ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ଆଦର୍ଶ ଶିକ୍ଷକ ମୁକ୍ତେଶ୍ଵର ସାଗରଙ୍କ ୮୨ବର୍ଷ ବୟସରେ ଶନିବାର ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ସାରା ପାଇକମାଲରେ ଶୋକର ଛାୟା ଖେଳିଯାଇଛି । ସେ ୧୯୬୦ ମସିହାରେ ପ୍ରତିଷ୍ଠିତ ପାଇକମାଲ ହାଇସ୍କୁଲର ପ୍ରଥମ ମାଟ୍ରିକ ବ୍ୟାଚ-୧୯୬୩ର ଛାତ୍ର ମୁକ୍ତେଶ୍ଵର ସର୍ବୋଚ୍ଚ ନମ୍ବର ରଖି ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହେବା ସହିତ ବିଦ୍ୟାଳୟର ପ୍ରଥମ ମାଟ୍ରିକ ଟପ୍ପର ହୋଇ ଗୌରବ ଆଣିଥିଲେ । ଆଇଏସ୍ସି ପାସ୍ କଲାପରେ ୧୯୬୫ ଜୁଲାଇ ୨୪ ତାରିଖରେ ସେ ବିଦ୍ୟାଳୟର ସହକାରୀ ଶିକ୍ଷକ ଭାବରେ ଯୋଗଦାନ କରିଥିଲେ । ଏହା ପରେ ପରବର୍ତ୍ତୀ ସମୟରେ ବି.ଏ. ଏବଂ ବି.ଇଡି ଡିଗ୍ରୀ ହାସଲ କରିଥିଲେ । ୧୯୯୬ ନଭେମ୍ବର ୩୦ ତାରିଖରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ଵର୍ଗତ ସୁରେଶ୍ଵର ପାଣିଗ୍ରାହୀଙ୍କ ଅବସର ଗ୍ରହଣ ପରେ ମୁକ୍ତେଶ୍ଵର ବାବୁ ଭାରପ୍ରାପ୍ତ ଶିକ୍ଷକ ଦାୟିତ୍ଵ ବହନ କରି ୨୦୦୦ ଏପ୍ରିଲ ମାସରେ ଅବସର ଗ୍ରହଣ କରିଥିଲେ । ସେ ଅତି ସୁନ୍ଦର, ସରଳ, ସହଜ ଓ ପ୍ରାଞ୍ଜଳ ଭାବରେ ଗଣିତ, ବିଜ୍ଞାନ ଏବଂ ଅନ୍ୟାନ୍ୟ ବିଷୟକୁ ଦକ୍ଷତାର ସହିତ ଶିକ୍ଷାଦାନ କରୁଥିଲେ । ତାଙ୍କର ଅମାୟିକ ଶାନ୍ତଶିଷ୍ଟ ତଥା ଆତ୍ମୀୟ ତୁଲ୍ୟ ବ୍ୟବହାର ଯୋଗୁଁ ସେ ଛାତ୍ରଛାତ୍ରୀଙ୍କର ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ଦୁଇ ବର୍ଷ ତଳେ ତାଙ୍କ ପତ୍ନୀଙ୍କ ଦେହାନ୍ତ ଘଟିଥିଲା । ଏହାପରେ ଦୀର୍ଘ ଦିନ ଧରି ଶାରୀରିକ ଅସୁସ୍ଥତା ହେତୁ ପୁଅବୋହୂ, ନାତିନାତୁଣୀଙ୍କ ସେବା ଯତ୍ନ ଲାଭ କରି ତିନି ପୁଅ, ଦୁଇ ଝିଅ ଏବଂ ନାତି ନାତୁଣୀଙ୍କୁ ଛାଡି ଇହଧାମ ତ୍ୟାଗ କରିଛନ୍ତି । ତାଙ୍କର ବିୟୋଗରେ ପାଇକମାଲ ଅଞ୍ଚଳରେ ଶୋକର ଛାୟା ଖେଳି ଯିବା ସହିତ ତାଙ୍କର ପ୍ରିୟ ଛାତ୍ରଛାତ୍ରୀଗଣ ବିଶେଷ ଭାବରେ ମର୍ମାହତ ହୋଇ ପଡିଛନ୍ତି ।