ଭୁବନେଶ୍ୱର, (କେପିଏନ୍ଏସ୍) : ନିଯୁକ୍ତି ଦିନକୁ ଭିତ୍ତି କରି ଚାକିରି ସର୍ତ୍ତାବଳୀ ଓ ପେନସନ ଦାବୀରେ ନିଖିଳ ଓଡ଼ିଶା ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ (୪୮୮ ବର୍ଗ) ଶିକ୍ଷକ ଓ କର୍ମଚାରୀ ସଂଘ ଆସନ୍ତା ୨୬ ତାରିଖରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ସଂଘର ସଭାପତି ମାନସ ପୁରୋହିତ ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି । ୪୮୮ ବର୍ଗ ମହାବିଦ୍ୟାଳୟ ମାନଙ୍କରେ କାର୍ଯ୍ୟରତ, ୨୦୦୯ ଗ୍ରାଣ୍ଟ ଇନ୍.ଏଡ୍ ନିଯମରେ ଅନୁଦାନ ପାଇଥିବା ଅଧ୍ୟାପକ ଓ କର୍ମଚାରୀମାନେ ଦୀର୍ଘ ୨୫ ରୁ ୩୦ ବର୍ଷ କାର୍ଯ୍ୟ କଲାପରେ ମଧ୍ୟ ଏପର୍ଯ୍ୟନ୍ତ ସରକାର ଚାକିରି ସର୍ତ୍ତାବଳୀ ତଥା ପେନସନ ବ୍ୟବସ୍ଥା କରିନାହାନ୍ତି । ବାରମ୍ବାର ଦାବି ଏବଂ ଧାରଣା ଦେବା ସତ୍ତ୍ୱେ ମଧ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ଏହି ପୁରାତନ କଲେଜ ମାନଙ୍କରେ ଅନ୍ୟ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ସବୁ ପ୍ରକାର ସରକାରୀ ସୁବିଧା ପାଉଥିବା ବେଳେ ଏହି ବ୍ଲକଗ୍ରାଣ୍ଟ ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ ସରକାର ସାବତ ପୁଅ ଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ପେନସନ ବ୍ୟବସ୍ଥା ନଥିବାରୁ ଚାକିରିରୁ ଅବସର ଗ୍ରହଣ ପରେ ସେମାନଙ୍କର ଜୀବନ ଅତ୍ୟନ୍ତ ଦୁର୍ବିସହ ହୋଇପଡୁଛି । ବିଭିନ୍ନ ସମୟରେ ସରକାର ବାରମ୍ବାର ଏମାନଙ୍କୁ ପ୍ରତିଶ୍ରୁତି ଦେଇ ଠକି ଚାଲିଛନ୍ତି । ନୂତନ ସରକାରଙ୍କ ସହ ଅନେକ ଥର ଆଲୋଚନା ହୋଇଥିଲେ ମଧ୍ୟ ଫଳାଫଳ ସମାନ ଅର୍ଥାତ ଖାଲି ପ୍ରତିଶ୍ରୁତି ଦେଇ କୌଣସି ସକାରାତ୍ମକ ପଦକ୍ଷେପ ନିଆଯାଉନାହିଁ । ଅପର ପକ୍ଷରେ ଏକ ଅମଳତାନ୍ତ୍ରିକ ଚକ୍ରାନ୍ତର ଫଳ ସ୍ୱରୂପ ୨୫/୩୦ ବର୍ଷର ଅଭିଜ୍ଞତା ଥିବା ବରିଷ୍ଠ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ଉପେକ୍ଷା କରି ୨୦୧୬ ମସିହାରେ SSB ଜରିଆରେ ମନୋନୀତ ହୋଇଥିବା ଅଧ୍ୟାପକମାନଙ୍କୁ ସିନିୟର କରିବା ପାଇଁ ହୀନ ଉଦ୍ୟମ କରାଯାଉଛି । ୨୫/୩୦ ବର୍ଷର ଅଭିଜ୍ଞତା ଥିବା ଲୋକଙ୍କୁ ଉପେକ୍ଷା କରି ମାତ୍ର ୮ ବର୍ଷ ଚାକିରି କରିଥିବା ଲୋକଙ୍କୁ କିଛି ମହାବିଦ୍ୟାଳୟରେ ଅଧ୍ୟକ୍ଷ ପଦବୀ ଦେଇଥିବା ସରକାରଙ୍କ ଏହି ଭୁଲ ପ୍ରକ୍ରିୟାକୁ ଶ୍ରୀ ପୁରୋହିତ ତୀବ୍ର ନିନ୍ଦା କରିଛନ୍ତି । ଏହି ସମସ୍ୟା ଆଗକୁ ଜାରି ରହିଲେ ବିଭିନ୍ନ ମହାବିଦ୍ୟାଳୟରେ ବିଭ୍ରାଟକର ପରିସ୍ଥିତି ଉପୁଜିବ ଓ ସରକାର ସେଥିପାଇଁ ଦାୟୀ ରହିବେ ସଂଘ ଚେତାବନୀ ଦେଇଛି । ପୁନଶ୍ଚ, ମାନ୍ୟବର ହାଇକୋର୍ଟ ଅନେକ ସମୟରେ ୪୮୮ ବର୍ଗ ଅଧ୍ୟାପକ ଓ କର୍ମଚାରୀଙ୍କ ସପକ୍ଷରେ ରାୟ ଶୁଣାଇଲେ ମଧ୍ୟ ସରକାର ଚଞ୍ଚକତା କରି ବାରମ୍ୱାର ତାରିଖ ନେଇ ସମୟ ଗଡ଼ାଇ ଚାଲିଛନ୍ତି । ସେଥିପାଇଁ ୪୮୮ ବର୍ଗର ଅଧ୍ୟାପକ ଓ କର୍ମଚାରୀମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ୪୮୮ ବର୍ଗରେ ୨୦୧୭ ଅନୁଦାନ ଆଇନ ଅନୁସାରେ କାର୍ଯ୍ୟାନ୍ୱିତ କର୍ମଚାରୀଙ୍କ ପାଇଁ ସମସ୍ତ ଚାକିରୀ ସର୍ତ୍ତାବଳୀ ଲାଗୁ କରିବା, ୧୯୮୧ ନିୟମ ଅନୁଯାୟୀ ପୁରୁଣା ପେନସନ ଲାଗୁ କରିବା, ୧୯୮୩ ନିୟମ ଅନୁସାରେ ଭବିଷ୍ୟନିଧି ଖାତା (GPF) ଖୋଲିବା, ୧୯୭୯ ନିୟମ ଅନୁଯାୟୀ ଏହି ବର୍ଗରେ ବଳବତ୍ତର ଥିବା କ୍ୟାଡର ଲିଷ୍ଟରେ ଅଧ୍ୟାପକ,ଅଧ୍ୟାପିକା ତଥା କିରଣୀମାନଙ୍କୁ ଅନ୍ତର୍ଭୁକ୍ତ କରିବା, ଅଣଶିକ୍ଷକ କର୍ମଚାରୀମାନଙ୍କୁ RACP/MACP ଲାଗୁ କରିବା, demonstrator ମାନଙ୍କୁ Teaching ମାନ୍ୟତା ଦେବା, କର୍ମଚାରୀଙ୍କ ମୃତ୍ୟୁ ଉପରାନ୍ତ ନିଯୁକ୍ତି ଭିତ୍ତିକ ଥଇଥାନ ବ୍ୟବସ୍ଥା କରିବା, ନିଯୁକ୍ତି ତାରିଖ ବିଚାରକୁ ନେଇ ପ୍ରତ୍ୟକ୍ଷ ଅନୁଦାନ ପ୍ରଦାନ କରିବା ପାଇଁ ପ୍ରଭୃତି ସରକାରଙ୍କୁ ଦାବୀ ଉପସ୍ଥାପନ କରାଯାଇଥିଲେ ସୁଦ୍ଧା ସରକାରଙ୍କ ତରଫରୁ କୌଣସି ତତ୍ପରତା ପ୍ରକାଶ ପାଇ ନଥିବା ସଂଘର ସାଧାରଣ ସମ୍ପାଦକ ସୁଶୀଲ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ଏଣୁ, ୪୮୮ ବର୍ଗର ସ୍ୱାଭିମାନ ପାଇଁ ଚାକିରି ସର୍ତ୍ତାବଳୀ, ପେନସନ ପ୍ରଭୃତି ଦାବୀରେ ଆସନ୍ତା ୨୬ ତାରିଖରେ ଭୁବନେଶ୍ୱର ଲୋୟର ପି.ଏମ୍.ଜି.ରେ ସଂଘ ଦିନିକିଆ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘ ସଭାପତି ମାନସ ପୁରୋହିତ ସୂଚନା ଦେଇଛନ୍ତି ।
(