ଗଞ୍ଜାମ ଜିଲ୍ଲାରେ ୩୯୦୭ ଜଣ ଭିନ୍ନକ୍ଷମଙ୍କୁ ଏବଂ ୮୦ ବର୍ଷରୁ ଉର୍ଦ୍ଧ୍ୱ ୯୦୦୬ ଜଣ ବୃଦ୍ଧବୃଦ୍ଧାଙ୍କୁ ବର୍ଦ୍ଧିତ ଭତ୍ତା ବଣ୍ଟନ କଲେ ଜିଲ୍ଲା ପ୍ରଶାସନ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ଜନସେବା ଦିବସ ସମାରୋହ ଛତ୍ରପୁର ବ୍ଲକ ଅଫିସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭିନ୍ନକ୍ଷମ ସଶକ୍ତିକରଣ ତଥା ସାମାଜିକ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖଣି, ଇସ୍ପାତ, ବାଣିଜ୍ୟ ପରିବହନ ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ଶାରୀରିକ ଅକ୍ଷମ ଥିବା ଭିନ୍ନକ୍ଷମ ଲୋକଙ୍କୁ ଏବଂ ୮୦ବର୍ଷରୁ ଉର୍ଦ୍ଧ୍ୱ ବୟସ ସୀମାରେ ଥିବା ବୃଦ୍ଧବୃଦ୍ଧାଙ୍କୁ ମଧୁବାବୁ ପେନସନ ଅବା ବର୍ଦ୍ଧିତ ଭତ୍ତା ଗଞ୍ଜାମ ଜିଲ୍ଲାପ୍ରଶାସନ ବଣ୍ଟନ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ୩୯୦୭ ଭିନ୍ନକ୍ଷମଙ୍କୁ ଏବଂ ୮୦ବର୍ଷରୁ ଉର୍ଦ୍ଧ୍ୱ ୯୦୦୬ଜଣ ବୃଦ୍ଧଙ୍କୁ ୩୫୦୦ଟଙ୍କା ଲେଖାଏଁ ବର୍ଦ୍ଧିତ ଭତ୍ତା ବଣ୍ଟନ ଗଞ୍ଜାମ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଜନସେବା ଦିବସ ସମାରୋହରେ ବିତରଣ କରାଯାଇଛି । ସୂଚନା ଯୋଗ୍ୟ ଯେ’ ଛତ୍ରପୁର ବ୍ଲକ ଅନ୍ତର୍ଗତ ୮୦ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ନାଗରିକ ୬୦ଜଣଙ୍କୁ ଏବଂ ୫୨ଜଣ ଭିନ୍ନକ୍ଷମଙ୍କୁ ବର୍ଦ୍ଧିତ ଭତ୍ତା ୩୫୦୦ ଟଙ୍କା ମନ୍ତ୍ରୀ ବିତରଣ କରିଛନ୍ତି । ଏପରିକି ଗଞ୍ଜାମ ଜିଲ୍ଲାରେ ସର୍ବମୋଟ ୩୯ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଇ-ଅଟୋ ରିକ୍ସା ବଣ୍ଟନ କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ ମନ୍ତ୍ରୀ ଶ୍ରୀ ଜେନା ବିତରଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ସଂଯୋଜକ ତଥା ନିର୍ବାହୀ ଅଧିକାରୀ ଶ୍ରୀମତୀ ମଧୁମିତା, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୟଶ୍ରୀ ନାୟକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜଗନ ମୋହନ ସେନାପତି ପ୍ରମୁଖ ଯୋଗଦେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ ।