ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନବମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁଙ୍କ ଅଧ୍ୟକ୍ଷତାରେ ନବମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂ ଦେଓ, ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂ ଦେଓଙ୍କ ସହ ଜିଲ୍ଲାପରିଷଦ ଉପସଭାପତି ଓ ମେମ୍ବରମାନେ ଉପସ୍ଥିତ ଥିଲେ । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଗୌରୱ ଶିୱାଜୀ ଇସଲୱାର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାତ କୁମାର ମହାପାତ୍ର, ବିଧାୟକଙ୍କ ପ୍ରତିନିଧିଗଣ ତଥା ଜିଲ୍ଲାସ୍ତରୀୟ ଅଧିକାରୀମାନେ ସଭାରେ ଉପସ୍ଥିତ ରହିଥିଲେ । ଏହି ସଭାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା ହେଇଥିଲା । ପୂର୍ବ ବୈଠକରେ ହୋଇଥିବା ଆଲୋଚନା ତଥା ଗ୍ରାମ ପାନୀୟ ଜଳ ଯୋଗାଣ ଏବଂ ପରିମଳ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି, ପ୍ରାଥମିକ ଶିକ୍ଷା ଓ ଗଣ ଶିକ୍ଷା, ଜଳସେଚନ , ଗ୍ରାମ୍ୟ ଉନ୍ନୟନ, ଜାତୀୟ ରାଜପଥ, ଯୋଗାଣ ବିଭାଗ, ସମାଜ ମଙ୍ଗଳ ବିଭାଗ ଆଦି ବିଷୟରେ ଗୃହକୁ ଅଧିକାରୀମାନେ ସୂଚନା ଦେଇଥିଲେ । ପରିଷଦର ସମସ୍ତ ମନୋନୀତ ପ୍ରତିନିଧି ବୈଠକରେ ପଚାରିଥିବା ପ୍ରଶ୍ନମାନଙ୍କର ଉତ୍ତର ରଖିଥିଲେ ବିଭାଗୀୟ କତୃପକ୍ଷ । ପାନୀୟ ଜଳ ସମ୍ବନ୍ଧରେ ଆସିଥିବା ଅଭିଯୋଗ ଗୁଡିକର ସମାଧାନ ତଥା ନୂଆ ସଂକଳ୍ପ ବିଷୟରେ ଆଲୋଚନା ହେଇଥିଲା । ବିଳମ୍ବ କରୁଥିବା କିମ୍ବା କାମର ମାନ ଖରାପ କରୁଥିବା କଳା ତାଲିକା ଭୁକ୍ତ କଣ୍ଟ୍ରାକ୍ଟରମାନଙ୍କ ତଥ୍ୟ ଗୃହରେ ସମସ୍ତଙ୍କୁ ଜଣାଇଥିଲେ ଗ୍ରାମ ପାନୀୟ ଜଳ ଯୋଗାଣର ବିଭାଗୀୟ ଅଧିକାରୀ । ସେହିପରି ଚାଲୁଥିବା ପାନୀୟ ଜଳ ପ୍ରକଳ୍ପ ଗୁଡିକ ମାର୍ଚ ସୁଦ୍ଧା ଶେଷ କରିବାକୁ ଅଧିକାରୀଙ୍କୁ ଗୃହ କହିଥିଲା । କଣ୍ଟ୍ରାକ୍ଟରମାନେ ଯିଏ କାମରେ ବିଳମ୍ବ କରିବେ ସେମାନଙ୍କୁ ପରବର୍ତ୍ତୀ ସମୟରେ କାମ ନ ଦିଆଯାଉ ବୋଲି ପ୍ରସ୍ତାବ ଦିଆଗଲା । ମେଡ଼ିକାଲରେ ଡାକ୍ତର ଏବଂ ପାରାମେଡ଼ିକାଲ ଷ୍ଟାଫ ଅଭାବ, ଖୋଲାନ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଆବାସିକ ଗୃହ ପାଇଁ ଉପୁଜିଥିବା ଅସୁବିଧା ବାବଦରେ ଆଲୋଚନା ହୋଇଥିଲା । ସେହିପରି ଜିଲ୍ଲାପାଳ ବିଭିନ୍ନ ଜନଶୁଣାଣୀ ସମୟରେ ସମ୍ପୃକ୍ତ ଅଞ୍ଚଳକୁ ବୁଲି ସେ ଅଞ୍ଚଳରେ ପୂର୍ବରୁ ଥିବା ଅଭିଯୋଗ ଗୁଡିକ ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଗୃହ ପ୍ରସ୍ତାବ ଦେଇଥିଲେ । ତୁଷୁରା ମେଡ଼ିକାଲ ପରିସରରେ ଗଢି ଉଠିଥିବା ବେସରକାରୀ ଦୋକାନ ଗୁଡିକ ଭଙ୍ଗାଯିବାକୁ ପ୍ରସ୍ତାବ ଦିଆଯାଇଥିଲା । ସେହିପରି କିଛି ସ୍ଥାନରେ କ୍ୟୁଆକମାନେ ଚିକିତ୍ସା କରୁଥିବା କଥା ଗୁରୁତ୍ୱର ରୂପେ ନେଇ ମୁଖ୍ୟ ଚିକିତ୍ସାଧିକାରୀ ଏହାକୁ ତଦନ୍ତ କରିବେ ବୋଲି ଜଣାଇଥିଲେ । ଏହାର ଶୀଘ୍ର ସମାଧାନ ପାଇଁ ମୁଖ୍ୟ ସ୍ଵାସ୍ଥ୍ୟ ଅଧିକାରୀଙ୍କୁ ଗୃହ ନିର୍ଦେଶ ଦେଇଥିଲେ । ସେହି ଭଳି ରାସ୍ତା ଅଧପନ୍ତରିଆ, ତଥା ମରାମତି ଅଭାବରୁ ସଦସ୍ୟମାନେ ଚିନ୍ତା ପ୍ରକଟ କରିଥିଲେ । ନୂତନ ମେଡିକାଲ କୋଠାକୁ ୱାର୍ଡଗୁଡିକୁ ଯଥାଶୀଘ୍ର ସ୍ଥାନାନ୍ତର ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.