ମଲକେନ ଡ୍ୟାମର ନବକଳେବର ପାଇଁ ଅଣ୍ଟା ଭିଡ଼ିଲେ ବିଧାୟକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ହେଡକ୍ୱାଟର୍ସ ଠାରୁ ମାତ୍ର ୧୫ କି.ମି. ଦୂରରେ କଟାବାହାଲ ଠାରେ ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ମଲକେନ ଡ୍ୟାମ । ଏହି ଡ୍ୟାମର ମନୋରମ ଦୃଶ୍ୟ ଦେଖିବାକୁ ଲାଗୁଛି ପର୍ଯ୍ୟଟକଙ୍କ ଭିଡ଼ । ଗୁଡ଼ିଡୁଙ୍ଗୁରି ଓ ବତଲାବାହାଲି ଦୁଇଟି ପାହାଡ଼ର ସବୁଜ ବଳୟ ଭିତରେ ନିର୍ମାଣ ହୋଇଛି ବନ୍ଧ । କାଚକେନ୍ଦୁ ପରି ଜଳ ସାଙ୍ଗକୁ ଡ୍ୟାମ ଚାରିପାଖରେ ପ୍ରାକୃତିକ ପରିବେଶ ପ୍ରକୃତି ପ୍ରେମୀଙ୍କୁ କରୁଛି ବିଭୋର । ହେଲେ ପର୍ଯ୍ୟଟନ ଏଠି ଅବହେଳିତ । ଏହାକୁ ଆଖି ଆଗରେ ରଖି ବିଜେପୁର ବିଧାୟକ ସନତ ଗଡତିଆ ଆଜି ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କୁ ନେଇ ଡ୍ୟାମରେ ପହଞ୍ଚିଥିଲେ । ଏଠାରେ ଅନେକ ଗୁଡ଼ାଏ ଅସୁବିଧା ରହିଛି ଯେମିତି ପିଇବା ପାଣି ତଥା ଶୌଚ ଯିବା ପାଇଁ ସୁବିଧା ନାହିଁ, ବର୍ଷା ହେଲେ ପର୍ଯ୍ୟଟକଙ୍କ ଆଶ୍ରୟ ଲାଗି ସେମିତି କିଛି ବ୍ୟବସ୍ଥା ନାହିଁ । ଏଣୁ ଏସବୁ ବିଷୟକୁ ଧ୍ୟାନ ଦେଇ ଏଠାରେ ପର୍ଯ୍ୟଟକଙ୍କ ଆକର୍ଷଣକୁ ବହୁଗୁଣିତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ବିଧାୟକ ମହୋଦୟ । ସେଥିପାଇଁ ଆଜି ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନକୁ ନିଜ ସାଥିରେ ନେଇ ଏଠାରେ ଥିବା ଅସୁବିଧା ଯଥା ଜଳକ୍ରୀଡା, ଶିଶୁ ଉଦ୍ୟାନ, ଅତିଥି ଭବନ, ପାନୀୟ ଜଳ, ସୋଲାର ମାଧ୍ୟମରେ ଆଲୋକିକରଣ, ଡ୍ୟାମ ଉପର ରାସ୍ତା ଉନ୍ନତିକରଣ, ଡ୍ୟାମ ଉପର ରାସ୍ତାକଡ଼ରେ ବୃକ୍ଷ ରୋପଣ, ସିଟିଂ ବେଞ୍ଚ, ମନ୍ଦିର ଉନ୍ନତି କରଣ, ପେଭର ବ୍ଲକ ରାସ୍ତା, ୱେଲକମ ଗେଟ, ମୁଖ୍ୟରାସ୍ତାରୁ ଡ୍ୟାମକୁ ସଂଯୋଗ କରୁଥିବା ରାସ୍ତାକୁ ପିଚୁ ରାସ୍ତା ଭଳି ବ୍ୟବସ୍ଥା କରିବା ପାଇଁ ଅନେକ ସମୟ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ଏହାର ଉନ୍ନତି ହେଲେ ଏହି ଅଞ୍ଚଳର ଉନ୍ନତି ହେବ ଓ ଏହି ପର୍ଯ୍ୟଟନ ସ୍ଥଳୀ ପ୍ରତି ପର୍ଯ୍ୟଟକଙ୍କ ଆକର୍ଷଣ ବୃଦ୍ଧି ପାଇବା ସହ ବରଗଡ଼ ଜିଲ୍ଲାର ପର୍ଯ୍ୟଟନ ମାନ ଚିତ୍ରରେ ମଲକେନ ଡ୍ୟାମ ନିଶ୍ଚିତ ରୂପେ ନୂଆ ତଥା ବିଶେଷ ସ୍ଥାନ ଅଧିକାର କରିବ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୋହା, ଉପଜିଲ୍ଲାପାଳ ଅରୁଗୁଲା ସ୍ନେହା, ତହସିଲଦାର ନେପାଲ ମୁଣ୍ଡା, ଅତିରିକ୍ତ ତହସିଲଦାର ସଂଗୀତା ବଡ଼ାଇକ, ବିଡିଓ ଲକ୍ଷ୍ମଣ ମାଝି, ରେଞ୍ଜର ସୁଦାମ ଜଗଦଲା, ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ସମିତି ସଭ୍ୟ ସରୋଜ ଶ୍ରୀ ଭୂଷଣ ସାହୁ, କନିଷ୍ଠ ଯନ୍ତ୍ରୀ ଜଗତବନ୍ଧୁ ମେହେର ପ୍ରମୁଖ ଉପସ୍ଥିତ ଥିବାବେଳେ ବିଧାୟକଙ୍କ ଏଭଳି କାର୍ଯ୍ୟ ପାଇଁ ଅଞ୍ଚଳବାସୀ ଖୁବ୍ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.