csstore

ବ୍ରହ୍ମା କୁମାରୀ ସଂସ୍ଥାନର ପ୍ରତିଷ୍ଠାତା ପ୍ରଜାପିତା ବ୍ରହ୍ମାଙ୍କ ୫୬ତମ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ ପ୍ରଜାପିତା ବ୍ରହ୍ମାଙ୍କ ୫୬ତମ ଅବ୍ୟକ୍ତ ସ୍ମୃତି ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ସୂଚନା ଯୋଗ୍ୟ ଯେ’ ତତ୍କାଳୀନ ସିନ୍ଧୁ ପ୍ରଦେଶ ଅନ୍ତର୍ଗତ ବର୍ତ୍ତମାନର ପାକିସ୍ଥାନର ହାଇଦ୍ରାବାଦ ସହରରେ ଗତ ୧୫/୧୨(୧୮୭୬) ମସିହାରେ ପ୍ରଜାପିତା ବ୍ରହ୍ମା ବାବାଙ୍କ ଆବିର୍ଭାବ ହୋଇଥିବା ବେଳେ ୧୯୬୯ ମସିହା ଜାନୁଆରୀ ୧୮ ତାରିଖରେ ଭାରତବର୍ଷର ରାଜସ୍ଥାନର ମାଉଣ୍ଟ-ଆବୁ ସ୍ଥିତ ମଧୁବନରେ ତାଙ୍କ ବିୟୋଗ ଘଟିଥିଲା । ତାଙ୍କରି ଆଦର୍ଶ ନୀତି ଓଁକାର ଧ୍ଵନି ସହ ଶାନ୍ତି ମାର୍ଗରେ ଈଶ୍ୱରଙ୍କ ଠାରେ ସମର୍ପଣ ହେବା ବିଧିକୁ ଆଲୋକପାତ କରାଯାଇଛି । ଶାଖା ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମା କୁମାରୀ ବିଜୟ ଲକ୍ଷ୍ମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତି ଦିବସ ସମାରୋହରେ ମୁନିସିପେଣ୍ଠ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଅଧିକ୍ଷୀକ ଡ଼ା. ସ୍ଵାଧୀନ ରଥ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଜିକାଲିର ଲୋକମାନେ କେବଳ ଅର୍ଥ କମାଇବା ପାଇଁ ଅହରହ ବ୍ୟସ୍ତ, ବିବ୍ରତ ହୋଇପଡ଼ି ସବୁବେଳେ ଟେନ୍‌ସନ୍‌ ରହୁଛନ୍ତି, ଫଳରେ ଲୋକେ ରୋଗାକ୍ରାନ୍ତ ହେବାରେ ଲାଗିଛନ୍ତି । ଯୋଗ ବ୍ୟାୟାମ, କ୍ରୀଡ଼ା, କସରତ, କୃଷି କାର୍ଯ୍ୟ କରିବା, କ୍ଷେତବାଡ଼ି କାମ କରିବାରେ ଅବହେଳା ପ୍ରଦର୍ଶନ ଅବା ନା ପସନ୍ଦ କରି ଅନ୍ୟ ଉପାୟରେ ଅର୍ଥ ଆଦାୟ କରିବାରେ ବ୍ୟସ୍ତ ହୁଅନ୍ତି । ଲୋକେ କାମ ନ କରି ଅଳସୁଆ ହେବା ଫଳରେ ଡାଇବେଟିସ, ହାଇ ବ୍ଲଡ-ପ୍ରେସର୍, ହାର୍ଟ-ଆଟକ୍ ଭଳି ବିଭିନ୍ନ ଦୁରାରୋଗ୍ୟର ଲୋକେ ଶିକାର ହେଉଛନ୍ତି । ଲୋକମାନେ ଦେଶୀ ଖାଦ୍ୟ ନ ଖାଇ ତେଲ ମସଲାଯୁକ୍ତ ଖାଦ୍ୟ ଖାଇ ବହୁ ମାରାତ୍ମକ ରୋଗରେ ପୀଡ଼ିତ ହେଉଛନ୍ତି । ତେଣୁ ବର୍ତ୍ତମାନର ଯୁଗରେ ବ୍ରହ୍ମା କୁମାରୀ ସଂସ୍ଥାନର ରାଜଯୋଗ ମାଧ୍ୟମରେ ଓଁ ଶାନ୍ତି ଉଚ୍ଚାରଣ ଲୋକଙ୍କ ପାଇଁ ଭଲ ଫଳପ୍ରଦ ହେବ ବୋଲି ଡ଼ାକ୍ତର ସ୍ଵାଧୀନ ରଥ କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବରୁଣ କୁମାର୍ ପାଣିଗ୍ରାହୀ, ଛତ୍ରପୁର ବ୍ଲକ୍ ବରିଷ୍ଠ ଯକ୍ଷ୍ମା ନିରୀକ୍ଷକ ପ୍ରଭାତ ସାହୁ, ଯୋଗଦେଇ ଅନେକ ସ୍ଵାସ୍ଥ୍ୟ ସଚେତନତା ମୂଳକ ସନ୍ଦେଶ ଦେଇ ବ୍ରହ୍ମା କୁମାରୀ ସଂସ୍ଥାନର ମହତ୍ତ୍ୱ ଅତି ମହନୀୟ ବୋଲି ପ୍ରତିପାଦିତ କରିଥିଲେ । ବ୍ରହ୍ମା କୁମାରୀ ପିଙ୍କି ଭଉଣୀ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ବ୍ରହ୍ମା କୁମାର ସୂର୍ଯ୍ୟ ଭାଇ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଅତିଥିଙ୍କୁ ଫୁଲ ଚନ୍ଦନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଶେଷରେ ଅତିଥିଙ୍କୁ ଈଶ୍ୱରୀୟ ଉପହାର ପ୍ରଦାନ ସହ ସମ୍ମାନିତ କରାଯାଇଥିଲା ।

jayashree
Leave A Reply

Your email address will not be published.