧିକ ତଦନ୍ତ ପରେ ପ୍ରେମ ପ୍ରତାରକ ଅଭିଯୁକ୍ତ ଅରୁଣ ବାଗଙ୍କୁ ବଲାଙ୍ଗିର ପୋକସୋ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଓଆଇସି ଦନାର୍ଦନ ଓରାମ ପ୍ରକାଶ କରିଛନ୍ତି । ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

Leave A Reply

Your email address will not be published.