ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ମାଣ୍ଡିଆପଦର ଗ୍ରାମରେ ଚାଲିଥିବା ଜୟ ମା’ ଗ୍ରାମଦେବୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗତ କାଲି ଉଦ୍ଯାପିତ ହୋଇଯାଇଛି । ଫାଇନାଲ ଖେଳରେ ଟ୍ରାଇବେକରରେ ୩ – ୦ ଗୋଲରେ ସୃଜିଆକୁ ହରାଇ ଲୋଇସିଂହା ଚାମ୍ପିୟନ ହୋଇଛି । ସ୍ନାନୀୟ ଖେଳପଡିଆରେ ଗତ ୧୯ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା । ଏ ଗ୍ରୁପ୍ ଲୋଇସିଂହା ଓ ବି ଗ୍ରୁପରୁ ସୁଜିଆ ଦଳ ଫାଇନାଲକୁ ଉନ୍ନୀତ ହୋଇଥିଲେ । ଗତ କାଲି ଫାଇନାଲ୍ ଖେଳ ନିର୍ଦ୍ଧାରିତ ସମୟରେ ଉଭୟ ଦଳ ୧ – ୧ ଗୋଲରେ ବରାବର ରହିଥିଲା । ରେଫରିଙ୍କ ନିଷ୍ପତ୍ତି କ୍ରମେ ଟ୍ରାଇବେକରରେ ଫଳାଫଳ ନିର୍ଣ୍ଣୟ ହୋଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି, ଅଧ୍ୟାପକ ସୁରେଶ ଷଢଙ୍ଗୀ ମୁଖ୍ୟବକ୍ତା, ସରପଞ୍ଚ ରମାକାନ୍ତ ବିଶ୍ଵାଳ, ଯୁବନେତା ଜୟପ୍ରକାଶ ପତି ସମେତ ଆୟୋଜକ କମିଟିର କାର୍ଯ୍ୟକର୍ତ୍ତା ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଚାମ୍ପିୟନ ଓ ରନର୍ସ ଅପ ଦଳକୁ ପୁରସ୍କୃତ କରିଥିଲେ ।