csstore

ଆସନ୍ତା ୩୦ ଡିସେମ୍ବରରୁ ଆରମ୍ଭ ହେବ ଅଷ୍ଟମ ଚାନ୍ଦଲିପାହାଡ ମହୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଡିସେମ୍ବର ୩୦ ତାରିଖରୁ ଆରମ୍ଭ ହେବ ଦେଓଗାଁ ବ୍ଲକର ଦେଷଣ୍ଢ ନିକଟସ୍ଥ ଚାନ୍ଦଲିପାହାଡର ପାଦ ଦେଶରେ ୮ମ ଚାନ୍ଦଲି ମହୋତ୍ସବ ଅନୁଷ୍ଠିତ ହେବାକୁଯାଉଛି । ମହୋତ୍ସବ କମିଟି ପକ୍ଷରୁ ଚାନ୍ଦଲି ପାହାଡ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ଏହି ମହୋତ୍ସବର ଲୋଗୋ ଉନ୍ମୋଚନ କରାଯାଇ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି । ମହୋତ୍ସବ କମିଟିର ଆବାହକ ଲକ୍ଷ୍ମଣ କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟଙ୍ଗକବି ଅଚ୍ୟୁତ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମହୋତ୍ସବର ଲୋଗୋକୁ ଉନ୍ମୋଚନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଦେଓଗାଁ ବ୍ଲକର ଅଧ୍ୟକ୍ଷ ଦୟାନିଧି ଖମାରୀ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସୁଶୀଳ ଚାନ୍ଦ, ସରପଞ୍ଚ ସଂଘର ସଭାପତି ଗୋପାଳ ମିଶ୍ର, ମହୋତ୍ସବ କମିଟିର ସଭାପତି ରାଧେଶ୍ୟାମ ମେହେର, ସଂପାଦକ ସ୍ୱୟଂମ୍ବର ମେହେର, କୋଷାଧ୍ୟକ୍ଷ ରାଜେନ୍ଦ୍ର ମେହେର, ଇନ୍ଦ୍ରଜିତ ରାଉତ ପ୍ରମୁଖ ମଞ୍ଚାସୀନ ଥିଲେ । ମହୋତ୍ସବ କମିଟିର ଆବାହକ ଲକ୍ଷ୍ମଣ କୁମାର ମେହେର ସୂଚନା ଦେଇ କହିଛନ୍ତି ଯେ, ଗତ ୭ବର୍ଷ ହେଲା ଦେଷଣ୍ଢ ଅଞ୍ଚଳବାସୀଙ୍କ ସହାୟତାରେ ମହୋତ୍ସବ ପାଳିତ ହୋଇଛି । ଚଳିତ ବର୍ଷ ମଧ୍ୟ ଏହାକୁ ଧୂମଧାମରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ମଧ୍ୟ ୫ଟି ସାଂସ୍କୃତିକ ଦଳ ଯୋଗାଇ ଦେବାକୁ ସମ୍ମତି ଦେଇଛନ୍ତି । ଏହା ବାଦ ଜିଲ୍ଲା ଓ ଜିଲ୍ଲା ବାହାରୁ ମଧ୍ୟ ୧୦ଟି ସାଂସ୍କୃତିକ ଦଳ ଆସି ତାଙ୍କର କଳା ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ୧୬ ପ୍ରହର ନାମଯଜ୍ଞ, କଂସ ଦରବାର ସହିତ ସାସ୍କୃତିକ କାର୍ଯ୍ୟକ୍ରମ ହେବ । ଏହା ସହିତ ୩୧ ତାରିଖରେ ଚାନ୍ଦଲିପାହାଡର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଶୀର୍ଷକ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ମହୋତ୍ସବର ୪ଦିନ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗ, ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ, ଜିଲ୍ଲାପରିଷଦର ଅଧ୍ୟକ୍ଷା ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ, ଦେଓଗାଁ ବ୍ଲକ ଓ ବଲାଙ୍ଗିର ବ୍ଲକର ଅଧ୍ୟକ୍ଷ,ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟାଗଣ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଅଞ୍ଚଳର କିଛି ବିଶିଷ୍ଟ ବ୍ୟକ୍ତିବିଶେଷ ଓ କଳାକାରଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦେବାର କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି । କମିଟି ପକ୍ଷରୁ କୁହାଯାଇଛି ଯେ, ଦେଓଗାଁ ବ୍ଲକଅଞ୍ଚଳର ଦେଷଣ୍ଢ ନିକଟସ୍ଥ କିରିବାଞ୍ଜି ଜଙ୍ଗଲ ମଧ୍ୟରେ ଥିବା ଚାନ୍ଦଲିପାହାଡର ବହୁତ ଗୁଡିଏ ଐତିହାସିକ ପୃଷ୍ଠଭୂମୀ ରହିଛି । ପାହାଡ ଉପରେ ସିତାକୁଣ୍ଡ, ସତ୍ୟ ବଟବୃକ୍ଷ, ସପ୍ତଫେଣୀନାଗ, ଭୀମଖୋଜ ଇତ୍ୟାଦି ସହିତ ଅନେକଗୁଡିଏ ପ୍ରାଗ ଐତିହାସିକ ଯୁଗର ଗୁମ୍ଫା ରହିଛି । ସ୍ଥାନୀୟ ଲୋକଙ୍କ ଦାବିକୁ ନେଇ ବିଗତ ରାଜ୍ୟସରକାର ଏହାର ବିକାଶ ପାଇଁ ୧କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ଏହା ସହିତ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମଧ୍ୟ ୩କୋଟି ଟଙ୍କା ବ୍ୟୟରେ ଏକ ଉନ୍ନତ ରାସ୍ତାକାମ ଚାଲିଛି । ଆଗକୁ ଏହି ପୀଠର ବିକାଶ ପାଇଁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ ୧୦କୋଟି ଟଙ୍କା ଓ ଏହିପୀଠକୁ ଲାଗି ରହିଥିବା ଭୁଲିଆକଟା (ମେହେରକଟା)ର ଉନ୍ନୟନ ପାଇଁ ୫କୋଟି ଟଙ୍କା ଯୋଗ ଦେବାକୁ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଛନ୍ତି । ଚାନ୍ଦଲି ପାହାଡ ଉପରକୁ ପାହାଚ ନିର୍ମାଣ ହୋଇସାରିଥିବା ବେଳେ ବିଦ୍ୟୁତ ଓ ପାନୀୟଜଳ ସଂଯୋଗ କାମ ଚାଲିଛି । ଗ୍ରାମବାସୀଙ୍କ ନିଜସ୍ୱ ଉଦ୍ୟମରେ ଚଳିତବର୍ଷ ଏକ ସୁଦୃଷ୍ୟ ପେଣ୍ଡାଲ ମଧ୍ୟ ନିର୍ମାଣ ହୋଇସାରିଛି । ଏହି ସାମ୍ବାଦିକ ସମ୍ବିଳନୀରେ ମହୋତ୍ସବ କମିଟିର ରାଧେଶ୍ୟାମ ରଣା, ଘାସିରାମ ରଣା, ବିଦ୍ୟାଧର ନାଏକ, ତିକେଲାଲ ମେହେର, ଦିନବନ୍ଧୁ ମେହେର, ପିଙ୍କୁ ଷଢଙ୍ଗୀ, ସତ୍ୟନାରାୟଣ ଷଢଙ୍ଗୀ, ଲକ୍ଷ୍ମୀନ୍ଦ୍ର ବରିହା, ରବି କାଲସାଏ, ଦୁଯ୍ୟୋାଧନ ମେହେର, ଅତୁଳ ନାଗ, ଲୋକନାଥ ରଣା, ମୁନା ରଣା, ଅଶୋକ ସାଏ, ଦାମୋଦର ରଣା, ପ୍ରମୋଦ ବହିଦାର, ଶୈଳେନ୍ଦ୍ର ସାହୁ ପ୍ରମୁଖଙ୍କ ସହିତ ବହୁସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ଥିଲେ । ଏହି ସାମ୍ବାଦିକ ସାମ୍ବିଳନୀରେ ବଲାଙ୍ଗିର ଜିଲ୍ଲସ୍ତରୀୟ ଓ ଦେଓଗାଁ ବ୍ଲକର ସାମ୍ବାଦିକମାନେ ଯୋଗଦେଇଥିଲେ ।

jayashree
Leave A Reply

Your email address will not be published.