ଭୁବନେଶ୍ୱର, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ଏବଂ କୈବଲ୍ୟ ୱାର୍ଲ୍ଡ ଲିଟ୍ରେଚର୍ ଫୋରମ୍ ତରଫରୁ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ଅବସରରେ ଆଧ୍ୟାତ୍ମିକ କୈବଲ୍ୟ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ନିରାଡମ୍ବର ଭାବେ ପୂର୍ବରୁ ସ୍ଥିରୀକୃତ ଏବଂ କିଛି ନୂତନ ପ୍ରବାସୀ ଭାରତୀୟଙ୍କୁ ଆଧ୍ୟାତ୍ମିକ ଚେତନା, ସେବା, ଶିକ୍ଷା, କଳା, ବିଜ୍ଞାନ ଏବଂ ସମାଜସେବା ପାଇଁ ପ୍ରଦାନ କରାଯାଇଛି । କୈବଲ୍ୟ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ ସାମନ୍ତରାୟ ଏବଂ କିଛି କର୍ମକର୍ତ୍ତା ପ୍ରବାସୀ ଭାରତୀୟ କୈବଲ୍ୟ ସମ୍ମାନ ଏବଂ ପ୍ରବାସୀ ଓଡ଼ିଆ କୈବଲ୍ୟ ସମ୍ମାନ ଚାଳିଶ ଦେଶର ଦୁଇଶହ ପ୍ରତିଭାଙ୍କୁ ଜାନୁଆରୀ ୮ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ପ୍ରଦାନ କରିଥିଲେ । କୈବଲ୍ୟ ସାହିତ୍ୟ ସଂସଦ ସହିତ ସହଭାଗିତାରେ ବିଦେଶରେ କଳା , ସାହିତ୍ୟ ଏବଂ ସଂସ୍କୃତି କୁ ପ୍ରଚାର ପାଇଁ ସହଯୋଗ କରିବାକୁ ବିଭିନ୍ନ ଦେଶର ପ୍ରବାସୀ ଭାରତୀୟମାନେ ଆଗ୍ରହ ପ୍ରକାଶ କରିଥିଲେ । ବିକଶିତ ଭାରତ ଗଠନରେ କଳା, ସାହିତ୍ୟ ଏବଂ ସଂସ୍କୃତିର ଆଦାନ ପ୍ରଦାନ ସହିତ ଅର୍ଥନୀତିର ଅଭିବୃଦ୍ଧି ଆବଶ୍ୟକ ବୋଲି ପ୍ରବାସୀ ଭାରତୀୟମାନେ ମତବ୍ୟକ୍ତ କରିଥିଲେ । କୈବଲ୍ୟ ସାହିତ୍ୟ ସଂସଦ ସହିତ କତାର (ଦୋହା)ର ଆଇ.ସି.ସି, ବିଶ୍ଵ ଜଗନ୍ନାଥ ଚେତନା ସଂଗଠନ ମିଳିତ ଭାବେ କାର୍ଯ୍ୟ କରିବାକୁ ସହମତି ପ୍ରକାଶ କରିଛନ୍ତି । ଉକ୍ତ ଅବସରରେ ଆମେରିକା, ବ୍ରିଟେନ, ଜର୍ମାନୀ, ସାଉଦି ଆରବ, ଲେବାନନ, ଜାପାନ, କାନାଡା, ଇଣ୍ଡୋନେସିଆ, ହଂକଂ, ଦୁବାଇ, କୁଏତ, ସାଉଥ୍ ଆଫ୍ରିକା, ତାଞ୍ଜାନିଆ, ଲାଓସ, ଓମେନ୍, ମରିସସ୍, ଅଷ୍ଟ୍ରେଲିଆ, ସ୍ଵିଡେନ, ନେପାଳ, ଭୁଟାନ, ଫିଲିପାଇନସ୍, ଥାଇଲ୍ୟାଣ୍ଡ, ନରୱେ, ନେଦରଲ୍ୟାଣ୍ଡ, ଫିନଲ୍ୟାଣ୍ଡ, ତୁର୍କୀ ଏବଂ ଅନେକ ଦେଶର ପ୍ରବାସୀ ଭାରତୀୟଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ସଭାପତି ବିଜୟା ଲକ୍ଷ୍ମୀ ସାମନ୍ତରାୟ ବିଶ୍ୱରେ ଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଆ ଆଧ୍ୟାତ୍ମିକ ଲୋକ ସାହିତ୍ୟର ବହୁଳ ପ୍ରସାର ପାଇଁ କୈବଲ୍ୟ ସାହିତ୍ୟ ସଂସଦ କାର୍ଯ୍ୟ କରିବ ବୋଲି ସୂଚନା ପ୍ରଦାନ କରିଛନ୍ତି । ଓଡ଼ିଶାର ସାହିତ୍ୟିକମାନେ କୈବଲ୍ୟ ସାହିତ୍ୟ ସଂସଦର ଏହି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି ।